ସରପଞ୍ଚଙ୍କ ଗାଡ଼ିକୁ ବୋମା ମାଡ଼ ଘଟଣା:ଭୁବନେଶ୍ବର ସାଲିଆସାହିରୁ ଅଭିଯୁକ୍ତ ଗିରଫ

ଜଗତସିଂହପୁର ଟାଉନ୍/ବିରିଡ଼ି: ବିରିଡ଼ି ବ୍ଲକ୍ ଉକୁନ୍ଦରା ପଞ୍ଚାୟତ ସରପ‌ଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ବିରିଡ଼ି ପୁଲିସ ଭୁବନେଶ୍ବର ସାଲିଆସାହିରୁ ସଂଗ୍ରାମ ଭୋଇ ଓରଫ ଶମ୍ଭୁ(୨୬)କୁ ଗିରଫ କରିଛି। ଗିରଫ ସମୟରେ ଶମ୍ଭୁଙ୍କ ନିକଟରୁ ଦୁଇଟ ଜୀବନ୍ତ ବୋମା ମିଳିଛି। ତେବେ, ବୋମାମାଡ଼ ଘଟଣାର ମାଷ୍ଟର ମାଇଣ୍ତ୍‌ କୁହାଯାଉଥିବା ଯୁବକଙ୍କ ସମ୍ପର୍କରେ ପୁଲିସ କିଛି ଟେର୍ ପାଇ ପାରି ନଥିବା ଜଣାପଡ଼ିଛି।
ଉକୁନ୍ଦରା ବୋମାମାଡ଼ ସମ୍ପର୍କରେ ଆଜି ସନ୍ଧ୍ୟାରେ ପୁଲିସ ପକ୍ଷରୁ ଜଗତସିଂହପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍ ସୂଚନା ଦେଇଥିଲେ ଯେ, ଗତ ଫେବ୍ରୁଆରି ୨୨ତାରିଖ ଦିନ ଉକୁନ୍ଦରା ପଞ୍ଚାୟତ ସରପ‌ଞ୍ଚ ଚନ୍ଦ୍ରଶେଖର ଦାଶଙ୍କ ଗାଡ଼ିକୁ ବୋମାମାଡ଼ କରାଯାଇଥିଲା। କଳାରଙ୍ଗର ପଲସର୍ ବାଇକ୍‌ରେ ଦୁଇଜଣ ଦୁର୍ବୃତ୍ତ ଆସି ସରପଞ୍ଚଙ୍କ ଇଣ୍ତିଗୋ କାର୍(ଓଡି-୨୧ଇ-୦୨୩୪) ଉପରକୁ ୩ଟି ବୋମା ପକାଇ ଫେରାର୍ ହୋଇ ଯାଇଥିଲେ। ବୋମାମାଡ଼ରେ ସରପଞ୍ଚ ଶ୍ରୀ ଦାଶଙ୍କ କାର୍‌ଟି ଜଳି ଯାଇଥିଲା ଓ ସେ ଆହତ ହୋଇଥିଲେ। ବିରିଡ଼ି ଥାନାରେ ଶ୍ରୀ ଦାଶ ମଇନ୍ଦୀପୁରର ରାସବିହାରି ଦାସଙ୍କ ନାମରେ ଏତଲା ଦେଇଥିଲେ। ରାସବିହାରି ତାଙ୍କୁ ଜୀବନରୁ ମାରିଦେବାକୁ ବୋମା ପକାଇଥିବା ନେଇ ସେ ଅଭିଯୋଗ କରିଥିଲେ। ବିରିଡ଼ି ଥାନା ପକ୍ଷରୁ ଏହାର ତଦନ୍ତ କରାଯିବାରେ ଉକ୍ତଦିନ ଉକୁନ୍ଦରାର ସଂଗ୍ରାମ ଭୋଇ ସେଠାରେ ଦୁଇଜଣଙ୍କ ସହ ବୁଲାବୁଲି କରୁଥିବା ଜଣା ପଡ଼ିଥିଲା। ସଂଗ୍ରାମ ଭୋଇ ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ନେଇ ପୁଲିସ ସନ୍ଦେହ କରିଥିଲା। ପୁଲିସ ସଂଗ୍ରାମ ସମ୍ପର୍କରେ ବିଭିନ୍ନ ତଥ୍ୟ ସଂଗ୍ରହ କରି ଭୁବନେଶ୍ବରକୁ ଯାଇଥିଲା ଓ ସାଲିଆସାହି ବସ୍ତିରୁ ସଂଗ୍ରାମକୁ ଗିରଫ କରିଥିଲା। ଗିରଫ ବେଳେ ସଂଗ୍ରାମ ନିକଟରୁ ୨ଟି ଜୀବନ୍ତ ବୋମା ଜବତ କରାଯାଇଥିଲା। ସଂଗ୍ରାମ ନାମରେ ଜଗତସିଂହପୁର ଓ ବିରିଡ଼ି ଥାନା ସମେତ ଭୁବନେଶ୍ବର କମିସନରେଟ୍ ପୁଲିସ, କଳାହାଣ୍ତି ଏବଂ କଟକର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି। ଭୁବେନଶ୍ବର ସମେତ ରାଜ୍ୟର କେତେକ କୁଖ୍ୟାତ ଗ୍ୟାଙ୍ଗ ସହ ସଂଗ୍ରାମ ସଂପୃକ୍ତ ଥିବା ସୂଚନା ମିଳିଛି। ମୁଖ୍ୟତଃ ଦାଦାବଟି ଆଦାୟ ଓ ଲୁଟ୍ ଭଳି କାର୍ଯ୍ୟରେ ସେ ଲିପ୍ତ ଥିବା ସୂଚନା ମିଳିଛି। ତେବେ, ଉକୁନ୍ଦରା ବୋମାମାଡ଼ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତର ପୁଲିସ ଟେର୍ ପାଇ ନଥିବା ବେଳେ ମଇନ୍ଦୀପୁରର ରାସବିହାରି ଦାସଙ୍କ ନାମରେ ବିରିଡ଼ି ଥାନାରେ ଏତଲା ହୋଇଥିଲେ ହେଁ ବୋମାମାଡ଼ରେ ତାଙ୍କ ସଂପୃକ୍ତି ନେଇ କୌଣସି ପ୍ରମାଣ ମିଳି ନାହିଁ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲଙ୍କ ସମେତ ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଓ ମାମଲାର ତଦନ୍ତକାରୀ ଏସ୍‌ଆଇ ଜେ. ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର