ଦୁଇ ମନ୍ଦିରରୁ ହଜାର ବର୍ଷ ପୁରାତନ ମୂର୍ତ୍ତି ଚୋରି:ତିନି ଅଟକ

ଜଗତସିଂହପୁର ଟାଉନ୍‌: ଜଗତସିଂହପୁର ଥାନା ଅନ୍ତର୍ଗତ ଦୁଇଟି ମନ୍ଦିରରୁ ହଜାର ବର୍ଷ ପୁରୁଣା ମୂର୍ତ୍ତି ଚୋରି ହୋଇଯାଇଛି। ଚୋରି ଯାଇଥିବା ମୂର୍ତ୍ତିର ମୂଲ୍ୟ ଲକ୍ଷାଧିକ ଟଙ୍କାରୁ ଅଧିକ ହେବ ଓ ଏହା ପଛରେ ଆନ୍ତଃରାଜ୍ୟ ର‍୍ୟାକେଟ୍‌ର ହାତ ଥିବା ପୁଲିସ ସନ୍ଦେହ କରୁଛି। ସନ୍ଧାନୀ କୁକୁର ସହାୟତାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏ ନେଇ ଗ୍ରାମାବାସୀଙ୍କ ପକ୍ଷରୁ କରାଯାଇଥିବା ଦୁଇଟି ଅଭିଯୋଗକୁ ଆଧାର କରି ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି।
ଜଗତସିଂହପୁର ଥାନା ଅନ୍ତର୍ଗତ ପଲ୍ଲୀ ପଞ୍ଚାୟତ କାଟେସିଙ୍ଗିପୁର ଗାଁ ଛକରେ ଥିବା ମହାକାଳେଶ୍ୱର ମହାଦେବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରମାନେ ଅଷ୍ଟଧାତୁରେ ନିର୍ମିତ ଅଢ଼େଇ ଫୁଟ ଉଚ୍ଚର ମା’ ପାର୍ବତୀ ଓ ଗଣେଶଙ୍କ ମୂର୍ତ୍ତି ନେଇ ଯାଇଛନ୍ତି। ଆଜି ଭୋର ସାଢ଼େ ୪ଟା ବେଳେ ଭକ୍ତମାନେ ମନ୍ଦିରକୁ ଆସି କବାଟ ଖୋଲା ଥିବା ଦେଖିଥିଲେ ଓ ଭିତରକୁ ଯିବାରେ ମନ୍ଦିରର ମୂର୍ତ୍ତି ନଥିବା ଜାଣିବାକୁ ପାଇଥିଲେ। ଏ ନେଇ ଗ୍ରାମର ବଂଶୀଧର ଦାଶ, ବିଜୟ କୁମାର ଦାଶ, ପ୍ରସନ୍ନ କୁମାର ଦାଶ, ସନ୍ତୋଷ କୁମାର ଦାଶ, ଶିବ ପ୍ରସାଦ ବେହେରା, କାର୍ତ୍ତିିକ ଚରଣ ମହାପାତ୍ର, ପ୍ରତାପ ରୁଦ୍ର ସିଂ ପ୍ରମୁଖ ଜଗତସିଂହପୁର ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାସ୍ଥଳକୁ ସାଇଣ୍ଟିିଫିପ୍‌ ଟିମ୍‌ ଓ ଡଗ୍‌ ସ୍କ୍ଵାର୍ଡ ନେଇ ତଦନ୍ତ କରିଥିଲା।

ସନ୍ଧାନୀ କୁମାର ମନ୍ଦିର ଭିତରେ ପଡ଼ିଥିବା ଏକ ଚପଲକୁ ଠାବ କରିିବା ପରେ ଠାକୁରଙ୍କୁ ପୂଜା କରୁଥିବା ପୂଜାରି କାଳନ୍ଦୀ ଦାଶଙ୍କ ଘରେ ପଶିଥିଲା। ଶ୍ରୀ ଦାଶ ନଥିବା ବେଳେ ପୁଲିସ ସନ୍ଦେହରେ କାଳନ୍ଦୀ ଦାଶଙ୍କ ଦୁଇପୁଅଙ୍କୁ ଉଠାଇ ଆଣିଥିଲା। ସଂଧ୍ୟାରେ ପୁଲିସ କାଳନ୍ଦୀଙ୍କୁ ମଧ୍ୟ ଉଠାଇ ଆଣିଥିବା ସୂଚନା ମିଳିଛି। ଅଭିଯୋଗ ଆଧାରରେ ପୁଲିସ ୧୯୨/୧୮ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ସେହିପରି ଗତକାଲି ରାତିରେ କାଦୁଅପଡ଼ା ହରପାର୍ବତୀ ମନ୍ଦିରରୁ ହଜାରେ ବର୍ଷ ତଳର ମୁଗୁନି ପଥର ଖୋଦେଇ ହୋଇଥିବା ମୂଲ୍ୟବାନ ହରପାର୍ବତୀ ମୂର୍ତ୍ତି ମଧ୍ୟ ଚୋରି ହୋଇଯାଇଛି। ଏଭଳି ମୂର୍ତ୍ତି ସମଗ୍ର ଭାରତବର୍ଷରେ ବିରଳ ବୋଲି କୁହାଯାଉଛି। ଚୋରି ସମ୍ପର୍କରେ ଗ୍ରାମର ବିଷ୍ଣୁଚରଣ ମିଶ୍ର ଜଗତସିଂହପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା (୧୯୩/୧୮) ରୁଜୁ କରି ତଦନ୍ତ ଚଳାଇଛି। ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଯିବା ପରେ ଗ୍ରାମବାସୀମାନେ ହରପାର୍ବତୀଙ୍କ ଫଟୋ ରଖି ମାର୍ଜନା କରିଛନ୍ତି। ତୁରନ୍ତ ମୂର୍ତ୍ତି ଚୋରକୁ ଧରିବା ପାଇଁ ଉଭୟ ଗ୍ରାମର ବାସିନ୍ଦାମନେ ଦାବି କରିଛନ୍ତି। ଗୋଟିଏ ରାତିରେ ଦୁଇ ଦୁଇଟି ମନ୍ଦିରରୁ ପୁରାତନ ମୂର୍ତ୍ତି ଚୋରି ହୋଇଥିବାରୁ ଏହା ପଛରେ ବଡ ର‍୍ୟାକେଟ ଥିବା ପୁଲିସ ଅନୁମାନ କରୁଥିବା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର