ଯୋଜନା ଧୂଆଁବାଣ:୧୦ ହଜାର ଚାଷୀ ବାଦ୍‌, ବେପାରୀ ମାଲାମାଲ୍‌

୭ଲକ୍ଷ କ୍ୱିଣ୍ଟାଲ ଅଭାବୀ ବିକ୍ରି

ଜଗତସିଂହପୁର ଟାଉନ୍‌, ୪/୬(ଇମିସ): ସରକାର ପ୍ରତିବର୍ଷ ଯୋଗାଣ ବିଭାଗ ଜରିଆରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ଧାନ ମଣ୍ଡି ଖୋଲି ଚାଷୀଙ୍କଠାରୁ ଧାନ କିଣୁଛନ୍ତି। ଏହାଦ୍ୱାରା ଅଭାବୀ ବିକ୍ରି ବନ୍ଦ ହେବା ସହିତ ସେମାନଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଯାଇପାରିବ। ହେଲେ, ସରକାରଙ୍କ ଏହି ଯୋଜନା ଜଗତସିଂହପୁରରେ ଧୂଆଁବାଣ ସାବ୍ୟସ୍ତ ହୋଇଛି। କେବଳ ଗତ ଦୁଇବର୍ଷରେ ୧୦ ହଜାରରୁ ଅଧିକ ଚାଷୀ ମଣ୍ଡିରେ ନାମ ପଞ୍ଜୀକୃତ କରିଥିଲେ ବି ମଣ୍ଡିକୁ ନଯାଇ ପ୍ରାୟ ୭ଲକ୍ଷ କ୍ୟୁଣ୍ଟାଲ ଧାନ ବେପାରୀଙ୍କୁ ଅଭାବୀ ବିକ୍ରି କରିଛନ୍ତି। ଧାନ ମଣ୍ଡିର ସମସ୍ୟା, ମିଲର୍‌ ଅଭାବ, ସରକାର ତଥା ଜିଲ୍ଲା ପ୍ରଶାସନର ଉନାସିନତା ଯୋଗୁଁ ସେମାନେ ବାଧ୍ୟହୋଇ ଫସଲକୁ ଶାଗ ମାଛ ଦରରେ ବିକ୍ରି କରିଛନ୍ତି। ଏହା, ଚାଷୀମାନଙ୍କ ଆର୍ଥିକ ସ୍ଥିତିକୁ ବ୍ୟାପକ ଭାବେ ପ୍ରଭାବିତ କରିଛି।
ଯୋଗାଣ ବିଭାଗ ତଥ୍ୟ ମୁତାବକ, ୨୦୧୫-୧୬ରେ ଜିଲ୍ଲାରେ ୯୯ଟି ମଣ୍ଡିରେ ୫୧ ଜଣ ମିଲର ଧାନ କ୍ରୟ କରିଥିଲେ। ହେଲେ, ଧାର୍ଯ୍ୟ ଲକ୍ଷ୍ୟ ୧୨ ଲକ୍ଷ ୪୩ ହଜାର ୯୬୫କ୍ୟୁଣ୍ଟାଲରୁ ମାତ୍ର ୭ ଲକ୍ଷ ୯୩ ହଜାର କ୍ୟୁଣ୍ଟାଲ କିଣାଯାଇଥିଲା। ଏହି କାରଣରୁ ଚାଷୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡି଼ଥିଲା। ହେଲେ, ୨୦୧୬-୧୭ ମସିହାରେ ସରକାର ସେଥିପ୍ରତି ଗୁରୁତ୍ଵ ଦେଇନଥିଲେ। ଅଧିକ ସଂଖ୍ୟକ ମିଲର ଆଣିବା ପରିବର୍ତ୍ତେ ପ୍ରଥମେ ୨୨ଟି ମିଲର ଓ ପରେ ସେଥିରେ ଆଉ ୬ଟି ମିଲର ସାମିଲ୍‌ ହୋଇଥିଲେ। ସେମାନେ ଗାଡ଼ି ମିଳୁନଥିବା ଦର୍ଶାଇ ଧାନ ନେବାରେ ବିଳମ୍ବ କରିଥିଲେ ଓ ଧାନ ମଣ୍ଡି ବନ୍ଦ ହୋଇ ଯାଇଥିଲା। ଜଳସେଚିତ ଏକର ପିଛା ୧୮ କ୍ୟୁଣ୍ଟାଲ ଏବଂ ଅଣ-ଜଳସେଚିତ ୧୨ କ୍ୟୁଣ୍ଟାଲ ଲକ୍ଷ୍ୟ ରଖାଯାଇ ତଥା ମୁଣ୍ଡପିଛା ୩ କ୍ୟୁଣ୍ଟାଲ ବାଦ ଦେବା ପରେ ୧୦ଲକ୍ଷ ୪୦୨୮ କ୍ୟୁଣ୍ଟାଲ ଧାନ ବଳକା ରହିଥିଲା। ସେଥିରୁ ସରକାର ୯ ଲକ୍ଷ ୫୫ହଜାର ୮୮୨ କ୍ୟୁଣ୍ଟାଲ ଧାନ କିଣିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ମିଲର ସମସ୍ୟା, ମଣ୍ଡିରେ ଅନିୟମିତତା, ଜିଲ୍ଲା ପ୍ରଶାସନ ତଥା ଯୋଗାଣ ବିଭାଗର ଉଦାସିନତା ଯୋଗୁଁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ ହୋଇନଥିଲା। ୨୬,୨୧୮ଜଣ ପଞ୍ଜୀକୃତ ଚାଷୀଙ୍କ ଭିତରୁ ୩,୨୭୩ ଚାଷୀ ମଣ୍ଡିରେ ଧାନ ଦେଇ ପାରିନଥିଲେ। ପାଖାପାଖି ୨ଲକ୍ଷ କ୍ୟୁଣ୍ଟାଲ୍‌ ଧାନ ଶାଗମାଛ ଦରରେ ବାହାରେ ବିକ୍ରି ହୋଇଥିଲା। ସେହିପରି ୨୦୧୭-୧୮ ମସିହାରେ ମଧ୍ୟ ମିଲର୍‌ ସମସ୍ୟାର ସମାଧାନ ହୋଇ ପାରିନଥିଲା। ବରଗଡ଼ରୁ ୨୯, ପୁରୀରୁ ଗୋଟିଏ ଏବଂ ଜଗତସିଂହପୁରର ଗୋଟିଏ ମିଲର ଧାନ ସଂଗ୍ରହ କରିଥିଲେ। ପୂର୍ବବର୍ଷର ୨୪,୨୧୩ ଜଣ ଚାଷୀଙ୍କ ସମେତ ନୂତନ ଭାବେ ୭,୨୧୪ ଜଣ ନୂଆ ଚାଷୀଙ୍କୁ ମିଶାଇ ମୋଟ ୩୧,୪୨୭ ଜଣ ଚାଷୀ ନାମ ପଞ୍ଜୀକରଣ କରିଥିଲେ। ମୋଟ ୧୩ ଲକ୍ଷ ୩୪ ହଜାର ୯୫୬.୮୪ କ୍ୟୁଣ୍ଟାଲରୁ ସରକାର ୩ଟି ପର୍ଯ୍ୟାୟରେ ୯ଲକ୍ଷ ୪୮ ହଜାର ୫୨୯.୯୪ କ୍ୟୁଣ୍ଟାଲ ଧାନ ସଂଗ୍ରହ କରିବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ, ସରକାରୀ ହିସାବରେ ୮ ଲକ୍ଷ ୨୭ ହଜାର ୨୫୭.୫୫ କୁଇଣ୍ଟାଲ୍‌ ଧାନ କିଣାଯାଇଛି। ୭,୩୮୪ ଜଣ ଚାଷୀ ପ୍ରାୟ ୫ଲକ୍ଷ କ୍ୟୁଣ୍ଟାଲ୍‌ ଧାନ ଅଭାବୀ ବିକ୍ରି କରିଛନ୍ତି।
ଗତ ଦୁଇବର୍ଷରେ ଜିଲ୍ଲାରେ ୧୦,୬୫୭ ଜଣ ଚାଷୀ ମଣ୍ଡିରେ ଧାନ ଦେଇନପାରି ୭ ଲକ୍ଷ ୯ହଜାର ୬୪୭.୯୩୯ କ୍ୟୁଣ୍ଟାଲ୍‌ ଧାନ ଅଭାବୀ ବିକ୍ରି କରିଛନ୍ତି। ଏହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ବିଭିନ୍ନ ଚାଷୀ ସଙ୍ଗଠନ ସରକାରଙ୍କୁ ଏନେଇ ଘେରିବାକୁ ଯୋଜନା କରୁଛି। ଆଗାମୀ ଦିନରେ ଚାଷୀଙ୍କ ଉତ୍ପାଦିତ ଧାନକୁ ସରକାର ନେବା ପାଇଁ ଉପଯୁକ୍ତ ବନ୍ଦୋବସ୍ତ ନକଲେ ନବନିର୍ମାଣ କୃଷକ ସଙ୍ଗଠନ ଏବଂ ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର