କୁଜଙ୍ଗ ଓ୍ଵାର୍ଡ୍‌ସଭ୍ୟଙ୍କ ଘରୁ ୮ ନାଗସାପ ଉଦ୍ଧାର

କୁଜଙ୍ଗ: କୁଜଙ୍ଗ ବ୍ଳକ୍‌ ମଙ୍ଗରାଜପୁର ଗ୍ରାମର ଓ୍ଵାର୍ଡସଭ୍ୟ ସିନ୍ଧୁ ରାଉତଙ୍କ ଚାଳଘରୁ ୮ଟି ନାଗସାପ ଉଦ୍ଧାର କରାଯାଇଛି। ଘର ଭିତରେ ଥିବା ଏକ ଗାତ ଭିତରୁ ଏହି ସାପଗୁଡ଼ିକ ଉଦ୍ଧାର କରାଯାଇଛି। ଗାତ ଭିତରୁ ସୁପ ମୁଣ୍ଡ ଦେଖାଯାଉଥିବାରୁ ଭିତରେ ଆହୁରି ଅଧିକ ସାପ ଥିବା ସନ୍ଦେହ କରାଯାଉଛି। ଏ ନେଇ ବନବିଭାଗକୁ ସୂଚିତ କରାଯାଇଥିଲେ ବି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କିମ୍ବା ‘ସ୍ନେକ୍‌ ହେଲ୍‌ପ ଲାଇନ୍‌’ ପକ୍ଷରୁ କେହି ଆସିନଥିବାରାୁ ସାପଗୁଡ଼ିକୁ ବାହାର କରାଯାଇ ପାରିନାହିଁ। ପରିବାର ଲୋକେ ଭୟରେ ଘର ଭିତରକୁ ନଯାଇ ବାହାରେ ରହୁଥିବା ଜଣାପଡ଼ିଛି।
ଖବର ମୁତାବକ, ମଙ୍ଗରାଜପୁର ଗ୍ରାମର ୱାର୍ଡ ସଭ୍ୟ ସିନ୍ଧୁ ରାଉତଙ୍କ ୪ବଖରା ଖଞ୍ଜାଘର ଆଗରେ ଗତକାଲି ଏକ ନାଗସାପ ଛୁଆ ଖେଳୁଥିବା ଦେଖାଯାଇଥିଲା। ପିଲାମାନେ ସାପ ଛୁଆକୁ ଦେଖି ପିଟି ମାରି ଦେଇଥିଲେ। ହେଲେ, ଘର ଭିତରେ ଥିବା ଗାତରେ ନାଗସାପ ଛୁଆ ମୁହଁ ଦେଖାଇଥିବାରୁ ପଡ଼ୋଶୀମାନେ ଉଦ୍ୟମ କରି ତା’ ଭିତରୁ ୮ଟି ସାପଛୁଆ ଉଦ୍ଧାର କରିଥିଲେ। ଗତକାଲି ୫ଟି ସାପଛୁଆକୁ ପିଲାମାନେ ପିଟି ମାରି ଦେଇଥିବା ବେଳେ ଅନ୍ୟ ୩ଟି ଛୁଆ କାଚ ଜାର୍‌ ଭିତରେ ରଖାଯାଇଛି।

ଗାତ ଭିତରେ ଅଧିକ ସାପ ଥିବା ଅନୁମାନ କରାଯାଉଥିବାରୁ ଏ ନେଇ ଗତକାଲି ପରିବାର ପକ୍ଷରୁ କୁଜଙ୍ଗ ବନବିଭାଗକୁ ଯୋଗାଯୋଗ କରାଯାଇଥିଲା। ହେଲେ, ବନ ବିଭାଗ ପକ୍ଷରୁ ‘କେତେବେଳେ କର୍ମଚାରୀ ନାହାନ୍ତି ତ’ ଆଉ କେତେବେଳେ-ଏବେ ପହଞ୍ଚୁଛୁ’ କହି କଥା ଟାଳି ଦିଆଯାଇଥିବା ଅଭିତଯୋଗ ହୋଇଛି। ଘର ଭିତରେ ସାପ ଥିବାରୁ ପରିବାର ଲୋକେ ଆଶଙ୍କାରେ ଅଛନ୍ତି। ରାତିରେ ଘରେ ନ ରହି ବାହାରେ ରହିବାକୁ ପରିବାର ଲୋକେ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ବନ ବିଭାଗର କୁଜଙ୍ଗ ରେଞ୍ଜର୍‌ ପ୍ରତାପ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ବିଭାଗକୁ ଏ ଖବର ମିଳିଛି। ଜଣେ ଫରେଷ୍ଟରଙ୍କ ସହିତ ସ୍ନେକ ହେଲପ୍‌ଲାଇନର କର୍ମଚାରୀଙ୍କୁ ପଠାଯାଇଛି। ଏଯାବତ୍‌ ଘଟଣାସ୍ଥଳରେ କେହି ପହଞ୍ଚିନଥିବା ଘର ମାଲିକ ଅଭିଯୋଗ କରୁଥିବା ବେଳେ ବନ ବିଭାଗ ଅଧିକାରୀଙ୍କ ଏତାଦୃଶ ଉତ୍ତର ଘଟଣାଟିକୁ ବିବାଦୀୟ କରି ପକାଇଛି।

ସମ୍ବନ୍ଧିତ ଖବର