ଜଗତସିଂହପୁର ଜିଲ୍ଲାରେ ୨୦୫ ରୋଗୀ ଚିହ୍ନଟ: କନାଗୁଳିରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଶହେ ଟପିଲା

ଜଗତସିଂହପୁର: ଏରସମା କୁଞ୍ଜକୋଠି ପଞ୍ଚାୟତ କନାଗୁଳି ଗାଁରେ ଏବେ ଘରେ ଘରେ ଡେଙ୍ଗୁ ରୋଗୀ। ମାସେ ହେଲା ଗାଁରେ ପଡ଼ି ରହିଥିବା ସ୍ୱାସ୍ଥ୍ୟବିଭାଗର ଦୁଇଟି ଟିମ୍‌ର ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଓ ଲୋକଙ୍କ ଠାକୁରାଣୀ ପୂଜା କାମ ଦେଉନି। ପ୍ରତ୍ୟେକ ଦିନ ଏକାଧିକ ଲୋକଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ଚିହ୍ନଟ କରାଯାଉଛି। ଶେଷରେ ଏହି ସଂଖ୍ୟା ବର୍ତ୍ତମାନ ବଢ଼ି ଶହେ ଟପିଗଲାଣି। ସରକାରୀ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କନାଗୁଳି ଗାଁରେ ୧୦୬ ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ଚିହ୍ନଟ କରାଯାଇଛି। ମାତ୍ର ବେସରକାରୀ ଭାବେ ଏହି ସଂଖ୍ୟା ଆହୁରି ଅଧିକ ରହିଥିବା ଅନୁମାନ କରାଯାଉଛି। ଜଗତସିଂହପୁର ଜିଲ୍ଲାରେ ବି ଡେଙ୍ଗୁ ରୋଗୀ ସଂଖ୍ୟା ୧୯୦ରେ ପହଞ୍ଚିଲାଣି।
ପୂର୍ବରୁ କନାଗୁଳି ଗାଁରେ କେବେ ବି ଏମିତି ରୋଗ ଦେଖା ଯାଇ ନଥିବା ବେଳେ ହଠାତ୍‌ ଗାଁଟା ସାରା ଡେଙ୍ଗୁ ମାଡ଼ିଯିବା ଘଟଣା ଆତଙ୍କ ସୃଷ୍ଟି କରିଛି। ବର୍ତ୍ତମାନ ପୁଣି ବର୍ଷା ଆରମ୍ଭ ହୋଇଯାଇଥିବା ବେଳେ ପାଗ ଖରାପ ରହୁଛି। ଖାଲଖମାରେ ପାଣି ଭର୍ତ୍ତିି ହୋଇ ରହୁଛି। ଯାହାକି ମଶାଙ୍କୁ ଅଣ୍ଡା ଦେବାରେ ସହାୟକ ହେଉଛି। ଏଣୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଅଡ଼ୁଆରେ ପଡ଼ିଛି। ସରକାରୀ ରିପୋର୍ଟ ଅନୁଯାୟୀ ଜାନୁଆରିରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨୦୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେଲେଣି। ଏରସମା ବ୍ଲକ୍‌ରେ ୧୨୪ ଜଣ, ବାଲିକୁଦାରେ ୯ ଜଣ, ବିରିଡ଼ିରେ ୩ ଜଣ, କୁଜଙ୍ଗରେ ୧୪, ମଣ୍ଡାସାହିରେ ୧୧, ମଣିଜଙ୍ଗାରେ ୧୧, ନାଉଗାଁରେ ୨, ରଘୁନାଥପୁରରେ ୩, ପାରାଦୀପରେ ୨୩, ଜଗତସିଂହପୁର ପୌରପାଳିକାରେ ୨ ଓ ପରିଚୟ ମିଳିନଥିବା ଜଣଙ୍କ ରକ୍ତ ନମୁନାରୁ ଡେଙ୍ଗୁ ଭୂତାଣୁ ଚିହ୍ନଟ କରାଯାଇଛି।
ପୂର୍ବରୁ ୨୦୧୧ରେ ଜିଲ୍ଲାରେ ୨୨ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୧୨ରେ ୨୩ ଜଣ ଓ ୨୦୧୩ରେ ୨୬୩ ଜଣ, ୨୦୧୪ରେ ୧ ହଜାର ୫୧ ଓ ୨୦୧୫ରେ ଏହି ସଂଖ୍ୟା ୩୯୩ ରହିଥିଲା। ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଅଶୋକ କୁମାର ପଟ୍ଟନାୟକ କହିବା ଅନୁଯାୟୀ ଗ୍ରାମବାସୀଙ୍କୁ ସଚେତନ କରିବା ଛଡ଼ା ବିଭାଗ ନିକଟରେ ଅନ୍ୟ ବିକଳ୍ପ ନାହିଁ। ଦିନକୁ ଦୁଇ ଥର ମଶା ମାରିବା ପାଇଁ ଧୂଆଁ ଛାଡ଼ିବା, ପାଣିରେ ମଶା ଡିମ୍ବ ନଷ୍ଟ କରିବା ପାଇଁ ଏମ୍‌ଏଲ୍‌ଓ ତେଲ ବ୍ୟବହାର କରାଯାଉଛି। ଏହାସହ ମଶାରୀକୁ ମଶା ମରା ତେଲ ଦ୍ଵାରା ଧୁଆ ଯାଉଛି। ଖୁବଶ୍ରୀଘ୍ର ଏହି ରୋଗ ନିୟନ୍ତ୍ରଣକୁ ଆସିଯିବ ବୋଲି ଆଶା କରାଯାଉଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର