ଚକୋଲେଟ୍‌ ଦେବାକୁ କହି ନାବାଳିକାଙ୍କୁ ଦୁଷ୍କର୍ମ:ଗାଁ ନିଶାପରେ ମାମଲା ରଫାଦଫା

ବାଲିକୁଦା: ବାଲିକୁଦା ଥାନା କଣିଆଁ ଥାଇଳୋ ରାସ୍ତାର ଜୟଗାଁ ଅଞ୍ଚଳରେ ଜଣେ ୫୫ବର୍ଷୀୟ ଦୋକାନି ନିଜ ଦୋକାନ ଘରେ ୧୪ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ନାବାଳିକାଜଣକ ସଉଦା ନେବାକୁ ଆସିଥିବା ବେଳେ ଦୋକାନି ତାଙ୍କୁ ଭିତରକୁ ଡାକିନେଇ ଦୁଷ୍କର୍ମ କରିଥିଲେ। ଗୁରୁତର ଆହତ ନାବାଳିକା ନିଜ ଘରେ ଜଣାଇବା ପରେ ଗାଁ ନିଶାପରେ ଏହାର ସମାଧାନ କରାଯାଇଛି। ନାବାଳିକାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ କିଛି କ୍ଷତିପୂରଣ ରାଶି ଦିଆଯାଇ ମାମଲାର ରଫାଦଫା କରି ଦିଆଯାଇଛି ଓ ଏ ସମ୍ପର୍କରେ ପୁଲିସରେ କୌଣସି ଅଭିଯୋଗ କରାଯାଇନାହିଁ।
ମିଳିଥିବା ତଥ୍ୟ ମୁତାବକ, ଗତ ୭ତାରିଖ ଦିନ ନାବାଳିକା ସୀମା ନାୟକ(୧୪-ଛଦ୍ମନାମ) ସଉଦା ପାଇଁ ଗୋପାଳ ବେହେରା(୫୫)ଙ୍କ ଦୋକାନକୁ ଯାଇଥିଲେ। ଏହି ସମୟରେ ଗୋପାଳ ତାଙ୍କୁ ଚକୋଲେଟ୍‌ ଦେବାକୁ କହି ଭିତରକୁ ଡାକି ନେଇଥିଲେ ଓ ଜୋର ଜଚବରଦସ୍ତ ଦୁଷ୍କର୍ମ କରିଥିଲେ। ଆହତ ଅବସ୍ଥାରେ ନାବାଳିକା ଘରେ ପହଞ୍ଚି ଏ ସମ୍ପର୍କରେ ଜଣାଇଥିଲେ। ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ଥାନାକୁ ଗଲେ ବଦନାମ୍‌ ହେବ ବୋଲି କହି ଏହାକୁ ଗାଁରେ ଅଟକାଇ ଦିଆଯାଇଥିଲା। ଗତ ୧୨ତାରିଖ ଦିନ ଗାଁ ନିଶାପରେ କିଛି କ୍ଷତିପୂରଣ ଦିଆଯାଇ ମାମଲାର ରଫାଦଫା କରିଦିଆଯାଇଥିଲା। ଅଭିଯୁକ୍ତ ବୃଦ୍ଧ ଦୁଇଦିନ କେଉଁଆଡ଼େ ଚାଲିଯାଇ ପୁଣି ଗାଁକୁ ଫେରିଥିବା ଜଣାପଡିଛି । ଗରିବ ଶ୍ରେଣୀର ହୋଇଥିବାରୁ ଭୟରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଏ ନେଇ ପୁଲିସରେ କୌଣସି ଅଭିଯୋଗ କରାଯାଇନାହିଁ। ପୁଲିସ ପକ୍ଷରୁ ଏହାର ଖୋଳତାଡ଼ କରାଗଲେ ଅଭିଯୁକ୍ତ ସାମ୍ନାକୁ ଆସିବା ସହ ନାବାଳିକାଙ୍କୁ ନ୍ୟାୟ ମିଳିପାରନ୍ତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର