ସରକାରୀ ରାସ୍ତାରେ ଘର ନିର୍ମାଣ:ରାସ୍ତାରେ ଶୋଇ ପ୍ରତିବାଦ

ବାଲିକୁଦା: ବାଲିକୁଦା ଥାନା ଅଧୀନ ବୋରିକିନା ପଞ୍ଚାୟତ ବାରିଲୋ ଗ୍ରାମରେ ସରକାରୀ ରାସ୍ତାରେ ପକ୍କାଗୃହ ନିର୍ମାଣ ବିବାଦକୁ ନେଇ ଆଜି ଏକ ପରିବାର ରାସ୍ତାରେ ଶୋଇ ରହି ଅଭିନବ ପ୍ରତିବାଦ କରିଥିଲେ। ଫଳରେ ବୋରିକିନା-ଜଗତସିଂହପୁର ରାସ୍ତାର ବୋରିକିନା ମୁଖ୍ୟ ବଜାର ନିକଟରେ ଯା’ଆସ ଏକପ୍ରକାର ବନ୍ଦ ହୋଇଯାଇଥିଲା। ବାଲିକୁଦା ପୁଲିସ ପହଞ୍ଚି ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା।
ସୂଚନା ମୁତାବକ, ବାରିଲୋ ଗ୍ରାମର ଜାହାଙ୍ଗୀର ଖାନ୍‌ ନିର୍ମାଣ କରୁଥିବା କୋଠାଘର ସରକାରୀ ରାସ୍ତାରେ ଥିବା ଦର୍ଶାଇ ଗ୍ରାମବାସୀ ବିରୋଧ କରିଥିଲେ। ପରେ ବାଲିକୁଦା ତହସିଲ ପକ୍ଷରୁ ଜମିର ମାପଚୁପ୍‌ ପାଇଁ ଗତ ନଭେମ୍ବର ୧୬ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ଏହି ଦିନ ବାଲିକୁଦା ଅତିରିକ୍ତ ତହସିଲଦାର ରତ୍ନାକର କାଣ୍ଡିଙ୍କ ଉପସ୍ଥିତିରେ ଜମି ମାପ କରାଯାଇଥିଲା। ହେଲେ, କେତେକ ବ୍ୟକ୍ତି ଏହାକୁ ବିରୋଧ କରିବା ସହ ଟାୟାର ଜାଳି ରାସ୍ତାରୋକ କରିବାରୁ ତହସିଲ ପକ୍ଷରୁ ସେଠାରେ ୧୪୪ଧାରା ଜାରି କରାଯାଇଥିଲା। ଫଳରେ ଉକ୍ତ ଜମିରେ ନିର୍ମାଣକାର୍ଯ୍ୟ ବନ୍ଦ ରହିଥିଲା।

ପୁନର୍ବାର ଅତିରିକ୍ତ ତହସିଲଦାର ଶ୍ରୀ କାଣ୍ଡିଙ୍କ ଉପସ୍ଥିତିରେ ସରକାରୀ ଅମିନ ଓ ଆରଆଇ ମାପଚୁପ ଆରମ୍ଭ କରିଥିଲେ। ଏହି ସମୟରେ ଜମିର ଉତ୍ତରଦକ୍ଷିଣ ଦିଗ ମାପକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା। ଏହାକୁ ବିରୋଧ କରି ଜାହାଙ୍ଗୀରଙ୍କ ପରିବାର ରାସ୍ତାରେ ଶୋଇରହି ପ୍ରତିବାଦ କରିଥିଲେ। ପରେ ପୁଲିସ୍‌ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।
ଅପରପକ୍ଷରେ ଜମି ମାପ ପରେ ତହସିଲ ପକ୍ଷରୁ ଲଗା ଯାଇଥିବା ସିମେଣ୍ଟ ଖୁମ୍ବକୁ ପରବର୍ତ୍ତୀ ସମୟରେ କେତେକ ଦୁର୍ବୃତ୍ତ ଓପାଡ଼ି ଘୁଞ୍ଚାଇ ଦେଇଥିବା ଜଣାଯାଇଛି। ଏ ସମ୍ପର୍କରେ ଜଣାପଡ଼ିିବା ପରେ ଜାହାଙ୍ଗୀରଙ୍କ ପରିବାର ସନ୍ଧ୍ୟାରେ ବାଲିକୁଦା ଥାନାରେ ଅଭିଯାଗ କରିଛନ୍ତି।

ସମ୍ବନ୍ଧିତ ଖବର