କଟକ ବଡ଼ ଡାକ୍ତରଖାନାର ଆଇସିୟୁରେ ଚିକିତ୍ସାଧୀନ ଅଭିଯୁକ୍ତ ଚମ୍ପଟ

କଟକ: କଟକର ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସ୍ପିଟାଲର ଆଇସିୟୁରେ ଚିକିତ୍ସାଧୀନ ଥିବା ଜଣେ ଅଭିଯୁକ୍ତ ଚମ୍ପଟ ମାରିଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଉକ୍ତ ଅଭିଯୁକ୍ତର ନାମ ଆଲୋକ ସାହୁ ଏବଂ ତା’ର ବୟସ ୨୨ ବର୍ଷ ବୋଲି ଜଣାଯାଇଛି। ତା’ର ଘର କୋଣାର୍କ ଥାନାର ଧଣତ୍ରି ଗ୍ରାମରେ।
ମିଳିଥିବା ସୂଚନା ଅନୁଯାୟୀ, ଆଇସିୟୁ ବେଡରେ ହ୍ୟାଣ୍ଡକଫ୍ ଲାଗି ରହିଥିଲେ ମଧ୍ୟ ଅଭିଯୁକ୍ତ ଆଲୋକ ସାହୁ ଫେରାର ହୋଇଯାଇଛି। ଏନେଇ ରଘୁନାଥପୁର ପୁଲିସ ପକ୍ଷରୁ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି। ଏଣେ ଅଭିଯୁକ୍ତ ଆଲୋକ ସାହୁକୁ ଧରିବା ପାଇଁ ପୁଲିସ୍ ପକ୍ଷରୁ ଉଦ୍ୟମ ଚାଲିଛି।
ସୂଚନାଯୋଗ୍ୟ, ଗତ ୪ ତାରିଖରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁରର ଏକ ମଦ ଦୋକାନରୁ ଚୋରି ଅଭିଯୋଗରେ ପଚରାଉଚରା ପାଇଁ ଆଲୋକକୁ ରଘୁନାଥପୁର ଥାନାକୁ ଆଣିଥିଲା ପୁଲିସ୍ । କିନ୍ତୁ ସେଠାରେ ଶୌଚାଳୟକୁ ଯାଇଥିବା ବେଳେ ସେ ଭୟରେ ଫିନାଇଲ୍ ପିଇ ଦେଇଥିଲା ।

image source-bhubaneswarcuttackpolice.gov.in

ଗୁରୁତର ଅବସ୍ଥାରେ ଆଲୋକକୁ ପ୍ରଥମେ ରଘୁନାଥପୁରର ଏକ ହସ୍ପିଟାଲରେ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଇସିୟୁରେ ଚିକିତ୍ସାଧୀନ ଥିବା ବେଳେ ରଘୁନାଥପୁର ଥାନାର ୨ଜଣ କର୍ମଚାରୀ ଜଗି ରହିଥିଲେ। ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ଥାଇ ବି କିପରି ଅଭିଯୁକ୍ତ ଆଇସିୟୁରୁ ଚମ୍ପଟ ମାରିଲା ,ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର