ଧରିଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ:ବର୍ଜ୍ୟ ପରିଚାଳନା ନିୟମ ମାନୁନାହାନ୍ତି ଡାକ୍ତରଖାନା

ଜଗତସିଂହପୁର: ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶକୁ ମାନୁନାହାନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କରାଯାଇଥିବା ଯାଞ୍ଚ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପାରାଦୀପ ବନ୍ଦର ଟ୍ରଷ୍ଟ ହସ୍‌ପିଟାଲରେ ପୂର୍ବାପେକ୍ଷା ଅନେକ ସୁଧାର ପରିଲକ୍ଷିତ ହୋଇଥିବା ବେଳେ ଅନ୍ୟ ଡାକ୍ତରଖାନାଗୁଡ଼ିକ ଏହାକୁ ମାନୁନଥିବା ବୋର୍ଡ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ଏ ନେଇ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ମୁକେଶ ମହାଲିଙ୍ଗ ସଦସ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି।
ଯାଞ୍ଚ ସମୟରେ ଦେଖାଯାଇଛି ଯେ, ବିଶୋଧନ କରାନଯାଇ ଡାକ୍ତରଖାନାର ପ୍ରସୂତି ଗୃହ, ପାଥୋଲାବ୍‌ ଓ ଅନ୍ୟାନ୍ୟ ୱାର୍ଡରୁ ବର୍ଜ୍ୟଜଳକୁ ସିଧାସଳଖ ଛାଡ଼ି ଦିଆଯାଉଛି। ଏହା ସ୍ଥାନୀୟ ପରିବେଶକୁ ନଷ୍ଟ କରୁଛି। ରୋଗୀମାନଙ୍କଠାରୁ ବାହାରୁଥିବା ବର୍ଜ୍ୟର ମଧ୍ୟ ସଠିକ୍‌ ପରିଚାଳନା କରାଯାଉ ନାହିଁ। ଉଲ୍ଲେଖ୍ୟ, ହସ୍‌ପିଟାଲରୁ ବାହାରୁଥିବା ବର୍ଜ୍ୟର ସଠିକ୍‌ ପରିଚାଳନା କରା ନ ଗଲେ ଏହା ପରିବେଶକୁ ସାଂଘାତିକ ଭାବେ ପ୍ରଦୂଷଣ କରେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ରାଜ୍ୟ ସରକାର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ପ୍ରଦୂଷଣ ବୋର୍ଡ ଚିକିତ୍ସାଳୟଗୁଡ଼ିକରେ, ବିଶେଷ କରି ୧୦୦ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛି। ପ୍ରତ୍ୟେକ ହସ୍‌ପିଟାଲ ଇଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ୍‌(ଇଟିପି) ନିର୍ମାଣ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି। ଏହି ନିୟମ ମାନୁନଥିବା ହସ୍‌ପିଟାଲଗୁଡ଼ିକ ଉପରେ ବୋର୍ଡ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉଛି। ଏମିତିକି ରାଜ୍ୟର ଏକାଧିକ ବୃହତ ମେଡିକାଲ ବିରୋଧରେ ମଧ୍ୟ ଅତୀତରେ ବୋର୍ଡ ମାମଲା ଦାୟର କରିଛି। ପାରାଦୀପ ସ୍ମାର୍ଟ ସିଟି ହେବାକୁ ଯାଉଥିବା ବେଳେ ଏଠାରେ ଥିବା ପ୍ରତ୍ୟେକ ବିଭାଗ ପ୍ରତି ସ୍ୱତନ୍ତ୍ର ଭାବେ ଧ୍ୟାନ ଦିଆଯାଉଛି।

ଏଣୁ, ଏଠାରେ ଥିବା ହସ୍‌ପିଟାଲଗୁଡ଼ିକ କେମିତି ଚାଲିଛି ତାହା ଜାଣିବା ପାଇଁ ବୋର୍ଡର ଏକ ଟିମ୍‌ ବିଭିନ୍ନ ହସ୍‌ପିଟାଲରେ ପହଞ୍ଚି ଯାଞ୍ଚ କରିଥିଲା। ସୂଚନା ଅନୁଯାୟୀ, ପାରାଦୀପ ପୋର୍ଟ ଟ୍ରଷ୍ଟ ହସ୍‌ପିଟାଲରେ ୬୪ଟି ଶଯ୍ୟା ରହିଛି ଯାହା ଭିତରୁ ମହିଳାଙ୍କ ପାଇଁ ୨୦ଟି, ପୁରୁଷଙ୍କ ପାଇଁ ୨୦, ସ୍ୱତନ୍ତ୍ର କ୍ୟାବିନ ୧୦, କ୍ୟାବିନ ୪, ଚକ୍ଷୁ ବିଭାଗ ପାଇଁ ୨ଟି ଓ ଅନ୍ୟାନ୍ୟ ରୋଗୀଙ୍କ ପାଇଁ ୪ଟି ଶଯ୍ୟା ରହିଛି। ଏହି ହସ୍‌ପିଟାଲକୁ ପ୍ରତ୍ୟେକ ମାସରେ ୧୫ ହଜାରରୁ ଅଧିକ (ଇନ୍‌ଡୋର ଓ ଆଉଟ୍‌ଡୋର) ରୋଗୀ ହସ୍‌ପିଟାଲକୁ ଆସୁଛନ୍ତି। ଏଣୁ ସ୍ୱାଭାବିକ ଭାବେ ହସ୍‌ପିଟାଲରୁ ସେହି ପରିମାଣରେ ବର୍ଜ୍ୟ ବାହରୁଛି। ମାତ୍ର ହସ୍‌ପିଟାଲରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ରଙ୍ଗର ଡଷ୍ଟବିନ୍‌ ନଥିବା ଦେଖିବାକୁ ମିଳିଥିଲା। ନିୟମ ମୁତାବକ ଭିନ୍ନ ଭିନ୍ନ ରଙ୍ଗର ଡଷ୍ଟବିନ୍‌ ରଖାଯାଉନାହିଁ ତଥା ବିଶେଷ କରି ଧାରୁଆ ବର୍ଜ୍ୟକୁ ଠିକ୍‌ ଭାବେ ବିଶୋଧନ କରାଯାଉନାହିଁ। ଗତ ଫେବ୍ରୁଆରି ମାସରେ ବୋର୍ଡ ପକ୍ଷରୁ କରାଯାଇଥିବା ଯାଞ୍ଚରେ ଏହି ହସ୍‌ପିଟାଲରେ ଥିବା ବିଭିନ୍ନ ସମସ୍ୟାକୁ ତାଲିକାଭୁକ୍ତ କରାଯାଇଥିଲା। ସେଗୁଡ଼ିକ କିଛି ପରିମାଣରେ ସଜାଡ଼ି ଦିଆଯାଇଛି ବୋଲି ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି। ସେବେଟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନ୍ୟାନ୍ୟ ବ୍ୟବସ୍ଥା ଠିକ୍‌ ଥିଲେ ମଧ୍ୟ ରକ୍ତ ଭଣ୍ଡାରରେ ବିଶୋଧନ ପ୍ରକ୍ରିୟା ଠିକ୍‌ ନଥିବା ଜଣାପଡ଼ିଛି। ଏ ସମସ୍ତ ଘଟଣା ଜଣାପଡ଼ିବା ପରେ ବୋର୍ଡର ସଦସ୍ୟ ସଚିବଙ୍କୁ ଆଞ୍ଚଳିକ ଅଧିକାରୀ ଚିଠି ଲେଖିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର