ବାଲେଶ୍ୱର: ପ୍ରେମ ବିବାହର ୬ ବର୍ଷ ପରେ ପତ୍ନୀର ବେକ କାଟି ହତ୍ୟା କଲା ସ୍ୱାମୀ

ବାଲେଶ୍ୱର: ଆଜି ସକାଳେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଓଡ଼ଙ୍ଗି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ସୁରଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବେଳେ ସେଠାରେ ପ୍ରେମ କରି ବିବାହ କରିଥିବା ଜଣେ ଯୁବତୀଙ୍କୁ ତାଙ୍କ ସ୍ୱାମୀ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଓଡ଼ଙ୍ଗୀ ଗ୍ରାମର ଅମୁଲ୍ୟ ଦାସ(୩୦ ବର୍ଷ) ୬ ବର୍ଷ ତଳେ ଗୁଜରାଟର ସୁରାଟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ରହୁଥିବା ଅନ୍ୟ ଏକ ଓଡ଼ିଆ ପରିବାର ସହିତ ଅମୂଲ୍ୟଙ୍କର ସମ୍ପର୍କ ଗଢ଼ିଉଠିଥିଲା। ପରେ ସେହି ପରିବାରର ଝିଅ ଅଞ୍ଜଳି(୨୬ ବର୍ଷ)ଙ୍କୁ ଭଲ ପାଇ ବସିଥିଲେ ଅମୂଲ୍ୟ। ଏହି ପ୍ରେମ ସମ୍ପର୍କରୁ ଉଭୟ ସୁରଟ ଛାଡ଼ି ପଳାଇ ଆସିବା ସହିତ ଏଠାରେ ମନ୍ଦିରରେ ବିବାହ କରି ପତିପତ୍ନୀଭାବେ ରହୁଥିଲେ। ସେମାନଙ୍କର ୨ଟି ପିଲା ଅଛନ୍ତି। ତେବେ ୭ ଦିନ ତଳେ କୌଣସି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ଅଞ୍ଜଳି ଘର ଛାଡ଼ି ପଳାଇ ଯାଇଥିଲେ। ତାଙ୍କୁ ଅମୂଲ୍ୟ ଯାଇ ଖଡ଼ଗପୁରରେ ବୁଝାଶୁଝା କରି ଫେରାଇ ଆଣିଥିଲେ। ତେବେ ଆଜି ସକାଳେ ପୁଣି ପାଟିତୁଣ୍ଡ ହେବାରୁ ଅମୂଲ୍ୟ ଏକ ଟାଙ୍ଗିଆରେ ପତ୍ନୀ ଅଞ୍ଜଳିଙ୍କ ବେକକୁ ହାଣି ଦେଇଥିଲେ। ଗୁରୁତର ଅଞ୍ଜଳିଙ୍କୁ ତାଙ୍କ ଦୁଇ ଦିଅର ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାକୁ ଆଣିଥିଲେ ଏବଂ ଅମୂଲ୍ୟଙ୍କୁ ହଳଦିପଦା ଫାଣ୍ଡିରେ ଜିମା ଦେଇଥିଲେ। ଗୁରୁତର ଅଞ୍ଜଳିଙ୍କୁ କଟକ ସ୍ଥାନାନ୍ତର ସମୟରେ ବାଟରେ ତାଙ୍କର ମତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର