ପେଟ୍ରୋଲ ପକାଇ ଜାଳିଦେଲେ : ମା’ ମୃତ, ପୁଅ ଗୁରୁତର

ବାଲିକୁଦା : ଜଗତ୍‌ସିଂହପୁର ଜିଲ୍ଲା ବାଲିକୁଦାର ଓଗରପୁରଠାରେ ଏକ ଲୋମହର୍ଷଣ ଘଟଣା ଘଟିଛି। ଘରେ ଶୋଇଥିବାବେଳେ ଦୁର୍ବୃତ୍ତମାନେ ପେଟ୍ରୋଲ ପକାଇ ନିଆଁ ଲଗାଇଦେବାରୁ ପୁଅର ମୃତ୍ୟୁ ହୋଇଥିବାବେଳେ ତାଙ୍କ ବୃଦ୍ଧା ମା’ ଗୁରୁତର ଆହତ ହୋଇଛନ୍ତି। ଜମିଜମା ବିବାଦକୁ କେନ୍ଦ୍ରକରି ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି।

ମୃତ ବ୍ୟକ୍ତି ଜଣଙ୍କ ହେଲେ ପ୍ରଦୀପ୍ତ ଘୋଷ (୫୫ବର୍ଷ)। ଆହତ ରେଣୁବାଳା(୭୫ବର୍ଷ)ଙ୍କର ସେ ହେଉଛନ୍ତି ଜ୍ୟେଷ୍ଠପୁତ୍ର। ତାଙ୍କ ସାନଭାଇ ବିଶ୍ୱଜିତ୍‌ କଳାହାଣ୍ଡିରେ ଶିକ୍ଷକତା କରୁଥିବାବେଳେ ସେ ଅବିବାହିତ ଥିଲେ। ଗତ ବୁଧବାର ବିଳମ୍ବିତ ରାତିରେ ଉଭୟ ଶୋଇଥିବାବେଳେ କେହି ଦୁର୍ବୃତ୍ତ ଝରକା ଫାଙ୍କରେ ପେଟ୍ରୋଲ ଫିଙ୍ଗି ନିଆଁ ଲଗାଇ ଦେଇଥିଲେ। ଦରପୋଡ଼ା ଅବସ୍ଥାରେ ମା’ ରେଣୁକାଙ୍କ କରୁଣ ଚିତ୍କାରକୁ କେହି ଜଣେ ଶୁଣିଥିଲେ। ସେ ଅନ୍ୟମାନଙ୍କୁ ଡାକ ପକାଇଥିଲେ। ଘରର କବାଟ ଖୋଲି ସେମାନେ ରେଣୁକାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ପ୍ରଦୀପ୍ତଙ୍କର ମୃତ୍ୟୁ ହୋଇସାରିଥିଲା । ପରେ ଗାଁ ଲୋକେ ବାଲିକୁଦା ଥାନା ଓ ବାଲିକୁଦା ଅଗ୍ନିଶମ କେନ୍ଦ୍ରକୁ ଫୋନ ଯୋଗେ ସୂଚନା ଦେଇଥିଲେ ।

ଖବର ପାଇ ଅଗ୍ନିଶମ କେନ୍ଦ୍ରାଧିକାରୀ ପ୍ରହ୍ଲାଦ ରାୟ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚି ଅଧାଜଳା ଘରର କବାଟକୁ ଲିଭାଇଥିଲେ । ଘରଟି ଆଜବେଷ୍ଟସ ହୋଇଥିବାରୁ ଓ ଘର ଭିତରେ ବେଶିକିଛି ଗୃହ ଉପକରଣ ନ ଥିବାରୁ ନିଆଁ ଅନ୍ୟ ଆଡକୁ ବ୍ୟାପୀ ପାରି ନ ଥିଲା ।

ଜମିଜମା ବିବାଦକୁ କେନ୍ଦ୍ର କରି ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ମୃତ ପ୍ରଦୀପ୍ତଙ୍କ ଦାଦା ଘର ସହିତ ଦୀର୍ଘଦିନ ଧରି ଏହି ବିବଦା ଲାଗି ରହିଥିଲା। ଗତ ୩ ମାସ ତଳେ ଅନୁରୂପ ଭାବେ ଦୁହିଁଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ପଛେରେ ଦାଦା ଘରର ସମ୍ପୃକ୍ତି ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପୁଣିଥରେ ଏପରି ଘଟଣା ଘଟିବା ପଛରେ ସେମାନଙ୍କ ହାତ ରହିଥିବା ଅନୁମାନ କରାଯାଉଛି। ପୁଲିସ୍‌ ମଧ୍ୟ ସେହି ଆଧାରରେ ତଦନ୍ତ ଚଳାଇଛି। ପୁଲିସ୍‌ ତାଙ୍କ ଦାଦାଙ୍କ ଭୁବନେଶ୍ୱରସ୍ଥିତ ଘରେ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବାରୁ ପୁଲିସ୍‌ ଫୋରେନସିକ ଟିମ୍‌ର ସହାୟତା ଲୋଡିଛି। ଗୁରୁତର ଭାବେ ଆହତ ରେଣୁକାଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର