ମୋଦି, ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ଦାମୋଦର

ମହାନଦୀ ସୁରକ୍ଷା ସମାବେଶ ସ୍ଥାନ ଚୟନକୁ ନେଇ ହଟଚମଟ

ଜଗତସିଂହପୁର : ବିଜେଡି ପକ୍ଷରୁ ରାଜ୍ୟବ୍ୟାପୀ ଚାଲିଥିବା ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ପାରାଦୀପରେ। ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ବିଜେଡି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ସଂକ୍ରାରେ ପୂର୍ବରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ବୈଠକକୁ ଆମନ୍ତ୍ରିତ ନହୋଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିବା ସ୍ଥାନୀୟ ବିଧାୟକ ଡାକ୍ତର ଦାମୋଦର ରାଉତ ଏବେ ଏହାକୁ ସଫଳ କରାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ସ୍ଥାନୀୟ ବିଜୁ ମଇଦାନରେ ଏହି କାର୍ଯ୍ୟକ୍ରମ କରାଯିବା ପାଇଁ ଯୋଜନା ଚାଲିଛି। ଖୁବଶ୍ରୀଘ୍ର କାର୍ଯ୍ୟକ୍ରମ ସଂପର୍କରେ ସବିଶେଷ ସୂଚନା ଦିଆଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ରାଉତ କହିଛନ୍ତି। କିନ୍ତୁ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସ୍ଥାନୀୟ ବିଜୁ ମେମୋରିଆଲ ଟ୍ରଷ୍ଟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ରାଉତ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଏବେ ଲୋକଙ୍କ କଥା ଚିନ୍ତା ନକରି କେବଳ ନିଜ ଦଳର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି। ଯେଉଁ ରାଜ୍ୟରେ ବିଜେପି ଶାସନରେ ନାହିଁ, ସେଠାରେ ଉନ୍ନତି ଦିଗରେ କେନ୍ଦ୍ର ସରକାର ଆଦୌ ପଦକ୍ଷେପ ନେଉ ନାହାନ୍ତି। ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ ନିର୍ମାଣ କରିଛି। ମିଛରେ ଶିଳ୍ପ ନିର୍ମାଣ ନାଁରେ ଛତିଶଗଡ଼ ସରକାର ଏହି ବ୍ୟାରେଜ ନିର୍ମାଣ କରିଛନ୍ତି। ଏହାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବ। ଏ ସଂପର୍କରେ କେନ୍ଦ୍ର ସରକାର ସବୁ ଜାଣି ମଧ୍ୟ ଛତିଶଗଡ଼ରେ ବିଜେପି ସରକାର ଥିବାରୁ ସେ ରାଜ୍ୟକୁ ସମର୍ଥନ କରୁଛନ୍ତି। ଏମିତିକି ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ବ୍ୟକ୍ତିମାନେ ମଧ୍ୟ ଚୁପ୍‌ ବସିଛନ୍ତି ବୋଲି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆକ୍ଷେପ କରି ଶ୍ରୀ ରାଉତ କହିଛନ୍ତି। ମହାନଦୀକୁ ବଞ୍ଚାଇବା ପାଇଁ ସବୁ ଓଡ଼ିଆ ଅଣ୍ଟା ଭିଡ଼ିବା ଉଚିତ୍‌ ବୋଲି ସେ କହିଛନ୍ତି। ବିଜୁ ମେମୋରିଆଲ ଟ୍ରଷ୍ଟ କାର୍ଯ୍ୟକାରୀ ସଭାପତି ତଥା ପାରାଦୀପ ନଗର ବିଜେଡି ସଭାପତି ସମୁନ୍ତ ବିଶ୍ୱାଳ, ମୁଖ୍ୟମନ୍ତ୍ରୀଙ୍କ ପାରାଦୀପ ଗସ୍ତ ସମ୍ପର୍କରେ ଆଲୋଚନା କରିବା ସହ ବିଜୁ ମଇଦାନ ଏହି କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ସ୍ଥାନ ବୋଲି ମତ ଦେଇଥିଲେ।

ବିଧାୟକ ଡକ୍ଟର ଶ୍ରୀ ରାଉତଙ୍କ ଏହି ସାମ୍ବାଦିକ ସମ୍ମିଳନୀ ପରେ ପାରାଦୀପରେ ଦାମଙ୍କ ବିରୋଧୀମାନଙ୍କର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ପୂର୍ବରୁ ବିଜେଡିର ଅନ୍ୟ ଏକ ଗୋଷ୍ଠୀ ଏହି ଉଦ୍‌ଯାପନ କାର୍ଯ୍ୟକ୍ରମ ଭୂତମୁଣ୍ଡେଇ ପୋଲ ନିକଟରେ କରାଯିବ ବୋଲି ମତ ରଖୁଥିଲେ। ହଠାତ୍‌ ଦାମଙ୍କ ଏହି ସାମ୍ବାଦିକ ସମ୍ମିଳନୀ ପରେ କାର୍ଯ୍ୟକ୍ରମ ଆୟୋଜନର ସ୍ଥାନକୁ ନେଇ ରାଜନୈତିକ ହଟଚମଟ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର