ନମିତା ସାହୁ ହତ୍ୟାକାଣ୍ଡର ଅଭିଯୁକ୍ତ ଗିରଫ:‘ସମ୍ପର୍କୀୟ ଭାଇ ହିଁ ସୂତ୍ରଧର’

ନାଉଗାଁ: ନାଉଗାଁ ଥାନା ତେଣ୍ଟୋଇ ଗ୍ରାମର ନମିତା ସାହୁ ହତ୍ୟାକାଣ୍ଡର ପର୍ଦାଫାଶ ହୋଇଛି। ଏହି ଘଟଣାର ଅଭିଯୁକ୍ତ ଭାବେ ନମିତାଙ୍କ ସମ୍ପର୍କୀୟ ଭାଇ ଏରସମା ଥାନା କୋଠୀ ଗ୍ରାମର କାଳନ୍ଦୀଚରଣ ମଲ୍ଲିକଙ୍କ ପୁଅ ସାରଦା(୨୭)ଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ଯୁବକଜଣକ ନିଜକୁ ଦୋଷମୁକ୍ତ କରିବା ଉଦ୍ଦେଶ୍ୟରେ ତଦନ୍ତର ମୋଡ଼ ଦେବାକୁ ଚେଷ୍ଟା କରଥିଲା। ତେବେ, ତଦନ୍ତରେ ସେ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ, ପୀଡ଼ିତ ପରିବାର ପକ୍ଷରୁ ଏସ୍‌ପି ଓ ପୁଲିସ ଡିଜିଙ୍କୁ ଗୁହାରି କରିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ପ୍ରକାଶଯୋଗ୍ୟ, ଗତ ସେପ୍ଟେମ୍ବର ୨୨ତାରିଖ ସଂଧ୍ୟାରେ ଶରତ ସାହୁଙ୍କ ଝିଅ ନମିତା ନିଜ ଘରର ବାରିପଟକୁ ଶୌାଚ ହେବାକୁ ଯାଇଥିବା ସମୟରେ ନିଜ ସମ୍ପର୍କୀୟ ଭାଇ ସାରଦାଙ୍କ ସହିତ ଫୋନରେ କଥା ହେଉଥିଲେ। ସେହି ସମୟରେ କିଛି ଦୁର୍ବୃତ୍ତ ନମିତାଙ୍କୁ ଆକ୍ରମଣ କରୁଥିବା ନେଇ ଉକ୍ତ ସମ୍ପର୍କୀୟ ଭାଇ ନିଜ ନାମ ଗୋପନ ରଖି ନମିତାଙ୍କ ବାପାଙ୍କୁ ଫୋନ ଯୋଗେ ଜଣାଇବା ସହ ଝିଅକୁ ଉଦ୍ଧାର କର ବୋଲି କହିଥିଲେ। ନମିତାଙ୍କ ବାପା ଶରତ ଓ ଅନ୍ୟ ଦୁଇଭାଇ ନାଉଗାଁ ହାଟରୁ ଘରକୁ ଯାଇ ଝିଅକୁ ଖୋଜାଖୋଜି କରିବା ପରେ ଧାନ ବିଲରୁ ଝିଅର ମୃତଦେହ ଉଦ୍ଧାର କରିଥିଲେ।

ଝିଅକୁ ବଳତ୍କାର ପରେ ହତ୍ୟା କରା ଯାଇଥିବା ନେଇ ବାପା ଶରତ ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲୋ ନାଉଗାଁ ପୁଲିସ ଏକ ମାମଲା(୧୦୦/୧୭) ରୁଜୁ କରି ତଦନ୍ତ କରିଥିଲେ। ହେଲେ, ଦୀର୍ଘ ଦୁଇମାସ ପର୍ଯ୍ୟନ୍ତ ପୁଲିସ ଏହା ଉପରେ କିଛି ସଫଳତା ପାଇନଥିଲା। ପରିବାର ପକ୍ଷରୁ ବାରମ୍ବାର ଗୁହାରି ତଥା ଏସ୍‌ପି ଓ ଡିଜିଙ୍କ ଦ୍ୱାରସ୍ଥ ହେବା ପରେ ନମିତାଙ୍କ ସମ୍ପର୍କୀୟ ଭାଇ ସାରଦାଙ୍କ ଫୋନ୍‌କୁ ଟ୍ୟାପିଂ କରିଥିଲା। ସୁରାକ୍‌ ପାଇବା ପରେ ପୁଲିସ ତାଙ୍କୁ ଉଠାଇଥିଲା ଓ ପଚରାଉଚରା ପରେ ସେ ନମିତାଙ୍କୁ ବଳତ୍କାର ପରେ ହତ୍ୟା କରିଥିବା ମାନିଥିବା ଜଣାପଡ଼ିଛି। ନମିତାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଥିଲା। ନମିତା ତାଙ୍କୁ ବିବାହ କରିବାକୁ ଜିଦ୍‌ ଧରୁଥିଲେ, ହେଲେ ସେ ବିବାହ କରିଥିବାରୁ ନମିତାଙ୍କୁ ରାସ୍ତାରୁ ହଟାଇବା ପାଇଁ ହତ୍ୟା କରିଥିବା ସ୍ୱୀକାର କରିଛି।

ସମ୍ବନ୍ଧିତ ଖବର