ବାଇକ୍ ଡିକି ଭାଙ୍ଗି ଦୁଇ ଲକ୍ଷ ଚୋରି

ପାରାଦୀପ:  ମଧ୍ୟାହ୍ନରେ ଜଣେ ଯୁବକଙ୍କ ବାଇକ୍ ଡିକି ଭାଙ୍ଗି ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପାରାଦୀପ ଥାନା ଅଧୀନ ବାଲିପ୍ଲଟ୍ ନିକଟରେ ଏହି ଘଟଣା ଘଟିଛି। ଚୋରି ଯାଇଥିବା ବ୍ୟକ୍ତିଙ୍କ ନାମ ସନାତନ ପାତ୍ର ଓ ସେ ତାରିଣୀଗଡ଼ାରେ ରହନ୍ତି। ଟ୍ରେଲର ବ୍ୟବସାୟ କରୁଥିବା ଶ୍ରୀ ପାତ୍ର ଆଜି ବ୍ୟାଙ୍କ୍‌ରୁ ଟଙ୍କା ଉଠାଇ ବାଲିପ୍ଲଟ୍‌ରେ ମାଛ କିଣୁଥିବା ବେଳେ ଦୁର୍ବୃତ୍ତମାନେ ଏମିତି କାଣ୍ତ ଘଟାଇଛନ୍ତି।
ପାରାଦୀପ ଥାନା ଆଇଆଇସି ରଜନୀକାନ୍ତ ସାମଲଙ୍କ ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନରେ ସନାତନ ବ୍ୟାଙ୍କ୍‌ରୁ ୨ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥବୋ ସମୟରେ ବାଲିପ୍ଲଟ୍‌କୁ ମାଛ କିଣିବା ପାଇଁ ଯାଇଥିଲେ। ଗାଡ଼ି ପାର୍କିଂ ସ୍ଥାନରେ ବାଇକ୍‌ ରଖି ସେ ମାଛ ମାର୍କେଟ୍‌ର ଅନେକ ଭିତରକୁ ମାଛ କିଣିବା ପାଇଁ ପଶି ଯାଇଥିଲେ। ଏହାର ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌ର ଡିକି ଭାଙ୍ଗି ସେଥିରେ ଥିବା ୨ ଲକ୍ଷ ଟଙ୍କା ନେଇ ଯାଇଥିଲା। ଏ ନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସିସିଟିଭି ଫୁଟେଜ୍‌କୁ ଯାଞ୍ଚ‌ କରି ତଦନ୍ତ ଆରମ୍ଭ କରିଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି। ସନାତନ ବ୍ୟାଙ୍କ୍‌ରୁ ଟଙ୍କା ଆଣିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ନଜର ରଖି ପିଛା କରିଥିବା ଅନୁମାନ କରାଯାଉଛି। ପରେ ସେମାନେ ସୁଯୋଗ ଦେଖି ଲୁଟ୍ କରିଥିବା ପୁଲିସ ଅନୁମାନ କରୁଛି। ତା’ଛଡ଼ା, ଜିଲ୍ଲା ବାହାରର ଗ୍ୟାଙ୍ଗ୍‌ ଏଥିରେ ସାମିଲ ଥିବାକୁ ମଧ୍ୟ ପୁଲିସ ଅନୁମାନ କରୁଛି। ସୂଚନାଯୋଗ୍ୟ, ଏମିତି ଏକ ଘଟଣା କିଛିମାସ ପୂର୍ବରୁ ମଧ୍ୟ ଘଟିଥିଲା। ସେତେବେଳେ ବ୍ୟାଙ୍‌କ୍‌ରୁ ଟଙ୍କା ଉଠାଇ ଫେରୁଥିବା ବେଳେ ବାଲିକୁଦା ଅଞ୍ଚଳର ଚନ୍ଦ୍ରମଣି ସ୍ବାଇଁଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ଉକ୍ତ ଲୁଟ୍ ମାମଲାର ତଦନ୍ତ କରୁ କରୁ ପୁଲିସ ତଦନ୍ତ ବ୍ରହ୍ମପୁରର ଏରାଗୁଲା ଗ୍ୟାଙ୍ଗ୍‌ ନିକଟରେ ପହଞ୍ଚିଥିଲା। ଖୋଳତାଡ଼ ଓ ଚଢ଼ାଉ କରି ପୁଲିସ ଏରାଗୁଲା ଗ୍ୟାଙ୍ଗ୍‌ର ୫ ଜଣ ସଦସ୍ୟଙ୍କୁ ଗିରଫ କରିଥିଲା। ଅନ୍ୟ ଏକ ଘଟଣାରେ ଗତ ହୋଲି ସମୟରେ ଦୁଇଜଣ ମହିଳାଙ୍କୁ ଭୁଜାଲି ଦେଖାଇ ଦୁଇଜଣ ଦୁର୍ବୃତ୍ତ ୩ଟି ସୁନା ଚେନ ଲୁଟି ନେଇଥିଲେ। ଏ ସମସ୍ତ ଅପରାଧକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସପ ପୁଲିସ ତୁରନ୍ତ ଅପରାଧୀଙ୍କୁ ଧରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର