ତାରପୁର: ରଘୁନାଥପୁର ବ୍ଲକ୍ ସାଦେଇପୁରରୁ ଜଗତସିଂହପୁର ବ୍ଲକ୍ ଅଅଁଳାକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ଏକ ବ୍ରିଟିଶ ସମୟର ପୋଲ ଦବିଯିବାରୁ ଯାତାୟତରେ ବାଧା ଉତ୍ପନ୍ନ ହାଇଛି। ମୃତ ନନ୍ଦାବ୍ରତ ନଦୀ ଉପରେ ବ୍ରିଟିଶ ସମୟରୁ ଥିବା ଏହି ପୋଲର ପୂର୍ବ ଓ ଉତ୍ତର ପଟ ଆପ୍ରୋଚ୍ ରୋଡ୍ ଭୁଶୁଡ଼ି ପଡ଼ିବାରୁ ପୋଲଟି ଭାରସାମ୍ୟ ହରାଇ ତଳକୁ ଦବିଯାଇଛି। ପୋଲ ଦବିଥିବା ସ୍ଥାନରେ ସାଧାରଣ ଲୋକେ ବାଲି ଓ ମାଟି ପକାଇ ଯାତାୟତ ବ୍ୟବସ୍ଥା କରିଥିଲେ ବି ତାହା ପଥଚାରୀଙ୍କ ପାଇଁ ବିପଦସଂକୁଳ ଅବସ୍ଥାରେ ରହିଛି। ସୂଚନାଯୋଗ୍ୟ, ସ୍ଥାନୀୟ ଅଗସ୍ତ୍ୟ ମୁନି ଆଶ୍ରମ ନିକଟରେ ଥିବା ଏହି ପୋଲ ଦେଇ ୮ନମ୍ବର କେନାଲ ବନ୍ଧରେ ସାଧାରଣ ଲୋକ ଜିଲ୍ଲା ସଦର ମହକୁମାକୁ ଯାଇଥାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଯାତାୟତ ପାଇଁ ରାସ୍ତାଟି ସହରଠାରୁ ଅପେକ୍ଷାକୃତ କମ୍ ଦୂର ହୋଇଥିବାରୁ ସାଦେଇପୁର, ବଣିକୁନ୍ଦ, ରାଉତ ନୂଆଗାଁ, ସିଂଘାରପୁର ଓ ଅଅଁଳା ପଞ୍ଚାୟତର ଜନସାଧାରଣ ଏହା ଉପରେ ନିର୍ଭର କରିଥାଆନ୍ତି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ରୋଗରେ ପଡ଼ିଥିବା ବ୍ୟକ୍ତି ଏହି ରାସ୍ତା ଦେଇ ଜିଲ୍ଲା ଓ ଚିକିତ୍ସାଳୟକୁ ଯାଇଥାଆନ୍ତି। ପୋଲଟି ଅଚାନକ ଦବିଯିବା ଫଳରେ ଲୋକଙ୍କୁ ଅଧିକ ଦୂର ବୁଲିକି ଯିବାକୁ ପଡ଼ୁଛି। ଏଥିପାଇଁ ତୁରନ୍ତ ପୋଲକୁ ମରାମତି କରିବାକୁ ଅଅଁଳା ସରପଞ୍ଚ ମନି ପାତ୍ର, ପୂର୍ବତନ ସମିତି ସଭ୍ୟ ଅଭୟ କୁମାର ସ୍ୱାଇଁ, ଓ ଆଇନଜୀବୀ ପ୍ରତାପ ଚନ୍ଦ୍ର ମହାପାତ୍ର ଦାବି କରିଛନ୍ତି। ପୋଲଟି ଜଗତସିଂହପୁର ବ୍ଲକ୍ ଅଧିନରେ ରହିଥିବାରୁ ସମ୍ପୃକ୍ତ ଅଞ୍ଚଳର ବିଡିଓ ତଥା ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଆଇନଜୀବୀ ବିଷ୍ଣୁଚରଣ ତ୍ରିପାଠୀ, ବିଜୟ କୁମାର ସାମଲ, ସିଦ୍ଧାର୍ଥ ତ୍ରିପାଠୀ ଓ ଦେବେନ୍ଦ୍ର ନାଥ ମଲ୍ଲିକଙ୍କ ସମେତ ସ୍ଥାନୀୟ ଲୋକେ ଦାବି କରିଛନ୍ତି।