ଜଗତ୍‌ସିଂହପୁର: ବାଇକ୍‌-ହାଇଓ୍ଵା ଧକ୍କା ଯୋଗୁଁ ଜଣେ ମୃତ; ଜଣେ ଆହତ

ଜଗତ୍‌ସିଂହପୁର: ସୋମବାର ସକାଳେ ସଦର ନିକଟ ଯୋଗଧାରୀ ଠାରେ ବାଇକ୍‌ ଓ ହାଇଓ୍ଵା ଟ୍ରକ୍‌ ଧକ୍କା ଖାଇବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

ମୃତ ବାଇକ୍‌ ଆରୋହୀଜଣକ ହେଉଛନ୍ତି ବାଲିକୁଦା ଥାନା ଅଧୀନ ତେରତାଙ୍ଗ ଗ୍ରାମର ସୂର୍ଯ୍ୟକାନ୍ତ ଶତପଥୀ (ଦିପୁ)। ଆହତ ବାଇକ୍‌ ଆରୋହୀଜଣକ ହେଉଛନ୍ତି ବାଲିକୁଦା ଥାନା ଅଞ୍ଚଳର ଅଳାଭର ଗ୍ରାମର ମୁନା ଦାସ।

ଆଜି ଭୋର୍‌ରେ ଘନ କୁହୁଡ଼ି ଘୋଟିଥିଲା ଏବଂ ସକାଳ ପ୍ରାୟ ୫: ୩୦ ସମୟରେ ଯୁବକ ଦ୍ୱୟ ବାଇକ୍‌ ୫୫ ନମ୍ବର ଜାତୀୟ ରାଜପଥ (ଜଗତ୍‌ସିଂହପୁର-ମାଛଗାଁ) କଟକ ଅଭିମୁଖେ ଯାଉଥିଲେ। ଯୋଗଧାରୀ ଠାରେ ବିପରୀତ ପଟରୁ ଆସୁଥିବା ଗୋଟାଏ ହାଇଓ୍ଵା ଟ୍ରକ୍‌ ସହ ଧକ୍କା ଖାଇଥିଲେ। କୁହାଯାଉଛି କୁହୁଡ଼ି ଯୋଗୁଁ ଉଭୟ ଗାଡ଼ିର ଚାଳକମାନେ କେହି କାହାରିକୁ ଦେଖି ପାରି ନ ଥିଲେ।

ସାଙ୍ଘାତିକ ଅବସ୍ଥାରେ ଦୁଇ ଯୁବକଙ୍କୁ ଜଗତ୍‌ସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ପ୍ରାଥମିକ ଚିକିତ୍ସା ପରେ ଆହତ ଯୁବକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟି ଫେରାର ହୋଇ ଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର