ଦରମା ମାଗିବାରୁ ଛଟେଇ; ଜିଲ୍ଳାପାଳଙ୍କୁ ଅଭିଯୋଗ

ଜଗତସିଂହପୁର ଟାଉନ୍‌: ବିଶ୍ୱନାଥପୁର ମଣ୍ଡିରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟରତ ନବଜ୍ୟୋତି ନାୟକ ମାସିକିଆ ଦରମା ମାଗିବାରୁ ତାଙ୍କୁ ଛଟେଇ କରି ଦିଆଯାଇଛି। ନ୍ୟାୟ ପାଇଁ ଧାଇଁ ଧାଇଁ ନିରାଶ ହେବା ପରେ ସେ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତ।
ଅଭିଯୋଗ ମୁତାବକ, ଏରସମା ବ୍ଲକ୍‌ କୋଠୀ ଗାଁର ନବଜ୍ୟୋତି ୨୦୧୬ ମସିହା ଜୁନ୍‌ ୨ ତାରିଖରୁ ବିଶ୍ୱନାଥପୁର ମଣ୍ଡିରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରି ଆସୁଥିଲେ। ଦୀର୍ଘଦିନ ଧରି କାମ କରିଥିଲେ ବି ତାଙ୍କୁ ଦରମା ମିଳୁନଥିଲା। ସମିତି କର୍ତ୍ତୃପକ୍ଷଙ୍କ ନିକଟରେ ନିଜ ପ୍ରାପ୍ୟ ପାଇଁ କହିବାରୁ ଉପରିସ୍ଥି କର୍ମଚାରୀ କହିଥିଲେ ଯେ, ସମିତି ସଂପାଦକଙ୍କ ଦେହ ଅସୁସ୍ଥ ଅଛି। ସେଥିପାଇଁ ଦରମା ଦିଆ ଯାଇପାରିବ ନାହିଁ। ସଂପାଦକଙ୍କ ଦେହ ସୁସ୍ଥ ହେବା ପରେ ନବଜ୍ୟୋତି ବେତନ ମାଗିଥିଲେ ବି ତାଙ୍କୁ ଦରମା ମଳିନଥିଲା।

ଏହାପରେ ସେ ବାଧ୍ୟ ହୋଇ ସଭାପତିଙ୍କୁ ଦେଖା କରି ନିଜ ପାରିଶ୍ରମିକ ମାଗିଥିଲେ। ସେଠାରୁ ନିରାଶ ହେବା ପରେ ନବଜ୍ୟୋତି ସମବାୟ ସମୂହର ସହକାରୀ ନିବନ୍ଧକଙ୍କୁ ଭେଟି ଗୁହାରି କରିଥିଲେ। ହେଲେ, ସେଠାରୁ ଦରମା ମିଳିବା ବଦଳରେ ସଭାପତିଙ୍କ ଅକ୍ରୋଶର ଶିକାର ହେବାକୁ ପଡ଼ିଥିଲା। ତାଙ୍କୁ ଉକ୍ତ ପଦବିରୁ ବେଆଇନ ଭାବେ ଛଟେଇ କରି ଦିଆଗଲା ବୋଲି ନବଜ୍ୟୋତି କହିଛନ୍ତି। ଏ ବାବଦରେ ନବଜ୍ୟୋତି ଜିଲ୍ଳାପାଳଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ଜିଲ୍ଳାପାଳ ଏହା ଉପରେ ପଦକ୍ଷେପ ନେବାକୁ ସହକାରୀ ନିବନ୍ଧକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ସହକାରୀ ନିବନ୍ଧକ ଜିଲ୍ଳାପାଳଙ୍କ ନିର୍ଦ୍ଦେଶକୁ ଶିଣି ଅଶୁଣା ରହି ଯାଇଥିଲେ। ସେହି କାରଣରୁ ଏବେ ନବଜ୍ୟୋତି ଜିଲ୍ଳାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ନ୍ୟାୟ ପାଇଁ ଏକାଧିକ ଥର ଗୁହାରି କରିଲେଣି। ବାରମ୍ବାର ନିରାଶ ହେଉଥିବାରୁ ସେ କହିଛନ୍ତି ଯେ, ‘ମୋ ରୋଜଗାରରେ ମୋ ପରିବାର ଚଳେ। କାମ କରିଥିବାରୁ ବେତନ ପାଇବା ମୋର ହକ୍‌। ମୁଁ କଣ ଭୁଲ୍‌ କଲି ଯେ, ମୋତେ ଚାକିରିରୁ ଛଟେଇ କରାଗଲା?’ ବୋଲି ସେ କୋହଭରା କଣ୍ଠରେ ପ୍ରଶ୍ନ କରିଛନ୍ତି। ଜିଲ୍ଲାପାଳ ଏହାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବାକୁ ସେ ଗୁହାରି କରିଛନ୍ତି।

ସମ୍ବନ୍ଧିତ ଖବର