ଡେରା ପଞ୍ଚାୟତରେ ଦୁର୍ନୀତି:୫ଟି ପ୍ରକଳ୍ପରେ ଦୁଇ ଥର ଲେଖାଏଁ ବିଲ୍‌

ରାଜନଗର: ରାଜନଗର ବ୍ଲକ ଡେରା ପଞ୍ଚାୟତରେ ଉନ୍ନୟନମୂଳକ କାମ ନାଁରେ ମିଥ୍ୟା ବିଲ୍‌ କରାଯାଇଛି। ଗୋଟିଏ କାମକୁ ଥରେ କରାଯାଇ ଦୁଇଦୁଇଟି ଯୋଜନାରେ ଅନୁଦାନ ଅର୍ଥକୁ ଲୁଟି ନିଆଯାଇଛି। ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ଏହି ହରିଲୁଟ୍‌ ହୋଇଛି। ୫ଟି ପ୍ରକଳ୍ପ କାମରେ ଦୁଇ ଦୁଇଥର ଲେଖାଏଁ ବିଲ୍‌ ହୋଇଥିବା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଛି। ୨୪ ହଜାରରୁ ୪୫ ହଜାର ଟଙ୍କା ଲେଖାଏଁ କଂକ୍ରିଟ୍‌ ରାସ୍ତା ଦର୍ଶାଇ ଏହି ଅର୍ଥ ଲୁଟ୍‌ କରାଯାଇଛି।
ରାଜନଗର ବ୍ଲକ ଡେରା ପଞ୍ଚାୟତରେ ୨୦୧୨ରୁ ୨୦୧୭ ମଧ୍ୟରେ ପଞ୍ଚାୟତକୁ ଆସିଥିବା ଟିଏଫ୍‌ସି (ତ୍ରୟୋଦଶ ଅର୍ଥ କମିଶନ) ଓ ଏସ୍‌ଏଫ୍‌ସି(ରାଜ୍ୟ ଅର୍ଥ କମିଶନ) ଅର୍ଥକୁ ବ୍ୟାପକ ହରିଲୁଟ କରାଯାଇଛି। ସମାନକାମକୁ ଦୁଇ ଦୁଇଟି ଯୋଜନା ଅର୍ଥ ବିଲ୍‌ କରାଯାଇ ସରକାରୀ ଅର୍ଥ ଲୁଟ୍‌ କରାଯାଇଛି। ଅଭିଯୋଗ ମୁତାବକ, ରାଜନଗର ଗୁପ୍ତି ପୂର୍ତ୍ତ ବିଭାଗ ରାସ୍ତାଠାରୁ କାଠପାଙ୍ଗରା ଓ ପୂର୍ତ୍ତ ବିଭାଗ ରାସ୍ତାଠାରୁ ବଧି ଯାଏଁ ରାସ୍ତାର ଢଳେଇକରଣ କାର୍ଯ୍ୟ, ବାତ୍ୟା ଆଶ୍ରୟସ୍ଥଳ ସଂଯୋଗୀକରଣ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କରାଯାଇଛି। ମାତ୍ର ଡେରା ପଞ୍ଚାୟତର ଟିଏଫ୍‌ସି ପାଣ୍ଠିରୁ ୨୦୧୫ ସେପ୍ଟେମ୍ବର ୩୦ରେ କାଠପାଙ୍ଗରାଠାରୁ ପୂର୍ତ୍ତବିଭାଗ ରାସ୍ତା ଯାଏଁ ୪୧ ହଜାର ୬୯୦ ଟଙ୍କା ଓ ବଧିଠାରୁ ପୂର୍ତ୍ତ ବିଭାଗ ରାସ୍ତା ପର୍ଯ୍ୟନ୍ତ ଢଳେଇକରଣ ନାଁରେ ୪୧ ହଜାର ୬୯୦ଟଙ୍କା ଲୁଟି ନିଆଯାଇଛି। ପଞ୍ଚାୟତ ପକ୍ଷରୁ ବିଲ୍‌ କରାଯାଇଥିବା ତାରିଖର ବହୁ ପୂର୍ବରୁ ବାତ୍ୟା ଆଶ୍ରୟସ୍ଥଳୀ ସଂଯୋଗୀକରଣ ରାସ୍ତା ନିର୍ମାଣ କରାଯାଇଥିବା ବେଳେ ଉକ୍ତ ରାସ୍ତାକୁ ଦେଖାଇ ପଞ୍ଚାୟତ ପକ୍ଷରୁ ମିଥ୍ୟା ବିଲ୍‌ କରାଯାଇଛି। ଏଥିସହ ମୁଗକଣି ଗ୍ରାମର କଂକ୍ରିଟ୍‌କରଣ ବାବଦରେ ଏସ୍‌ଏଫ୍‌ସି ପାଣ୍ଠିରୁ ୩ ଜୁଲାଇ ୨୦୧୩ରେ ଏକ ଲକ୍ଷ ୯୮ ହଜାର ୨୫ଟଙ୍କା ବିଲ୍‌ କରାଯାଇଥିବା ବେଳେ ୧୫ ଜୁଲାଇ ୨୦୧୬ରେ ମୁଗକଣି ଠାରୁ ରାସ୍ତା ପର୍ଯ୍ୟନ୍ତ ଢଳେଇ କରଣ କାର୍ଯ୍ୟ ଦେଖାଇ ଟିଏଫ୍‌ସି ପାଣ୍ଠିରୁ ୪୫ ହଜାର ୪୭୯ ଟଙ୍କା ବିଲ୍‌ କରାଯାଇଛି। ସେହିପରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ସାମ୍‌ନା ଢଳେଇକରଣ ବାବଦରେ ୩ଥର ବିଲ୍‌ କରାଯାଇଛି। ୨୭ ଅଗଷ୍ଟ ୨୦୧୩ରେ ଏସ୍‌ଏଫ୍‌ସି ପାଣ୍ଠିରୁ ୪୦ହଜାର ୭୫୦ ଟଙ୍କା ଓ ୪୩ ହଜାର ୧୯୯ ଟଙ୍କା ବିଲ୍‌ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକୁ ଦେଖାଇ ଟିଏଫ୍‌ସି ପାଣ୍ଠିରୁ ପଞ୍ଚାୟତନିର୍ବାହୀ ଅଧିକାରୀଙ୍କ ନାଁରେ ୧ ଫେବୃଆରି ୨୦୧୪ରେ ୪୭ ହଜାର ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ସେହିପରି ଜୁଣପାଙ୍ଗରା ସ୍କୁଲ ପରିସରରେ ଢଳେଇକରଣ ପାଇଁ ୨୫ ଜାନୁଆରି ୨୦୧୬ରେ ଏସ୍‌ଏଫ୍‌ସି ପାଣ୍ଠିରୁ ୪୫ ହଜାର ୬୯୮ ଟଙ୍କା ଓ ୧୯ ସେପ୍ଟେମ୍ବର ୨୦୧୬ରେ ଟିଏଫ୍‌ସି ପାଣ୍ଠିରୁ ୨୪ ହଜାର ୭୫୩ ଟଙ୍କା ବିଲ୍‌ କରାଯାଇଛି। ପରିପାଙ୍ଗରାଠାରୁ ଜୁଣପାଙ୍ଗରା ପର୍ଯ୍ୟନ୍ତ କଙ୍କ୍ରିଟ୍‌ ରାସ୍ତା ରାଜନଗର ପଞ୍ଚାୟତ ସମିତି ପକ୍ଷରୁ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ନିର୍ମାଣ କରାଯାଇଛି । ମାତ୍ର ପରିପାଙ୍ଗରାଠାରୁ ଜୁଣପାଙ୍ଗରା ପର୍ଯ୍ୟନ୍ତ କଂକ୍ରିଟ୍‌ ରାସ୍ତା ନିର୍ମାଣ ଦର୍ଶାଇ ୨୪ ଡିସେମ୍ବର ୨୦୧୫ରେ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାଁରେ ୪୫ ହଜାର ୭୧୭ ଟଙ୍କା ବିଲ୍‌ କରାଯାଇଥିବା ଦର୍ଶାଯାଇଛି।
ଡେରା ପଞ୍ଚାୟତର ସନ୍ନ୍ୟାସୀ ରାଉତ ସୂଚନା ଅଧିକାର ଆଇନ୍‌ରେ ତଥ୍ୟ ଆଣିବା ପରେ ଏହି ଦୁର୍ନୀତି ସଂପର୍କରେ ଜିଲ୍ଲାପାଳ ରାଜନଗର ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ପଞ୍ଚାୟତରେ ମିଥ୍ୟା ବିଲ୍‌ କରାଯାଇଥିବାରୁ କେବଳ କ୍ୟାସ୍‌ବୁକ୍‌କୁ ବାଦ ଦେଲେ କାମ ଗୁଡିକର ଫାଇଲ୍‌ କିମ୍ବା କାଗଜପତ୍ର ପଞ୍ଚାୟତ କାର୍ଯ୍ୟାଳୟରେ ନ ଥିବା ସନ୍ନ୍ୟାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଡେରା ପଞ୍ଚାୟତରେ ଅନିୟମିତତା ହୋଇଥିବାରୁ ୨୦୧୨ରୁ ୨୦୧୭ ମସିହା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଅଡିଟ୍‌ ସହିତ ଭିଜିଲାନ୍ସ ତଦନ୍ତ କରିବାକୁ ଦାବି କରିଛନ୍ତି। ଏ ସଂପର୍କରେ ପୂର୍ବତନ ସରପଞ୍ଚ ଦେବେନ୍ଦ୍ର କୁମାର ଜେନାଙ୍କୁ ପଚାରିବାରୁ କୌଣସି ସ୍ଥାନରେ ମିଥ୍ୟା ବିଲ୍‌ କରାଯାଇନାହିଁ। କାମ ହୋଇଛି, ଜେଇ ବିଲ କରିଛନ୍ତି ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର