ସକାଳ ୫ରୁ ତାଣ୍ଡବ! : ଗଞ୍ଜାମରେ ଅଧିକ ସତର୍କତା

ବ୍ରହ୍ମପୁର/ଗୋପାଳପୁର : ଆଜି ପୂର୍ବାହ୍ନ ସାଢେ଼ ୧୧ଟାରେ ଭୟଙ୍କର ବାତ୍ୟା ରୂପ ନେଇଛି ‘ତିତ୍‌ଲି’` ଗୋପାଳପୁର ଠାରୁ ଦକ୍ଷିଣ-ପୂର୍ବ ଦିଗରେ ୨୦୦ କିମି ଦୂରରେ ରହିଛି। ଏହାର ପ୍ରଭାବରେ ସନ୍ଧ୍ୟା ସୁଦ୍ଧା ଗୋପାଳପୁରରେ ଘଣ୍ଟାପ୍ରତି ୬୦ରୁ ୭୦କିମି ବେଗରେ ପବନ ବହୁଛି। କିନ୍ତୁ ସମୁଦ୍ର ଭିତରେ ପବନର ବେଗ ୧୩୦ରୁ ୧୪୦କିମି ପ୍ରତି ଘଣ୍ଟା ରହିଛି। ଆସନ୍ତାକାଲି ସକା‌େଳ ଏହା ଗୋପାଳପୁରରେ ସ୍ଥଳଭାଗରେ ମାଡ଼ ହେବ। ଏହାର ପ୍ରଭାବରେ ଭୋର ସାଢେ଼ ୫ଟାରୁ ଦିନ ୧୧ଟା ମଧୢରେ ତାଣ୍ଡବ ରଚାଇବ ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଉଛି। ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହିତ ପବନର ବେଗ ଘଣ୍ଟାପ୍ରତି ପ୍ରାୟ ୧୪୦ରୁ ୧୫୦କିମି ରହିବ। ଏକ ସମୟରେ ଏହା ୧୬୫ କିମି ଛୁଇଁବ ବୋଲି ଗୋପାଳପୁର ଡପଲାର‌୍‌ ରାଡାର‌୍‌ ଇନଚାର୍ଜ ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକୂଳର୍ବତୀ ୫ଟି ବ୍ଲକର ପ୍ରାୟ ଅଢ଼େଇ ଲକ୍ଷ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ସେଭଳି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରର ୪୦ଟି ଵାଡ଼ର୍ରେ ୪୪ଟି ଆଶ୍ରୟସ୍ଥଳୀ କରାଯାଇଛି। ବସ୍ତି ଓ ତଳିଆ ଅଞ୍ଚଳରେ ରହୁଥିବା ପ୍ରାୟ ୧୦ହଜାର ଲୋକଙ୍କୁ ସେଠାକୁ ସ୍ଥାନାନ୍ତର କରାଯାଇଛି। ସ୍କୁଲ, କଲେଜ, କଲ୍ୟାଣ ମଣ୍ତପ ଓ ଆର‌୍‌ଏଵାଇ ଗୃହରେ ଲୋକଙ୍କୁ ଥଇଥାନ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ହଇମାଷ୍ଟ ଲାଇଟ୍‌ଗୁଡ଼ିକ ତଳକୁ ଖସାଇ ଦିଆଯାଇଛି। ଲୋକେ ଭୟଭୀତ ହୋଇ ବଜାରୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ନେଇ ଘରେ ମହଜୁଦ ରଖିଛନ୍ତି। ସେପଟେ ପ୍ରଶାସନ ତରଫରୁ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି କୁହାଯାଇଛି। ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ବଜାରରେ ମଧୢ ସମସ୍ତ ପ୍ରକାର ଖାଦ୍ୟ ସାମଗ୍ରୀ ଉପଲବ୍ଧ ରହିଛି।

୨୦୧୩ ଅକ୍ଟୋବର ତାରିଖରେ ଫାଇଲିନ୍‌ ବାତ୍ୟା ଗଞ୍ଜାମ ଜିଲ୍ଲାରେ ତାଣ୍ତବ ଦେଖାଇ ଥିଲା। ଠିକ୍‌ ଏହାର ୫ବର୍ଷ ପରେ ସେହି ଅକ୍ଟୋବର ମାସରେ ବାତ୍ୟା ‘ତିତ୍‌ଲି’ ଲୋକଙ୍କୁ ପୁଣିଥରେ ଫାଇଲିନ୍‌ର ସେହି ଛାତିଥରା ଦୃଶ୍ୟକୁ ମନେ ପକାଇ ଦେଇଛି। ବାତ୍ୟା ତିତ୍‌ଲି ଧୀରେ ଧୀରେ ନିକଟତ ହେଉଛି। ଏହା ଆସନ୍ତାକାଲି ସକାଳେ ଗୋପାଳପୁର ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆଜି ବ୍ରହ୍ମପୁର ସହର ସମେତ ଗୋପାଳପୁର ଏବ˚ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦିନ ସାରା ବର୍ଷା ଲାଗି ରହିଛି। ସେହିପରି ଘଣ୍ଟାପ୍ରତି ୩୦/୪୦କିମି ବେଗରେ ପବନ ପ୍ରବାହିତ ହେଉଛି। ବାତ୍ୟା ତିତ୍‌ଲିକୁ ନେଇ ଚାରିଆଡେ଼ ଭୟର ବାତାବରଣ ଲାଗି ରହିଛି। ଗୋପାଳପୁର ବନ୍ଦର ଓ ବେଳାଭୂମିରେ ୪ନମ୍ବର ବିପଦ ସ˚କେତ ଜାରି କରାଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି। ସେହିପରି ସମୁଦ୍ର କୂଳ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବିଭାଗୀୟ ଅଧିକରୀଙ୍କ ସହିତ ଗୋପାଳପୁର ସମୁଦ୍ରକୂଳ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧୢାନ କରିଛନ୍ତି। ଗୋପାଳପୁରରେ ଗୋଟିଏ ବାତ୍ୟା ଆଶ୍ରୟସ୍ଥଳୀ ଥିବା ବେଳେ ଶିଶୁ ମନ୍ଦିର ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧୢ ଆଶ୍ରୟସ୍ଥଳୀ କରାଯାଇଛି। ସେଠାରେ ଲୋକମାନଙ୍କ ଥଇଥାନ କରାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି। ଏହା ସହିତ ବିଦ୍ୟୁତ ସ˚ଯୋଗ ବିଚ୍ଛିନ୍ନ ହେଲେ ଜେନେନେଟର‌୍‌ ବ୍ୟବସ୍ଥା ମଧୢ କରାଯାଇଛି। ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ଜିଲ୍ଲା ପରିଷଦ ସଭ୍ୟ ଶିଶିଭୂଷଣ ମହାନ୍ତି, ଗୋପାଳପୁର ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀ ପ୍ରମୁଖ ବାତ୍ୟା ଆଶ୍ରୟସ୍ଥଳୀରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି।

ଜଗତସିଂହପୁରରେ ୯ହଜାର ସ୍ଥାନାନ୍ତରିତ

ଜଗତସିଂହପୁର/କୁଜଙ୍ଗ/ଏରମସା/ବାଲିକୁଦା : ସାମୁଦ୍ରିକ ଘୂର୍ଣ୍ଣିିଝଡ଼ ‘ତିତ୍‌ଲି’ କ୍ରମଶଃ ଭୟଙ୍କର ରୂପ ନେଉଥିବାରୁ ଏହାର ମୁକାବିଲା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ବର୍ଷା ପରିମାଣ ଅଧିକ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବାରୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। କୁଜଙ୍ଗ, ଏରସମା, ବାଲିକୁଦା ଓ ପାରାଦୀପ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇ ଏହି ୪ଟି ଅଞ୍ଚଳରୁ ୮, ୬୧୦ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ବାତ୍ୟା ଆଶ୍ରୟସ୍ଥଳ, ସ୍କୁଲ, କଲେଜ ଓ ମସ୍‌ଜିଦ୍‌ରେ ଆଶ୍ରୟ ଦିଆଯାଇଛି। ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ରନ୍ଧା ଓ ଶୁଖିଲା ଖାଦ୍ୟ ସମେତ ସ୍ବାସ୍ଥ୍ୟସେବାର ବ୍ୟବସ୍ଥା କରାଯାଇଛି। କୁଜଙ୍ଗ ଓ ପାରାଦୀପକୁ ୩୦ଜଣିଆ ସଦସ୍ୟ ଥିବା ଗୋଟିଏ ଲେଖାଏଁ ଏନ୍‌ଡିଆର୍‌ଏଫ୍ ଓ ଓଡ୍ରାଫ୍ ଟିମ୍ ପଠାଯାଇଛି। ଜଗତସିଂହପୁର, ପାରାଦୀପ, କୁଜଙ୍ଗ ଓ ଏରସମାରେ ଦୁଇଟି ଲେଖାଏଁ ଅଗ୍ନିଶମ ବିଭାଗ ଟିମ୍ ଓ ଅନ୍ୟ ବ୍ଲକ୍‌ଗୁଡ଼ିକରେ ଗୋଟିଏ ଲେଖାଏଁ ଟିମ୍ ମୁତୟନ କରାଯାଇଛି।

ମୁକାବିଲା ପାଇଁ ବରିଷ୍ଠ ଅଧିକାରୀମାନଙ୍କ ଭିତରେ ଦାୟିତ୍ବ ବଣ୍ଟନ କରାଯାଇଛି। ପାରାଦୀପର ଅତିରିକ୍ତ ଜିଲ୍ଲାପାଳ ଡକ୍ଟର କାହ୍ନୁଚରଣ ଧୀରଙ୍କୁ ପାରାଦୀପ ଓ କୁଜଙ୍ଗ ଦାୟିତ୍ବ ଦିଆଯାଇଥିବା ବେଳେ ପ୍ରକଳ୍ପ ନିର୍ଦେଶକ ବିଶ୍ବଜିତ ଦାସଙ୍କୁ ବାଲିକୁଦା ବ୍ଲକ୍‌ ଓ ଉପ-ଜିଲ୍ଲାପାଳ ଡକ୍ଟର ସଚ୍ଚିଦାନନ୍ଦ ସାହୁଙ୍କୁ ଏରସମା ଦାୟିତ୍ବ ଦିଆଯାଇଛି। ସେମାନଙ୍କ ନେତୃତ୍ବରେ ସଂଧ୍ୟା‌ ସୁଦ୍ଧା ୪୧ଟି ସ୍ଥାନରୁ ୮,୬୧୦ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଆଶ୍ରୟ ନେଇଥିବା ପ୍ରତ୍ୟେକ ସ୍ଥାନରେ ସେଠାକାର ତହସିଲଦାର ଓ ବିଡ଼ିଓଙ୍କୁ ନୋଡାଲ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି। ପ୍ରତ୍ୟେକ ବ୍ଲକ୍ରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ସମସ୍ୟା ଦେଖାଦେଲେ ଲୋକମାନେ ସିଧାସଳଖ ବିଡିଓ, ଏବିଡିଓ, ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ଏହାସହ ପୌରପାଳିକା ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କୁ ମଧ୍ୟ ନିଜ ନିଜ ଅଞ୍ଚଳର ଦାୟିତ୍ବରେ ରଖାଯାଇଛି। ସୂଚନା ମୁତାବକ କୁଜଙ୍ଗ ବ୍ଲକ୍‌ର ରଙ୍ଗିଆଗଡ଼, ରାମଚଣ୍ଡୀପଡ଼ା, ପାରାଦୀପ ଗଡ଼, ପିପଳ, ସାଇଲୋ, ନୂଆଗଡ଼, ମୂଷାଡ଼ଇା, ବିଜୟଚନ୍ଦ୍ରପୁର ଆଦି ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୨,୯୪୮ ଜଣ, ପାରାଦୀପ ପୌରପାଳିକାର ଷଣ୍ଢକୁଦ ବସ୍ତି, ନେହେରୁ ବଙ୍ଗଳାର ତଳିଆ ଅଞ୍ଚଳ, ବଙ୍ଗାଳିପଡ଼ା, ଜଗନ୍ନାଥ କଲୋନି ଓ ଅନ୍ୟାନ୍ୟ ଅଞ୍ଚଳରୁ ୧,୩୦୦, ଏରସମାର ଜପା, ସରବନ୍ତ, ପଦ୍ମପୁର, ନୂଆଗାଁ, ଗଡ଼କୁଜଙ୍ଗ, ଢ଼ିଙ୍କିଆ, ଆମ୍ବିକି ଓ ଗଡ଼ହରିଶପୁର ଆଦି ଅଞ୍ଚଳରୁ ୧,୫୦୦ ଏବଂ ବାଲିକୁଦା ବ୍ଲକ୍‌ର କୁଶୁପୁର, ନେନ୍ଦେରା, ଦେକଣି, ଆଠଘରିଆ, ନାଉପାଳ, ଛଘରିଆ, ପରିଆବାସ, ମରିଚିପୁର ଆଦି ଅଞ୍ଚଳରୁ ୧,୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ନିରାପଦ ସ୍ଥାନକୁ ଆସିବା ପାଇଁ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଛି। ଯେଉଁମାନେ ଏହାକୁ ନ ମାନିବେ ସେମାନଙ୍କୁ ଜୋର ଜବରଦସ୍ତ ପୁଲିସ ସହାୟତାରେ ନିରାପଦ ସ୍ଥାନକୁ ଉଠାଇ ଅଣାଯିବ ବୋଲି ମଧ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ତାହାର ମୁକାବିଲା ପାଇଁ ତିର୍ତ୍ତୋଲ ଦାୟିତ୍ବରେ ଜିଲ୍ଲା ଜରୁରିକାଳୀନ ଅଧିକାରୀ, ରଘୁନାଥପୁରରେ ଉପ-ନିର୍ଦ୍ଦେଶକ ଯୋଜନା ବିଭାଗ, ଜଗତସିଂହପୁରରେ ଅତିରିକ୍ତ ଜିଲ୍ଲାପାଳ, ବିରିଡ଼ିରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଓ ନାଉଗାଁରେ ରାଜସ୍ବ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କୁ ଦାୟିତ୍ବରେ ରଖାଯାଇଛି।

ସମ୍ବନ୍ଧିତ ଖବର