ରାତି ଅଧରେ ଫେରାଇ ଦେଲେ ଡାକ୍ତର!:ରାସ୍ତାକଡରେ ପଡ଼ି ଛଟପଟ ହେଲେ ଗର୍ଭବତୀ

ଜଗତସିଂହପୁର ସଦର: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗତକାଲି ରାତ ପ୍ରାୟ ସାଢ଼େ ୧୨ଟା ବେଳେ ଜଣେ ଗର୍ଭବତୀ ପ୍ରସବ ନିମନ୍ତେ ଯାଇଥିଲେ। ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟକୁ ରେଫର୍‌ କରାଯାଇଥିଲା। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତାଙ୍କର ଆଡମିସନ୍‌ ଓ ଚିକିତ୍ସା ନକରି ରାତିଅଧରେ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ପ୍ରସୂତିଜଣକ ରାସ୍ତାକଡ଼ର ଏକ ଡଷ୍ଟ୍‌ବିନ୍‌ ନିକଟରେ ସପ ପକାଇ ରାତିତମାମ୍‌ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଭୋର୍‌ ସମୟରେ ସେହି ବାଟ ଦେଇ ଯାଉଥିବା କେତେଜଣ ଲୋକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ କଟକ ବଠାଇବାର ବ୍ୟବସ୍ଥା କରିଥିଲେ।
ମିଳିଥିବା ଖବର ମୁତାବକ, ବାଲିକୁଦା ବ୍ଲକ ଅର୍ନ୍ତଗତ ଅନନ୍ତପୁର ପଞ୍ଚାୟତ ଖଡ଼ିକାଦଣ୍ଡା ଗ୍ରାମର ପ୍ରସୂତି ବନିତା ସେନାପତି ସନ୍ତାନ ପ୍ରସବ ନିମନ୍ତେ ବାଲିକୁଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ସେଠାରୁ ତାଙ୍କୁ ଜଗତସିଂହପୁର ଜିଲ୍ଲା ଚିକିତ୍ସାଳୟକୁ ପଠାଯାଇଥିଲା। ରାତି ପ୍ରାୟ ୧୨ଟା ବେଳେ ସେ ଡାକ୍ତରଖାନାରେ ପହଞ୍ଚିଥିଲେ ବି ତାଙ୍କର ଦାଖିଲା ନିଆଯାଇନଥିଲା। ତାଙ୍କର ଚିକିତ୍ସା କରାଯାଇ ପାରିବ ନାହିଁ ବୋଲି ରାତି ଡ୍ୟୁଟିରେ ଥିବା ଡାକ୍ତର ଓ ନର୍ସମାନେ କହି କଟକ ପଳାଇବାକୁ କହିଥିଲେ। ସେ ବାରମ୍ବାର ଅନୁରୋଧ କରିବାରୁ ତାଙ୍କୁ ଚିକିତ୍ସାଳୟ ବାହାରକୁ ବିଦା କରି ଦେଇଥିଲେ। ପୂସୂତିଙ୍କ ସହ କେହି ପୁରୁଷ ଲୋକ ନଥିବାରୁ ରାତିରେ କଟକ ଯିବା ସମ୍ଭବ ହୋଇନଥିଲା। ସେ ନିରୁପାୟ ହୋଇ ରାସ୍ତାକଡରେ ଥିବା ଏକ ଡଷ୍ଟବିନ ନିକଟରେ ସପ ପକାଇ ଶୋଇ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଭୋର ସମୟରେ ସେହି ବାଟଦେଇ ଯାଉଥିବା କେତେଜଣ ଲୋକ ତାଙ୍କୁ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଏକ ଆମ୍ବୁଲାନ୍ସ ଡକାଇଥିଲେ ଓ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ପଠାଇଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାତିରେ ଆସୁଥିବା ଗର୍ଭବତୀଙ୍କୁ ଚିକିତ୍ସାରେ ସହଯୋଗ କରାନଯିବା ପଛର କାରଣ କ’ଣ ତାହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର