ଅସ୍ତ୍ରୋପଚାର ପରେ ଛାତିରେ ଅଢ଼େଇ ଇଞ୍ଚ ଭିତରକୁ ପଶିଥିବା ଲୁହା ରଡ ବାହାରିଲା, ଏବେ ସୁସ୍ଥ ଅଛି ଚନ୍ଦନ

କଟକ: ସଫଳ ହୋଇଛି ଚନ୍ଦନର ଅସ୍ତ୍ରୋପଚାର।  ଅଧଘଣ୍ଟାର ଅସ୍ତ୍ରୋପଚାର ପରେ ଚନ୍ଦନ ଛାତିରୁ ଲୁହା ରଡକୁ ଡାକ୍ତରମାନେ ବାହାର କରି ଦେଇଛନ୍ତି। ଏବେ ସେ ସୁସ୍ଥ ଅଛି। ଏହି ଅସ୍ତ୍ରୋପଚାର ଡାକ୍ତରଙ୍କ ପାଇଁ ଏତେ ସହଜ ନ ଥିଲା। କାରଣ ଚନ୍ଦନ ଛାତିରେ ଅଢ଼େଇ ଇଞ୍ଚ ଭିତରକୁ ଲୁହା ରଡଟି ପଶି ଯାଇଥିଲା। ଡାକ୍ତରମାନଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଧୈର୍ଯ୍ୟ ହେତୁ ଏହି ଅସ୍ତ୍ରୋପଚାର ସଫଳ ହୋଇ ପାରିଛି। ବିପଦମୁକ୍ତ ରହିଛି ଚନ୍ଦନ।

ନନ୍ଦକିଶୋର ଘଟଗାଁ ଥାନା ବାଇଗଣପାଳ ଗ୍ରାମରେ ବସବାସ କରନ୍ତି। ସେ ଗତ ପ୍ରାୟ ୫ବର୍ଷ ହେବ ଟାଉନ ଥାନା ଅଧୀନ ଡିମ୍ବୋ ଗ୍ରାମରେ ରହି ଅଟୋ ଚଳାଉଛନ୍ତି। ଏଠାରେ ତାଙ୍କ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହନ୍ତି। ତେବେ ନନ୍ଦ କିଶୋର ମହାକୁଡଙ୍କ ଚତୁର୍ଥ ଶ୍ରେଣୀରେ ପାଠପଢ଼ୁଥିବା ପୁଅ ଚନ୍ଦନ ମହାକୁଡ ଘର ନିକଟରେ ଗତକାଲି ଖେଳୁଥିଲା। ଆଉ ଖେଳୁ ଖେଳୁ ହଠାତ ଲୁହା ଛଡ଼ଟି ତାର ଛାତିର ପ୍ରାୟ ଅଢ଼େଇ ଇଞ୍ଚ ଭିତରକୁ ପଶି ଯାଇଥିଲା। ତାଙ୍କୁ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଥିଲା। ସବୁଠାରୁ ବଡ କଥା ହେଲା ଲୁହାଛଡଟି ଛାତିରେ ଗଳିଯାଇଥିଲେ ବି ରକ୍ତ ବାହାରି ନଥିଲା ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା କଥା ଡାକ୍ତର କହିଛନ୍ତି।

ସମ୍ବନ୍ଧିତ ଖବର