ମାତ୍ରାଧିକ ସାରର ପ୍ରଭାବ:ଫୁଲକୋବି ପାଲଟିଛି ବିଷ

ପାରାଦୀପ: ଶୀତଦିନର ପ୍ରମୁଖ ପରିବା କହିଲେ ବନ୍ଧାକୋବି ଓ ଫୁଲକୋବିକୁ ବୁଝାଏ। ହାଣ୍ଡିଶାଳରେ ବିଶେଷ ଗୁରୁତ୍ଵ ବହନ କରୁଥିବା ଫୁଲକୋବିକୁ ନେଇ ଏବେ ସାଧାରଣରେ ଆଶଙ୍କା ସୃଷ୍ଟି ହୋଇଛି। ଅଧିକ ରସାୟନିକ ସାର ବ୍ୟବହାର ହେଉ ଅଥବା ବିଷାକ୍ତ ପୋକ ଯୋଗୁଁ ହେଉ; ଏହାକୁ ଖାଇ ବହୁ ଲୋକ ଅସୁସ୍ଥ ହୋଇ ପଡ଼ୁଥିବା ଅଭିଯୋଗ ହୋଇଛି। ଏଣୁ ବଜାରରୁ ଫୁଲକୋବି କିଣିବା ପାଇଁ ଖାଉଟି ଏବେ ଭୟ କଲେଣି। ଏହାକୁ ନେଇ ଗତ କିଛିଦିନ ହେଲା ବଜାରରେ ଚର୍ଚ୍ଚା ଜୋର୍‌ ଧରିଛି।
ଲୋକମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଥିବାରୁ ରାସାୟନିକ ସାର ଓ ଔଷଧ ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସାର ଓ ଔଷଧ ବ୍ୟବହାରର ଅତି କମ୍‌ରେ ୧୨ଦିନ ପରେ ପରିବା ବ୍ୟବହାର କରିବା ପାଇଁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚାଷୀମାନଙ୍କୁ ପରାମର୍ଶ ଦିଆଯାଇଛି। ମାତ୍ର ଏହାକୁ ଚାଷୀମାନେ ମାନୁନଥିବା ଦେଖାଯାଉଛି। ଅଧିକ ପରିବା ଅମଳ ଓ ଆଖିକୁ ଭଲ ଦେଖାଯିବା ପାଇଁ ଚାଷୀମାନେ ପରିବାରେ ‘ମିଥାଇଲ ପାରାଥିଅନ’ ଭଳି ବିଷାକ୍ତ ଔଷଧ ବ୍ୟବହାର କରୁଛନ୍ତି। ଫୁଲକୋବି ଅଧିକ ଧଳା ଦେଖାଯିବା ସହ ବଡ଼ ଦେଖାଯିବା ପାଇଁ ଏହି ବିଷାକ୍ତ ଓଷଧ ବ୍ୟବହାର କରାଯାଉଛି। ବର୍ତ୍ତମାନ ଏହାକୁ ଖାଇବା ଦ୍ଵାରା ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକେ ଅସୁସ୍ଥ ହୋଇଥିବାର ଖବର ମିଳିଛି। ଗତ ୨୬ତାରିଖରେ ଏରସମା ବ୍ଲକ୍‍ ବଳେଇପୁର ପଞ୍ଚାୟତ ତନ୍ତିଆ ବାରବଟିଆର ସମୀର କୁମାର ଖଟୁଆଙ୍କ ପରିବାରର ୪ଜଣ ସଦସ୍ୟ ଦୁଲନା ଖଟୁଆ(୩୫), ସୋନାଲି ଖଟୁଆ(୧୧), ରୂପାଲି ଖଟୁଆ(୧୦) ଓ ସମୀର ଖଟୁଆ(୪୦) ଫୁଲକୋବି ଖାଇ ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି। ଫୁଲକୋବି ତରକାରୀ ଖାଇ ଝାଡ଼ାବାନ୍ତି ହେବାରୁ ସେମାନଙ୍କୁ ଗ୍ରାମବାସୀ ଏରସମା ମେଡ଼ିକାଲକୁ ଆଣିଥିଲେ। ସେହିପରି ଭୁବନେଶ୍ୱର ନୂଆପଲ୍ଲୀ ଅଞ୍ଚଳରୁ ପାରାଦୀପର ନିଜ ସମ୍ପର୍କୀୟଙ୍କ ଘର ବୁଲିବାକୁ ଆସିଥିବା ୨ଜଣ ମହିଳା ଫୁଲକୋବି ଖାଇ ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ରାଜଧାନୀର ଏକ ଘରୋଇ ହସ୍‍ପିଟାଲରେ ଭର୍ତ୍ତିି କରାଯାଇଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ଗଂଜାମ ଜିଲ୍ଲା ରମ୍ଭା ଥାନାର ପାନ୍ଥ ନିବାସ ସାହିରେ ଫୁଲକୋବି ତରକାରୀ ଖାଇ ୩ଜଣଙ୍କ ମୃତ୍ୟୁ ହୋଇଥିବା ଗଣମାଧ୍ୟମରୁ ଜାଣିବା ପରେ ଖାଉଟିମାନେ ବେଶ୍‍ ଭୟଭୀତ ହୋଇପଡ଼ିଛନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ସବୁଜ ପନିପରିବାରେ ମାତ୍ରାଧିକ ସାର ଓ ଔଷଧ ବ୍ୟବହାର କରିବା ଫଳରେ କାମଳ ରୋଗ, ଛାତି ଜଳାପୋଡ଼ା, ହୃଦୟଜନିତ ରୋଗ, ପେଟ ରୋଗ, ବାନ୍ତି ହେବା, ରକ୍ତଚାପ ହ୍ରାସ ପାଇବା ଓ ଦୁର୍ବଳ ଲାଗିବା ଭଳି ରୋଗ ହୋଇଥାଏ। ଏହାକୁ ଠିକ୍‍ ସମୟରେ ଚକିତ୍ସା କରାନଗଲେ ପରବର୍ତ୍ତୀ ଅବସ୍ଥାରେ ହୃଦରୋଗ, କିଡ୍‌ନି ଓ ମସ୍ତିଷ୍କରେ ଟ୍ୟୁମର ସୃଷ୍ଟି ହୁଏ। ସେହି କାରଣରୁ ଆଜିକାଲି ବହୁସଂଖ୍ୟକ ଲୋକ ବିଭିନ୍ନ ପ୍ରକାର ରୋଗରେ ପୀଡ଼ିତ ହେଉଛନ୍ତି। ଏଭଳି ପରିବା ଖାଇବା ଦ୍ଵାରା ଆମେ ପ୍ରତ୍ୟେକ ଦିନ ବିଷ ଖାଉଛୁ ବୋଲି ଡାକ୍ତରମାନେ କହିଛନ୍ତି। ଫଳରେ ଲୋକମାନଙ୍କ ଆୟୁଷ ଧୀରେ ଧୀରେ କମିବାରେ ଲାଗୁଛି। ଏଣୁ ଏ ଦିଗରେ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧିତ ଖବର