ନାଳ ଭିତରୁ ହତ୍ୟା ଅଭିଯୁକ୍ତ ଗିରଫ: ପୁଲିସ ଆଖିରେ ଧୂଳିଦେଇ ଦିନ୍‌ ଜାଗା ବଦଳାଉଥିଲା

ପାରାଦୀପ: ଦୀର୍ଘ ୯ମାସର ଲୁଚାଛପା ଖେଳ ପରେ ପାରାଦୀପ ପୁଲିସ ଭିକାରୀ କ୍ରୀଷ୍ଣା ରାଓଙ୍କ ହତ୍ୟାକାରୀଙ୍କୁ ଗିରଫ କରିଛି। ହତ୍ୟାକାରୀ ସନିଆ ମଲିକ ମଧ୍ୟ ଜଣେ ଭିକାରୀ ହୋଇଥିବାରୁ ତଥା ସେ ପୁଲିସ ଆଖିରେ ଧୂଳିଦେଇ ଦୈନିକ ସ୍ଥାନ ବଦଳାଉଥିବାରୁ ପୁଲିସ ପକ୍ଷରେ ତାକୁ ଧରିବା କଷ୍ଟକର ହୋଇଥିଲା। ଶେଷରେ ଦୀର୍ଘ ୯ମାସର ଉଦ୍ୟମ ପରେ ପୁଲିସ କୁଜଙ୍ଗ ଥାନା ବାଉଳଙ୍ଗା ଗାଁର ଏହି ହତ୍ୟାକାରୀକୁ ଗିରଫ କରି ପାରିଛି। ଖସି ପଳାଇବା ପାଇଁ ଏକ ନାଳକୁ ଡ଼େଇଁ ପଡ଼ିବାରୁ ପୁଲିସ ତାକୁ ଧସ୍ତାଧସ୍ତି କରି ନାଳ ଭିତରୁ କାବୁ କରିପାରିଛି।
ପାରାଦୀପ ଥାନା ଆଇଆଇସି ଶୁଭ୍ରାଂଶୁ ନାୟକଙ୍କ ସୂଚନା ଅନୁଯାୟୀ, ପାରାଦୀପର ଭିକାରୀମାନେ ଏକାଠି ହୋଇ ପ୍ରତିଦିନ ବସ୍‍ଷ୍ଟାଣ୍ଡରେ ରୁହନ୍ତି। ଗତ ମାର୍ଚ୍ଚ ୨୮ତାରିଖ ଦିନ ମଧ୍ୟ ଭିକ ମାଗିବା ପରେ ରାତିରେ ମିଳିମିଶି ଖାଇ ସମସ୍ତେ ସାଥୀହୋଇ ଶୋଇଥିଲେ। କୌଣସି କାରଣରୁ ଭିକାରୀ ସନିଆ ଓ ଭିକାରୀ କ୍ରିଷ୍ଣା ରାଓଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ନିଶାଶକ୍ତ ଅବସ୍ଥାରେ ଥିବା ସନିଆ ଏକ ଲୁହାରଡ୍‍ରେ କ୍ରୀଷ୍ଣାଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ କ୍ରୀଷ୍ଣାଙ୍କ ମୁଣ୍ଡ ଫାଟି ଯାଇଥିଲା ଓ ଅଚେତ ହୋଇ ପଡ଼ିଥିଲେ। ଏହାପରେ ସନିଆ ଘଟଣାସ୍ଥଳ ଛାଡ଼ି ଫେରାର ହୋଇଯାଇଥିଲା। ଗୁରୁତର ଅବସ୍ଥାରେ କ୍ରୀଷ୍ଣାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତିି କରାଯାଇଥିଲା। ଦୁଇଦିନ ପରେ ସେଠାରେ କ୍ରୀଷ୍ଣାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ହତ୍ୟା ମାମଲା ରୁଜୁ କରି ପୁଲିସ ସନିଆକୁ ଖୋଜିବା ଆରମ୍ଭ କରିଥିଲା।

ହେଲେ, ସନିଆ ପ୍ରତିଦିନ ସ୍ଥାନ ବଦଳାଉଥିବାରୁ ତାକୁ ଧରିବା ପୁଲିସ ପକ୍ଷେ କାଠିକର ହୋଇଥିଲା। ସେ ପ୍ରଥମେ ଘଟଣାସ୍ଥଳରୁ ଭୁବନେଶ୍ୱର ଯାଇ ସେଠାରୁ ଖୋର୍ଦ୍ଧା, ହାଇଦ୍ରାବାଦ୍‍, ବାଙ୍ଗାଲୋର, କଲିକତା ଓ ବାଲେଶ୍ୱର ହୋଇ ୯ମାସ ପରେ ପୁଣି ପାରାଦୀପକୁ ଫେରିଥିଲା। ଧରା ପଡ଼ିଯିବା ଭୟରେ ସେ ଗୋଟିଏ ସ୍ଥାନରେ ଅଧିକ ଦିନ ରହୁନଥିଲା। ପାରାଦୀପରେ ରହୁଥିଲେ ମଧ୍ୟ ପୁଲିସ ଆଖିରେ ଯେପରି ନ ପଡ଼ିବ ସେଥିପାଇଁ ସେ ଯୋଜନା କରୁଥିଲା। ଜଣେ ଭିକାରୀ ହୋଇଥିବାରୁ ସେ କୌଣସି ଲୋକ ସହ ଯୋଗାଯୋଗ କରୁନଥିଲା କି ମୋବାଇଲ ବ୍ୟବହାର କରୁନଥିଲା। ଫଳରେ ପୁଲିସ ତା’ ନିକଟରେ ପହଞ୍ଚି ପାରୁନଥିଲା। ହେଲେ, ଗତ କିଛିଦିନ ହେଲା ସେ ନିଜ ଭଉଣୀ ପରିବାର ସହ ଯୋଗାଯୋଗରେ ଥିବା ପୁଲିସ ବିଶ୍ୱସ୍ତସୂତ୍ରରୁ ଖବର ପାଇଥିଲା।

ଏଣୁ, ପୁଲିସ ସନିଆକୁ ଛାଡ଼ି ତା’ ଭଉଣୀ ପରିବାର ଉପରେ ନଜର ରଖିଥିଲା। ଏହି ଯୋଜନା କାମ ଦେଇଥିଲା। ପାରାଦୀପ ଫେରି ସନିଆ ଲକ୍‍ପଡ଼ାରେ ରହୁଛି ବୋଲି ପୁଲିସ ଖବର ପାଇଥିଲା। ଗତକାଲି ରାତିରେ ଅଠରବାଙ୍କୀ ନିକଟରେ ସନିଆ ବୁଲାବୁଲି କରୁଥିବା ଖବର ପାଇ ତୁରନ୍ତ ଏକ ପୁଲିସ ଟିମ୍‍ ସେଠାରେ ପହଞ୍ଚିଥିଲା। ପୁଲିସକୁ ଦେଖି ସନିଆ ଆଉ କୌଣସି ଉପାୟ ନପାଇ ପାଖରେ ଥିବା ଏକ ନାଳକୁ ଡେଇଁ ପଡ଼ିଥିଲା। ତା ପଛେ ପଛେ ତାକୁ ଗିରଫ କରିବା ପାଇଁ ଯାଇଥିବା ପୁଲିସ କର୍ମଚାରୀ ମଧ୍ୟ ନାଳକୁ ଡେଇଁଥିଲେ। ନିଜକୁ ବଞ୍ଚାଇବାକୁ ଯାଇ ସନିଆ ପୁଲିସ ସହ ଧସ୍ତାଧସ୍ତି କରିଥିଲେ ବି ପୁଲିସ ତାକୁ କାବୁ କରି ନେଇଥିଲା।

ସମ୍ବନ୍ଧିତ ଖବର