ଗୋଟି ଚଳାଇଲେ ଦାମ: ବିଜେପିରେ ମିଶିଲେ ଶିବବ୍ରତ,ଶଶିକାନ୍ତ

ଜଗତସିଂହପୁର ଟାଉନ୍:  ଜଗତସିଂହପୁର ଜିଲ୍ଳା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶିବବ୍ରତ ଦାସ(କାଇ ଭାଇ) ଏବଂ ବିଜେଡିର ଯୁବନେତା ଶଶିକାନ୍ତ ପରିଡ଼ା ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବର ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଡାକ୍ତର ଦାମୋଦର ରାଉତ ଏହି ଦୁଇ ନେତାଙ୍କ ସମେତ ଶତାଧିକ କର୍ମୀଙ୍କୁ ସ୍ବାଗତ କରିଛନ୍ତି। ବିଜେପରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଡାକ୍ତର ରାଉତଙ୍କ ଗୋଟି ଚାଳନାରେ ଏଡା ସମ୍ଭବ ହୋଇଥିବା କୁହାଯାଉଛି। ଦାମ ଏପର୍ଯ୍ୟନ୍ତ ବିପକ୍ଷଙ୍କ ତୁଳନାରେ ପ୍ରଚାରକୁ ଜୋରଦାର କରି ନଥିଲେ ବି ବିରୋଧୀ ଶିବିରରୁ ଜଣଙ୍କ ପରେ ଜଣେ ନେତାଙ୍କୁ ନିଜ ଦଳକୁ ଟାଣିବାରେ ସଫଳ ହୋଇଥିବା ଦେଖିବାକୁ ମିଳିଛି। ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଶିବବ୍ରତ ଦାସ ୨ ନମ୍ବର ଜୋନ୍‌ ପୂର୍ବତନ ଜିଲ୍ଲା ପରିଷଦ। କଂଗ୍ରେସ ଦଳର ଜଣେ ଟାଣୁଆ ନେତା ହୋଇଥିବାରୁ ନିରଞ୍ଜନ ପଟ୍ଟନାୟକ ପିସିସି ସଭାପତି ହେବା ପରେ ତାଙ୍କୁ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପଦ ମିଳିଥିଲା। କିନ୍ତୁ, ବାଲିକୁଦା-ଏରସମାରୁ ଟି‌କେଟ୍ ନ ମିଳିବାରୁ ସେ ଦଳ ଛାଡ଼ିଥିବା ସୂଚନା ମିଳିଛି। ତାଙ୍କ ସହ ବାଲିକୁଦା-ଏରସମା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଚୌଧୁରୀ, ଛାତ୍ର କଂଗ୍ରେସ ପୂର୍ବତନ ସଭାପତି ତଥା ୪ ନମ୍ବର ଜୋନ୍‌ ସୋସିଆଲ ମିଡ଼ିଆ ଅଧ୍ୟକ୍ଷ ରାଜେଶ ମହାନ୍ତି, ଅରବିନ୍ଦ ସ୍ବାଇଁ, ଅମିର ପ୍ରଧାନ, ଚକ୍ରଧର ମହାନ୍ତି, ମୃତ୍ୟୁଞ୍ଜୟ ଦାସଙ୍କ ସମେତ ଅନେକ କର୍ମୀ ଯୋଗ ଦେଇଛନ୍ତି। ସେହିପରି ବିଜୁ ଜନତା ଦଳର ଚର୍ଚ୍ଚିତ ଯୁବ ନେତା ଶଶିକାନ୍ତ ପରିଡ଼ା ମଧ୍ୟ ଆଜି ସମର୍ଥକଙ୍କ ସହ ପଦ୍ମ ଧରିଛନ୍ତି। ଶଶିକାନ୍ତ ପରିଡ଼ା ବାଲିକୁଦା-ଏରସମାରେ ସ୍ଥାନୀୟ ବିଧାୟକଙ୍କୁ ବିରୋଧ କରୁଥିଲେ ବି ନବୀନ ପଟ୍ଟନାୟକଙ୍କୁ ସମର୍ଥନ କରି ସଭା କରୁଥିଲେ। ତେବେ ଟିକେଟ୍ ନ ମଳିବା ପରେ ଆଜି ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହ ଏରସମା ବ୍ଲକ୍ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦେବେନ୍ଦ୍ର କିଶୋର ତ୍ରିପାଠୀ, ପୂର୍ବତନ ସରପ‌ଞ୍ଚ ନିବାରଣ ନାୟକ, ସୁଦାମ ସାହୁ, କ୍ଷେତ୍ରବାସୀ ବେହେରା, ଶୈଳବାଳା ରାଉତ, ରାଜକିଶୋର ମଲ୍ଲିକ, ଶିଶିର ଗୋଚ୍ଛାୟତ, ପ୍ରଶାନ୍ତ ବଳିଆରସିଂଙ୍କ ସମେତ ଅନେକ କର୍ମୀ ଯୋଗ ଦେଇଛନ୍ତି। ଏହି ଦୁଇନେତାଙ୍କ ଯୋଗଦାନ ପରେ ବାଲିକୁଦା-ଏରସମାରେ ରାଜନେଅତିକ ଚର୍ଚ୍ଚା ଅଧିକ ଜୋର ଧରିଛି। ଏହି ଅବସରରେ ଡାକ୍ତର ରାଉତ ବିଜେଡି ସରକାରଙ୍କ ଉପରେ ବର୍ଷିବା ସହ ବାଲିକୁଦା-ଏରସମାରେ ବିଜେପି ନିଶ୍ଚିତଜିତିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର