କୁଜଙ୍ଗରେ ବିଜେଡିର ଶକ୍ତି ପ୍ରଦର୍ଶନ : ଦାମଙ୍କ ଉପରେ ଗର୍ଜିଲେ

ଜଗତସିଂହପୁର/ଟାଉନ୍/କୁଜଙ୍ଗ : କୁଜଙ୍ଗଠାରେ ଆୟୋଜିତ ମହିଳା ସମାବେଶରେ ଆଜି ବିଜେଡି ନେତାମାନେ ବିଧାୟକ ଡା. ଦାମୋଦର ରାଉତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ବହିଷ୍କାର ପରେ ଆଜି ପ୍ରଥମଥର ଦଳ ତାଙ୍କ ନିର୍ବାଚନମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛି।

ସମାବେଶରେ ପାଖାପାଖି ୨୦ ହଜାର ମହିଳା ସାମିଲ୍‌ ହୋଇଥିଲେ। ଏଥିରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଦଳର ଜଗତସିଂହପୁର ଜିଲ୍ଳା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ, ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସା‌ଦ ମିଶ୍ର ଓ ଅତନୁ ସବ୍ୟସାଚୀ ନାୟକ, ବାଲିକୁଦା-ଏରସମା ବିଧାୟକ ତଥା ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁୁୁଦୁଲି ପ୍ରମୁଖ ଡା. ରାଉତଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେମାନେ ନିଜ ନିଜର ବକ୍ତବ୍ୟ‌େର କହିଥିଲେ ଯେ, ସ୍ବାଧୀନତା ପ୍ରାପ୍ତି ପରେ ଏହା କୁଜଙ୍ଗର ସର୍ବବୃହତ ମହିଳା ସମାବେଶ। ଏହାକୁ ଭଣ୍ଡୁର କରିବାକୁ ଯେଉଁମାନେ ଉଦ୍ୟମ କରୁଥିଲେ ସେମାନେ ଶକ୍ତ ଧକ୍କା ଖାଇଛନ୍ତି। ନବୀନ ହିଁ ବିକାଶ ପୁରୁଷ ଆଉ ସବୁ ମିଛ।

ରାଜ୍ୟ ବିଜେଡି ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ, ତିର୍ତ୍ତୋଲ ବିଧାୟିକା ତଥା ବିଜେଡି ଜିଲ୍ଲା ସଭାନେତ୍ରୀ ଡ. ରାଜଶ୍ରୀ ମଲ୍ଲିକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ ପ୍ରମୁଖ ଯୋଗଦେଇ ନାରୀମାନେ ନବୀନ ପଟ୍ଟନାୟକଙ୍କ ଶାସନରେ ସୁରକ୍ଷିତ ଓ ସ୍ବାବଲମ୍ବୀ ହୋଇ ପାରିଛନ୍ତି ବୋଲି କହିଥିଲେ।

ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ସଭା ପରିଚାଳନା ସହ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ପୀତାମ୍ବର ତରାଇ ଧନ୍ୟବାଦ ଦେଇଥିଲେ।

ଅନ୍ୟପକ୍ଷରେ, ଆଜିର ସଭାରେ ଦଳର ରାଜ୍ୟ ସମ୍ପାଦକ ଥିବା ଡ. ରାଉତଙ୍କ ପୁଅ ସମ୍ବିତ ରାଉତରାୟଙ୍କ ଦେଖା ମିଳିନଥିଲା। ତା’ଛଡ଼ା, କୁଜଙ୍ଗ ବ୍ଲକ୍ ସଭାପତି ଚିତ୍ତରଞ୍ଜନ ମିଶ୍ର, କୁଜଙ୍ଗ ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଂଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, କୁଜଙ୍ଗ ସରପଞ୍ଚ ଭାରତ ଭୂଷଣ ନାୟକଙ୍କ ସମେତ ୧୦/୧୨ ଜଣ ପଞ୍ଚାୟତସ୍ତରୀୟ ଲୋକ ପ୍ରତିନିଧି କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ। ଅନ୍ୟପଟେ, ଆଜିର ସମାବେଶକୁ ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ଡକାଯାଇ ନ ଥିବା ବେଳେ ଜଗତସିଂହପୁର ସହରରେ ଆୟୋଜିତ ଦଳର ଅନ୍ୟ ଏକ ମହିଳା ସମାବେଶକୁ ମଧ୍ୟ ସେ ଯାଇନଥିଲେ। ସେପଟେ, ରଘୁନାଥପୁର ବ୍ଲକ୍‌ର ତାରପୁର ବାଇପାସ୍ ନିକଟରେ ଅସନ୍ତୁଷ୍ଟ କର୍ମୀମାନେ ବିଧାୟିକା ଡ. ରାଜଶ୍ରୀ ମଲ୍ଲିକଙ୍କୁ ବିରୋଧ କରିଥିଲେ।

ସମ୍ବନ୍ଧିତ ଖବର