ଫେସ୍‌ବୁକ୍‌ରେ ବିବାହିତ ମହିଳାଙ୍କ ସହ ପ୍ରେମ ସଂପର୍କ ରଖି ଜୀବନ ହାରିଲେ ଜଗତସିଂହପୁର ଅର୍ଦ୍ଧଦଗ୍ଧ ଯୁବକ!

ଫେସବୁକରେ ଆରମ୍ଭ ହୋଇଥିବା ପ୍ରେମ ମୃତ୍ୟୁରେ ଶେଷ ହୋଇଛି। ଜଗତସିଂହପୁରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପ୍ରାଣ ହରାଇଥିବା ଯୁବକର ମୃତ୍ୟୁର କାରଣ ପ୍ରେମ ବୋଲି ଅନୁମାନ କରାଯାଉଛି। ପୁଲିସ ରବିବାର ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଥିବା ବେଳେ ସାମ୍ନାକୁ ଆସିଛି ମୃତ୍ୟୁ ପଛର ପ୍ରେମ ସମ୍ପର୍କର କାହାଣୀ।

ବାଲିକୁଦା ଥାନା ଅନ୍ତର୍ଗତ ଦାଆଗାଁ ପ୍ରାଥମିକ ବିଦ୍ୟାଳୟର ବାତ୍ୟା ଆଶ୍ରୟସ୍ଥଳୀରେ ଯୁବକ ଜଣକ ନିଆଁରେ ଜଳିଯାଇଛନ୍ତି। ଅପମୃତ୍ୟୁ ମାମଲା ଦାୟର କରି ପୁଲିସ ଛାନଭିନ କରୁଥିବା ବେଳେ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ମୃତ ଯୁବକଙ୍କ ପରିବାର ଅଭିଯୋଗ ଆଣିଛନ୍ତିି ।

କୃଷ୍ଣଚନ୍ଦ୍ର ଚମ୍ପତ୍ତିରାୟ ଅହମ୍ମଦାବାଦରେ କାମ କରୁଥିଲେ। ତାଙ୍କ ବାପା-ମା, ପତ୍ନୀ ଓ ତାଙ୍କର ଦୁଇ ବର୍ଷର ଝିଅ ଗାଁରେ ରହୁଥିଲେ। ବର୍ଷକ ତଳେ ଜଗତସିଂହପୁରର ବାଲିକୁଦାର ଜଣେ ମହିଳାଙ୍କ ସହ ଫେସବୁକ ମାଧ୍ୟମରେ ତାଙ୍କର ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ସଂପର୍କ ଏତେ ବଢ଼ି ଯାଇଥିଲା ଯେ କୃଷ୍ଣଚନ୍ଦ୍ର ମହିଳାଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ପୂଜା ଛୁଟିରେ ଘରକୁ ଆସିଥିବା କୃଷ୍ଣଚନ୍ଦ୍ର, ଶନିବାର ଦିନ ୧୨ଟାରୁ ଅହମ୍ମଦବାଦ ଯାଉଥିବା କହି ଘରୁ ବାହାରି ଆସିଥିଲେ, ହେଲେ ସେ ଜଗତସିଂହପୁରରେ ପହଁଚିଥିଲେ।

ତେବେ ବାଲିକୁଦାର ଏକ ବାତ୍ୟା ଆଶ୍ରୟସ୍ଥଳୀରୁ ଅଧା ଜଳିଥିବା ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ଦେଖିବା ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିଥିଲେ। ଦେହରେ ପେଟ୍ରୋଲ ଢଳାଯାଇ ନିଆଁ ଲଗାଯାଇ ଥିବାରୁ କୃଷ୍ଣଚନ୍ଦ୍ରଙ୍କ ଶରୀରର ପ୍ରାୟ ୮୦ ଭାଗ ପୋଡି ଯାଇଥିଲା। ତାଙ୍କୁ ଲୋକେ ୧୦୮ ଆମ୍ବୁଲାନ୍‌ସରେ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ହେଲେ କୃଷ୍ଣଚନ୍ଦ୍ରଙ୍କୁ ବଂଚାଇ ପାରି ନ ଥିଲେ। ତେବେ ଏହା ଆତ୍ମହତ୍ୟା ନୁହେଁ, ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି କୃଷ୍ଣଚନ୍ଦ୍ରଙ୍କ ପତ୍ନୀ। ପ୍ରେମ ସଂପର୍କ ଥିବା ମହିଳା ହିଁ ଲୋକ ଲଗାଇ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ପୁଲିସ ଘଟଣା ସ୍ଥଳରୁ ଛୁରି, ଟଙ୍କା, ଚପଲ ଓ ଖାଲି ବୋତଲ ଜବତ କରିଛି। ସାଇଂଟିଫିକ୍‌ ଟିମ୍‌ ପହଁଚି ତନାଘନା ଆରମ୍ଭ କରିଛି। ଛୁରୀରେ କାଟି ସଂପୃକ୍ତ ମହିଳାଙ୍କ ନାଁ କୃଷ୍ଣଚନ୍ଦ୍ର ତାଙ୍କର ହାତରେ ଲେଖିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଗଣମାଧ୍ୟମକୁ ମହିଳା ଜଣକ କହିଛନ୍ତି, ତାଙ୍କ ସହ କେବଳ ବନ୍ଧୁତା ରହିଥିଲା କିନ୍ତୁ ପରେ କୃଷ୍ଣଚନ୍ଦ୍ର ତାଙ୍କୁ ହଇରାଣ କରୁଥିବା ସେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର