କାଳ ହେଲା ଏକତରଫା ପ୍ରେମ : ଯୁବକଙ୍କୁ ପିଟି ପିଟି ହତ୍ୟା

ଜଗତସିଂହପୁରଟାଉନ : ଏକତରଫା ପ୍ରେମର ଚରମ ପରିଣତି ଜଗତସିଂହପୁର ଥାନା ସଭାମୂଳ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗାଁର ଲକ୍ଷ୍ମୀଧର ନନ୍ଦଙ୍କ ପୁଅ ସୁଦର୍ଶନ ଓରଫ ସୁଦୁ(୩୦)କୁ ପିଟିପିଟି ହତ୍ୟା କରାଯାଇଛି। ହତ୍ୟାକାରୀ ହେଉଛି ଝିଅର ଭାଇ। ସେ ହେଉଛି ପାଟେଣିଗାଁ ପଞ୍ଚାୟତ ଉରାଳି ଗାଁର ସୁକାନ୍ତ ରଥଙ୍କ ପୁଅ ଶ୍ରୀକାନ୍ତ ଓରଫ ପାଗା(୨୨)।

ମିଳିଥିବା ସୂଚନା ଅନୁସାରେ, ଶ୍ରୀକାନ୍ତ ରଥଙ୍କ ବଡ଼ ଭଉଣୀକୁ ମୃତ ସୁଦର୍ଶନ ଏକତରଫା ପ୍ରେମ କରୁଥିଲେ। ଏହାକୁ ନେଇ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହୁଥିଲା। ପ୍ରାୟ ୬ମାସ ତଳେ ସୁଦର୍ଶନ ଶ୍ରୀକାନ୍ତଙ୍କ ଘରକୁ ଯିବାରୁ ଭୀଷଣ ଗଣ୍ଡଗୋଳ ହୋଇଥିଲା ଓ ସୁଦର୍ଶନଙ୍କୁ ଶ୍ରୀକାନ୍ତଙ୍କ ପରିବାର ଲୋକେ ମିଶି ମାଡ଼ ମାରିଥିଲେ। ଏହାକୁ ନେଇ ସୁଦର୍ଶନ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଓ ପୁଲିସ ସେତେବେଳେ ଶ୍ରୀକାନ୍ତଙ୍କ ସମ୍ପର୍କୀୟଙ୍କୁ ଗିରଫ କରିଥିଲା। ସେହି କାରଣରୁ ଗତ ୬ମାସ ଧରି ଦୁଇ ପରିବାର ଭିତରେ ଛକାପଞ୍ଝା ଲାଗି ରହିଥିଲା।

ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ସମୟରେ ପୁଣି କୌଣସି କାରଣରୁ ଦୁଇ ପରିବାର ଭିତରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଶ୍ରୀକାନ୍ତ ଏକ ଲୁହାରଡ୍‌ରେ ସୁଦର୍ଶନଙ୍କ ମୁଣ୍ଡକୁ ଜୋରରେ ଆଘାତ କରିବାରୁ ସୁଦର୍ଶନ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ସୁଦର୍ଶନଙ୍କ ମା’ ଅଟକାଇବାକୁ ଚେଷ୍ଟା କରି ଆହତ ହୋଇଥିଲେ। ଶ୍ରୀକାନ୍ତ ରଡ୍‌ରେ ସୁଦର୍ଶନଙ୍କୁ ପିଟି ଚାଲିଥିଲେ ଓ ତାଙ୍କର ମୃତ୍ୟୁ ହେବା ପରେ ମାରିବା ବନ୍ଦ କରିଥିଲେ ବୋଲି ସୁଦର୍ଶନଙ୍କ ପରିବାର ଲୋକ କହିଛନ୍ତି। ସେମାନେ ଚାଲିଯିବାରୁ ପରିବାର ଲୋକେ ସୁଦର୍ଶନଙ୍କୁ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜଗତସିଂହପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାର ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ଫେରାର ହୋଇ ଯାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଏହି ଘଟଣାକୁ ନେଇ ଜଗତସିଂହପୁର ଥାନାରେ କୌଣସି ଲିଖିତ ଅଭିଯୋଗ କରାଯାଇନାହିଁ। ଲିଖିତ ଅଭିଯୋଗ କରାଯିବା ପରେ ଘଟଣାର ତଦନ୍ତ ଆଗେଇବ ବୋଲି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ଅବିବାହିତ ସୁଦର୍ଶନ ପୂଜାର୍ଚ୍ଚନା କରି ଚଳୁଥିଲେ। ପୂର୍ବରୁ ତାଙ୍କ ବଡ଼ ଭାଇ ମୃତ୍ୟୁବରଣ କରିଥିବା ବେଳେ ଏବେ ଘରେ ଦ୍ୱିତୀୟ ପୁଅଙ୍କୁ ହରାଇ ବାପା-ମା’ ଭାଙ୍ଗି ପଡ଼ିଛନ୍ତି। ଘଟଣାସ୍ଥଳରେ ଗୁରୁତର ଆହତ ହୋଇ ପଡ଼ି ରହିଥିବା ସୁଦର୍ଶନଙ୍କ ମା’ଙ୍କୁ ଆଇସିୟୁରେ ଭର୍ତ୍ତିି କରାଯାଇଛି। ଅନ୍ୟପଟରେ ଶ୍ରୀକାନ୍ତଙ୍କ ମା’ ମଧ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର