ସ୍କୁଲ ଛାତ୍ରୀକୁ ଦୁଷ୍କର୍ମ, ହତ୍ୟା

ଶବ ରଖି ଦିନତମାମ୍‌ ରାସ୍ତାରୋକ

୫ ଲକ୍ଷ ଟଙ୍କା ସହାୟତା ଘୋଷଣା
କଟକରୁ ଧରାପଡ଼ିଲା ମୁଖ୍ୟ ଅଭିଯୁକ୍ତ

ଜଗତ୍‌ସିଂହପୁର/ଏରସମା : ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ହରିଶପୁର ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ମୃତ ନାବାଳିକା ଜଣକ ଚତୁର୍ଥ ଶ୍ରେଣୀର ଛାତ୍ରୀ। ଏହି ଘଟଣାକୁ ନେଇ ଆଜି ସମ୍ପୃକ୍ତ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ର୍ରକାଶ ପାଇଛି। ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ତଥା ପୀଡ଼ିତ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ଆଜି ଗ୍ରାମବାସୀମାନେ ଦିନତମାମ୍‌ ରାସ୍ତାରୋକ କରିଥିଲେ। ଫଳରେ ସକାଳ ୭ଟାରୁ ସଂଧ୍ୟା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ ହୋଇ ପାରିନଥିଲା। ଜିଲ୍ଲା ପ୍ରଶାସନ ସହ ଆଲୋଚନା ଓ କ୍ଷତିପୂରଣର ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଛି।

ମୃତ ନାବାଳିକା ଗତକାଲି ସବୁଦିନ ପରି ସ୍କୁଲରୁ ଫେରି ଗାଁ ଦାଣ୍ଡରେ ଖେଳୁଥିଲା। ମାତ୍ର ସଂଧ୍ୟାରେ ସେ ଆଉ ଘରକୁ ଫେରିନଥିଲା। ଘର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲେ। ରାତି ଅଧିକ ହୋଇଯିବାରୁ ତାଙ୍କ ବାପା ଆଉ କୌଣସି ଉପାୟ ନ ପାଇ ରାତି ପାହିଲେ ଥାନାକୁ ଯାଇ ରିପୋର୍ଟ କରିବେ ବୋଲି ସ୍ଥିର କରିଥିଲେ। ମାତ୍ର ଭୋର୍‍ ସମୟରେ କାଜୁ ବଗିଚାରେ ତାର ମୃତଦେହ ପଡ଼ିଥିବା ଖବର ମିଳିବାରୁ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଧାଇଁଥିଲେ।

ଖବର ପାଇ ଏରସମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ପୁଲିସ ସାଇଣ୍ଟିଫିକ୍‍ ଟିମ୍‍ ଓ ସନ୍ଧାନୀ କୁକୁର ମଧ୍ୟ ପହଞ୍ଚିଥିଲା। ସ୍ୱଳ୍ପ ସମୟ ମଧ୍ୟ ଏହି ଘଟଣା ବିଜୁଳି ବେଗରେ ବ୍ୟାପି ଯାଇଥିଲା ଓ ଏହାକୁ ନେଇ ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ସରପଞ୍ଚଙ୍କ ନେତୃତ୍ଵରେ ଶତାଧିକ ପୁରୁଷ ଓ ମହିଳା ଏକତ୍ର ହୋଇ ରାସ୍ତାରୋକ କରିଥିଲେ। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ତଥା ନାବାଳିକାର ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ସେମାନେ ଶବରଖି ରାସ୍ତାରୋକ କରିଥିଲେ। କ୍ଷତିପୂରଣ ତଥା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫର ପ୍ରତିଶ୍ରୁତି ମିଳିବା ପରେ ସଂଧ୍ୟାରେ ରାସ୍ତାରୋକ ହଟିଥିଲା।

ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହିତ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି। ଏଥିସହିତ, ଅପରାଧୀକୁ ତୁରନ୍ତ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶର କିଛି ଘଣ୍ଟା ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ କଟକରୁ ଗିରଫ କରାଯାଇଛି। ଏହି ମୁଖ୍ୟଅଭିଯୁକ୍ତ ହେଉଛି କାଳିଆ ମାନ୍ନା। ମୃତ ନାବାଳିକାଙ୍କ ବାପା ମଧ୍ୟ ଅଭିଯୋଗରେ କାଳିଆର ନାମ ଉଲ୍ଲେଖ କରିଥିଲେ। ଗତକାଲିଠାରୁ ସେ ଫେରାର୍‌ ହୋଇଯାଇଥିବାରୁ ତା’ ଉପରେ ପୁଲିସ୍‌ର ସନ୍ଦେହ କେନ୍ଦ୍ରୀଭୂତ ହୋଇଥିଲା।

କାଳିଆ କଲିକତାକୁ ପଳାଇବା ପାଇଁ କଟକ ବାଦାମବାଡ଼ିରେ ଥିବା ବେଳେ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ତାକୁ ଗିରଫ କରି ଜଗତସିଂହପୁର ଥାନାକୁ ଆଣି ପଚରାଉଚରା ଚଳାଇଛି। ପଚରାଉଚରା ପରେ ପ୍ରକୃତ ଘଟଣା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ଆଶା ରଖିଛି।

ସମ୍ବନ୍ଧିତ ଖବର