ବନ୍ଦର କର୍ତ୍ତୃପକ୍ଷ ନିରବଦ୍ରଷ୍ଟା :ପୋତି ହେଲାଣି ଡ୍ରେନ୍‌, ମ୍ୟାନ୍‌ ହୋଲ୍‌ ଖୋଲା

ଜଗତସିଂହପୁର: ପାରାଦୀପକୁ ସ୍ମାର୍ଟ ସିଟି କରିବା ପାଇଁ ଅନେକ ଯୋଜନା ଚାଲିଛି। ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଦେଶରେ ଦ୍ଵିତୀୟ ସ୍ଥାନ ଅଧିକାର କରିଛି। ମାତ୍ର ଏପଟେ ସହରର ଅବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଛି। ସହର ଭିତରର ଡ୍ରେନ୍‌ ହିଁ ସବୁଠାରୁ ବଡ଼ ସମସ୍ୟା ପାଲଟିଛି। ଡ୍ରେନ୍‌ଗୁଡ଼ିକ ପୋତିହୋଇ ଯାଇଥିବାରୁ ଅସରାଏ ବର୍ଷା ହେଲେ ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଏହାସହ ସହରର ମୁଖ୍ୟ ଛକରେ ମାସକରୁ ଅଧିକ ସମୟ ତଳୁ ମ୍ୟାନ୍‌ ହୋଲ୍‌ ଖୋଲା ଅବସ୍ଥାରେ ପଡ଼ି ରହିଛି। ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବାରୁ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କାଳ ବୈଶାଖୀ ବର୍ଷାରେ ବି ପାରାଦୀପ ବଜାର ରାସ୍ତା ଉପରେ ପାଣି ଲହଡ଼ି ଖେଳୁଛି। ଏହା ଫଳରେ ଲୋକେ ଯାତାୟତରେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହରରେ ଡ୍ରେନେଜ୍‌ ସମସ୍ୟା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି। ମୁଖ୍ୟ ଡ୍ରେନ୍‌ଗୁଡ଼ିକ ପୋତି ହୋଇଯାଇଥିବା ବେଳେ ତାହାକୁ ସଫା କରିବାଅଥବା ମରାମତି କରିବାକୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ। ବଡ଼ପଡ଼ିଆ ବଜାର ନିକଟରେ ଥିବା ମୁଖ୍ୟ ଡ୍ରେନ୍‌ ଅବସ୍ଥା ଦୀର୍ଘଦିନ ଧରି ସଫା କରାଯାଇ ନାହିଁ। ଅଳିଆ ଆବର୍ଜନା ପଡ଼ି ଡ୍ରେନ୍‌ଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡ୍ରେନ୍‌ରେ ପାଣି ଯାଇ ପାରୁନାହିଁ। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବି କିଛି ସୁଫଳ ମିଳୁନାହିଁ।

ବର୍ତ୍ତମାନ କାଳବୈଶାଖୀ ବର୍ଷାରେ ସହରର ଅବସ୍ଥା ଏପରି ହେଉଥିବା ବେଳେ ବର୍ଷାଦିନର ଲଗାଣ ବର୍ଷା ବେଳେ ସହରର ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମାନ କରାଯାଇପାରେ। ପୂର୍ବ ବର୍ଷଗୁଡ଼ିକରେ ବର୍ଷାଋତୁ ସମୟରେ ସହରର ବିଭିନ୍ନ ଗଳିିରେ ପାଣି ଜମା ହୋଇ ରହୁଥିବାର ନଜର ହୋଇଛି। ସହରର ଏଭଳି ଅବସ୍ଥା ପରେ ବି କର୍ତ୍ତୃପକ୍ଷ ଚେତୁନଥିବାରୁ ପରିସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ସହରରେ ପ୍ରତିବର୍ଷ ନୂଆ ଡ୍ରେନ୍‌ ନିର୍ମାଣ ଚାଲିଥିବା ବେଳେ ପୁରୁଣା ଡ୍ରେନ୍‌ଗୁଡ଼ିକୁ ସଜାଡ଼ିବା ପାଇଁ ପଦକ୍ଷେପ ନିଆଯାଉ ନାହିଁ। କେଇଦିନ ତଳେ ସାଇ ମନ୍ଦିର ନିକଟରେ ନିର୍ମାଣ କରାଯାଇଥିବା ନୂଆ ଡ୍ରେନ୍‌ରେ ବି ପାଣି ଚଳାଚଳ କରିପାରୁ ନାହିଁ। ମନ୍ଦିର ଓ ଡ୍ରେନ୍‌ ନିର୍ମାଣ ସ୍ଥାନ ମଧ୍ୟରେ ସମସ୍ୟା ଥିବା କାରଣରୁ ଏହାକୁ ମୁଖ୍ୟ ଡ୍ରେନ୍‌ ସହ ସଂଯୋଗ କରାଯାଇ ନାହିଁ।
ସହରର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଜୟଦେବ ସଦନ ଛକ। ଏହି ଛକଦେଇ ସ୍କୁଲ, କଲେଜ, ସମସ୍ତ ବ୍ୟାଙ୍କ୍‌ ଓ ପୌର କାର୍ଯ୍ୟାଳୟକୁ ସାଧାରଣ ଲୋକେ ଯାତାୟତ କରିଥାଆନ୍ତି। ହେଲେ, ମାସକରୁ ଅଧିକ ସମୟ ଧରି ଏହି ଛକଦେଇ ନିର୍ମାଣ କରାଯାଉଥିବା ପାଇପଲାଇନ ଏବେ ବି ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି। ସେଠାରେ ଏକ ‘ମ୍ୟାନ୍‌ ହୋଲ୍‌’ ଖୋଲା ଥିବା ବେଳେ ଅତ୍ୟନ୍ତ ବିପଦ୍‌ଜନକ ଅବସ୍ଥାରେ ପାଇପଲାଇନ ପାଇଁ ରଡ୍‌ ପଡ଼ି ରହିଛି। ଏହି ସମ୍ୟାର ସମାଧାନ ପାଇଁ ନା’ ବନ୍ଦର ଯନ୍ତ୍ରୀ ନା’ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ଠିକାଦାର ଚିନ୍ତା କରୁଛନ୍ତି। ସାଧାରଣ ଲୋକଙ୍କ ସମସ୍ୟାକୁ ସେମାନେ ସମ୍ପୂର୍ଣ୍ଣ ଭୁଲି ଯାଇଛନ୍ତି। ଏହି ମ୍ୟାନ୍‌ହୋଲ୍‌ରେ ପଡ଼ି କାହାର ଯଦି କୌଣସି କ୍ଷତି ହୁଏ, ତେବେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏଣୁ ବନ୍ଦର କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର