ଆଇନଜୀବୀଙ୍କୁ ଆକ୍ରମଣ ମାମଲା:ଅଭିଯୁକ୍ତଙ୍କୁ ଗିରଫ ଦାବିରେ କୋର୍ଟ ବନ୍ଦ

ପାରାଦୀପ: ଆଇନଜୀବୀ ଦେବବ୍ରତ ସାହୁଙ୍କୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ଗିରଫ ଦାବିରେ କୁଜଙ୍ଗ ଓକିଲ ସଂଘ ଆଜି କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛି। ଫଳରେ ଆଜି କୋର୍ଟର ସମସ୍ତ କାର୍ଯ୍ୟ ବନ୍ଦ ରହିଛି। କେବଳ କୁଜଙ୍ଗ କୋର୍ଟ ନୁହେଁ ଏହି ଆନ୍ଦୋଳନକୁ ସମର୍ଥନ କରି ଉପ ନିବନ୍ଧକ କାର୍ଯ୍ୟାଳୟ ମଧ୍ୟ ବନ୍ଦ କରହିଛି। ଏହାସହ ଏହି ବନ୍ଦକୁ ସମର୍ଥନ କରି ଜଗତସିଂହପୁର ଓକିଲ ସଂଘ ମଧ୍ୟ କାର୍ଯ୍ୟ ବନ୍ଦ ରଖିଛି। ଏ ନେଇ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ମଧ୍ୟ କୁଜଙ୍ଗ ଓକିଲ ସଂଘ ସହ ଆଲୋଚନା କରିଥିବା ଜଣାପଡ଼ିଛି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘର ସଭାପତି ଏନ୍‌.ଡି ଯାଦବ କହିଛନ୍ତି।
ପାରାଦୀପରେ ଆଇନଜୀବୀଙ୍କୁ ଆକ୍ରମଣ ଏହାକୁ ବେଶ୍‌ ଗୁରୁତ୍ଵର ସହ ନେଇଛି କୁଜଙ୍ଗ ଓକିଲ ସଂଘ। ସଂଘ ସଭାପତି ଶ୍ରୀ ଯାଦବ କହିଛନ୍ତି ଯେ, ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଘଟଣାକୁ ସାତ ଦିନ ବିତିବାକୁ ବସିଲାଣି, ତଥାପି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରୁନାହିଁ। ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା। ଆଜି କେବଳ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯାଇଛି। ଆଗାମୀ ଦିନରେ ହାଇକୋର୍ଟ ବାର୍‌ ଆସୋସିଏସନ ସହ ଆଲୋଚନା କରାଯାଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅଭିଯୁକ୍ତଙ୍କୁ ଗିରଫ କରାନଗଲେ ସାରା ରାଜ୍ୟରେ ଆଇନଜୀବୀ ଆନ୍ଦୋଳନକୁ ଓହ୍ଲାଇବେ। ଆବଶ୍ୟକ ପଡ଼ିଲେ ରାଜ୍ୟ ସମସ୍ତ କୋର୍ଟକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯିବ।

ଘଟଣା ପରେ ପୁଲିସ-ଆଇନଜୀବୀ ଲଢ଼େଇ ତୀବ୍ର ହେବ ବୋଲି ସାଧାରଣରେ ଆଲୋଚନା ଚାଲିଛି। ଅନ୍ୟପଟେ ଆଜି ପୁଲିସ ସମର୍ଥନରେ ରାସ୍ତାକୁ ଓହ୍ଲାଇଛି ପାରାଦୀପ ନାଗରିକ ମଞ୍ଚ। ମଞ୍ଚ ସଭାପତି ଅୟସକାନ୍ତ ରାୟଙ୍କ ନେତୃତ୍ଵରେ ଆଜି ପଚାଶରୁ ଅଧିକ ଯୁବକ ପାରାଦୀପ ପୁଲିସ ଜିନ୍ଦାବାଦ ନାରା ଦେବା ସହ ଇନ୍‌ସପେକ୍ଟର ଶୁଭ୍ରାଂଶୁ ନାୟକଙ୍କ ସପକ୍ଷରେ ଏକ ସ୍ମାରକପତ୍ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକଙ୍କୁ ଦେଇଛନ୍ତି। ଏହାସହ ମଞ୍ଚର ସଦସ୍ୟମାନେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ଚରଣ ମିଶ୍ରଙ୍କ ସହ ଆଲୋଚନା କରିବା ସହ ଇନ୍‌ସପେକ୍ଟର ଶ୍ରୀ ନାୟକଙ୍କୁ ଜାଣିଶୁଣି ବଦନାମ୍‌ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ଇନ୍‌ସପେକ୍ଟର ଶ୍ରୀ ନାୟକଙ୍କ କାର୍ଯ୍ୟ ଦକ୍ଷତା ଯୋଗୁଁ ସର୍ବଦା ଅଶାନ୍ତ ରହୁଥିବା ପାରାଦୀପରେ ବର୍ତ୍ତମାନ ଲୋକେ ବାଟ ଚାଲିବାକୁ ନିରାପଦ ମନେ କରୁଛନ୍ତି। ଏହାସହ ପ୍ରଥମ ଥର ପାଇଁ ପାରାଦୀପର ଟ୍ରାଫିକ୍‌ ବ୍ୟବସ୍ଥାକୁ ମଧ୍ୟ ସେ ସଜାଡ଼ିବାକୁ ସକ୍ଷମ ହୋଇଛନ୍ତି। ଏଣୁ ଏହି ଭଳି ଜଣେ ଇନ୍‌ସପେକ୍ଟରଙ୍କର ପାରାଦୀପ ଭଳି ସହର ପାଇଁ ନିଶ୍ଚିତ ଆବଶ୍ୟକତା ରହିଛି ବୋଲି ଶ୍ରୀ ରାୟ କହିଛନ୍ତି।

ସମ୍ବନ୍ଧିତ ଖବର