ରାସ୍ତା ପାଇଁ ରାସ୍ତାରୋକ:କନ୍ଦରପୁର-ଜଗତସିଂହପୁର ରାଜପଥ ୪ଘଣ୍ଟା ବନ୍ଦ୍‌

ଜଗତସିଂହପୁର ଟାଉନ୍‌/ ବିରିଡ଼ି: କନ୍ଦରପୁର-ଜଗତସିଂହପୁର ୫୫ ନମ୍ବର ଜାତୀୟ ରାଜପଥ ସହ ବିରିଡ଼ି ବ୍ଲକ୍‌ର ବିଭିନ୍ନ ରାସ୍ତା ମରାମତି ଏବଂ ନୂତନ ରାସ୍ତା ନିର୍ମାଣ ଦାବିରେ ଆଜି ବିଜେପି ପକ୍ଷରୁ ଏହି ରାଜପଥକୁ ଦୀର୍ଘ ୪ଘଣ୍ଟା ଧରି ଅବରୋଧ କରାଯାଇଛି। ବିରିଡ଼ି ବ୍ଲକ୍‌ ବାଲିଆଷ୍ଟୋର୍‌ ନିକଟରେ କରାଯାଇଥିବା ଏହି ରାସ୍ତାରୋକ କାରଣରୁ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହନ ଦୀର୍ଘ ସମୟ ଧରି ଅଟକି ରହିଛି। ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମାକାନ୍ତ ଭୋଇ ଓ ପୂରଣ ମଣ୍ଡଳ ସଭାପତି ଆଲୋକ କୁମାର ପଣ୍ଡାଙ୍କ ନେତୃତ୍ୱରେ କରାଯାଇଥିବା ଏହି ଆନ୍ଦୋଳନସ୍ଥଳରେ ଉପ-ଜିଲ୍ଲାପାଳ ପହଞ୍ଚି ସପ୍ତାହକ ଭିତରେ ମରାମତି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହାର କରାଯାଇଥିଲା।
ଉଲ୍ଲେଖ୍ୟ, ଜଗତସିଂହପୁର-କନ୍ଦରପୁର ରାଜପଥ ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଥିବାରୁ ଗତ ୧୧ ତାରିଖରେ ବିଜେପି ଏକ ସାମ୍ବାଦିକ ସମ୍ମିଳନୀ କରି ତୁରନ୍ତ ଜାତୀୟ ରାଜପଥ ମରାମତି ଦାବି କରିଥିଲା।

ଏଥି ସହ ବିରିଡ଼ି ବ୍ଲକ୍‌ର ବାଲିଆଷ୍ଟୋରଠାରୁ ବାଇଶିମୌଜା ରାସ୍ତା, କମଳପୁର-ବାସନ୍ଧରା, ଚାଷୀଖ-ଗେଲପୁର, ମଙ୍ଗୁଳି-ଖରଭଙ୍ଗା, ଅଲିପଡ଼ା ବ୍ରିଜ୍‌ଠାରୁ ବାଇପଦା ନଦୀବନ୍ଧ, ହାଜିପୁର-ଧ୍ୟାନକୁଦ ରାସ୍ତା, ବସନ୍ତପୁର-ଦଣ୍ଡିଲୋ ରାସ୍ତାର ମରାମତି ଓ ନିର୍ମାଣ ପାଇଁ ଦଳ ଦାବି କରିଥିଲା। ୨୯ ତାରିଖ ପୂର୍ବରୁ କାମ କରାନଗଲେ ୨୯ତାରିଖ ଦିନ ଜାତୀୟ ରାଜପଥ ଅବରୋଧ କରିବ ବୋଲି ଦଳ ଚେତାବନୀ ଦେଇଥିଲା। ପ୍ରଶାସନ ଏହା ଉପରେ କୌଣସି ପଦକ୍ଷେପ ନ ନେବାରୁ ଆଜି ସକାଳ ୯ଟାରୁ ବାଲିଆଷ୍ଟୋର୍‌ଠାରେ ଦଳୀୟ କର୍ମୀମାନେ ରାଜପଥ ଅବରୋଧ କରିଥିଲେ। ଆନ୍ଦୋଳନ କାରଣରୁ ଉଭାୟ ପାର୍ଶ୍ୱରେ ପ୍ରାୟ ୩ କିମି ପର୍ଯ୍ୟନ୍ତ ଯାନବାହନ ଅଟକି ରହିଥିଲା। ରାସ୍ତାରୋକ ସମୟରେ କନକ ବେହେରା ନାମ୍ନୀ ମହିଳା ସଜ୍ଞାହୀନ ହେବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା।

ବିରିଡ଼ି ବିଡ଼ିଓ ପରେଶ କୁମାର ନାୟକ, ତହସିଲଦାର କସ୍ତୁରୀବାଳା ଜେନା, ଏସ୍‌ଡିପିଓ ସୁଯୋଗ୍ୟ ମିଶ୍ର, ବିରିଡ଼ି ଆଇଆଇସି ରଂଜିତ ମହାନ୍ତି ପ୍ରମୁଖ ବୁଝାଶୁଝା କରିଥିଲେ ବି ସେମାନେ ମାନିନଥିଲେ। ଉପ-ଜିଲ୍ଳାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ପହଞ୍ଚି ଆଲୋଚନା କରିବାରୁ ସେମାନେ ବିଭାଗୀୟ ଅଧିକାରୀଙ୍କ ଠାରୁ ପ୍ରତିଶ୍ରୁତି ଚାହିଥିଲେ। ଏହା ପରେ ବାଲିଆ ଜଳସେଚନ ସହକାରୀ ଯନ୍ତ୍ରୀ ଗୋବର୍ଦ୍ଧନ ପାଣିଗ୍ରାହୀ, ଆର୍‌ଡି କନିଷ୍ଠ ଯନ୍ତ୍ରୀ ସୁଶୀଲ ରାଉତରାୟ ପହଞ୍ଚି ଆନ୍ଦୋଳନକାରୀଙ୍କ ପ୍ରଶ୍ନର ଉତ୍ତର ଦେବା ସହ ଜାତୀୟ ରାଜପଥ ସହ ଅନ୍ୟ ରାସ୍ତାଗୁଡ଼ିକର ମରାମତି ତୁରନ୍ତ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ଉଠିଥିଲା। ଏଥିରେ ବିଜେପି ଜିଲ୍ଲା ମହିଳା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ବ୍ଳକ୍‌ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, ପୂରଣ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସାଇଦା ଖାତୁନ୍‌, ସାଧାରଣ ସମ୍ପାଦକ ନିତ୍ୟାନନ୍ଦ ମିଶ୍ର, ଓବିସି ମୋର୍ଚ୍ଚା ସଭାପତି ନରେଶ ଓଝା, କୃଷକ ମୋର୍ଚ୍ଚା ସଭାପତି ଚିନ୍ତନ ପାତ୍ର, ଏସ୍‌ଟି ମୋର୍ଚ୍ଚା ସଭାପତି ବିଶ୍ୱଭୂଷଣ ମଲ୍ଲିକ, ଶ୍ରୀକାନ୍ତ ସାହୁ, ବିଭୂତ ଭୂଷଣ ଭୂୟାଁ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଲଲାଟେନ୍ଦ୍‌ୁ ବଡ଼ୁ, ଅସିତ ରଂଜନ ବେହେରା, ଗୋପବନ୍ଧୁ ପରିଜା, ଜଗନ୍ନାଥ ସାହୁ, ରଂଜନ ପରିଡ଼ା, କାର୍ତ୍ତିିକ ପରିଡ଼ା, ନିତ୍ୟାନନ୍ଦ ମିଶ୍ର, କବି ପ୍ରସାଦ ଦାସ, ପ୍ରିୟବ୍ରତ ବସ୍ତିଆ ପ୍ରମୁଖ ନେତୃତ୍ୱ ନେଇଥିଲେ।

ସମ୍ବନ୍ଧିତ ଖବର