୧୧ବର୍ଷର ଛାତ୍ରୀଙ୍କୁ ଅସଦାଚରଣ କରି ଶିକ୍ଷକ ଫେରାର

ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ କୃଷ୍ଣଦାସପୁର ପଞ୍ଚାୟତ ଖାଙ୍କରପୁର ପ୍ରାଥମିକ ବିଦ୍ୟାଳୟରେ ଜଣେ ୧୧ବର୍ଷର ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ସୁଶୀଲ ଜୁମାର ରାୟ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଗତ ୨୨ତାରିଖ ଦିନ ଘଟଣା ପରେ ଗତକାଲି ଏହାର ଆପୋଷ ସମାଧାନ ପାଇଁ ଗାଁର କେତେଜଣ ମୁରବି ଚେଷ୍ଟା କରି ବିଫଳ ହୋଇଥିଲେ। ଛାତ୍ରୀଙ୍କ ପରିବାର ପକ୍ଷରୁ ପୁଲିସରେ ଲିଖିତ ଅଭିଯୋଗ କରାଯିବା ପରେ ସଂପୃକ୍ତ ଶିକ୍ଷକ ଫେରାର୍‌ ହୋଇ ଯାଇଛନ୍ତି। ପୁଲିସ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କ ପତ୍ନୀଙ୍କୁ ଥାନାକୁ ଡାକି ପଚରାଉଚରା କରିଛି।
ଅଭିଯୋଗ ମୁତାବକ, ୧୧ବର୍ଷୀୟା ଛ‌ାତ୍ରୀଜଣକ ଗତ ୨୨ତାରିଖ ଦିନ ସ୍କୁଲକୁ ଯାଇଥିବା ବେଳେ ଶିକ୍ଷକ ଶ୍ରୀ ରାୟ ତାକୁ ପାଠ ବୁଝାଇଦେବାକୁ କହି ପାଖକୁ ଡାକିଥିଲେ। ଛାତ୍ରୀଜଣକ ପାଖକୁ ଯିବାରୁ ସେ ତା’ ସହ ଅସଦାଚରଣ କରିଥିଲେ। ଏଥିରେ ଛାତ୍ରୀଜଣକ ଏତେ ଡରି ଯାଇଥିଲା ଯେ, ପରଦିନ ସ୍କୁଲକୁ ଯିବାକୁ ମନା କରିଦେଇଥିଲା। ଘର ଲୋକ ପଚରାଉଚରା କରିବା ପରେ ସେ କାନ୍ଦି କାନ୍ଦି ସ୍କୁଲରେ ଘଟିଥିବା ଅଘଟଣ ସମ୍ପର୍କରେ କହିଥିଲା। ଏହାକୁ ନେଇ ଗତକାଲି ବିବାଦ ବଢ଼ିବାରୁ ଗାଁର କେତେଜଣ ମୁରବି ଆପୋଷ ସମାଧାନ ପାଇଁ ଉଦ୍ୟମ କରିଥିଲେ। ତେବେ, ସେମ‌ାନେ ସେଥିରେ ବିଫଳ ହେବାରୁ ଛାତ୍ରୀଙ୍କ ପରିବାର ପକ୍ଷରୁ ପୁଲିସରେ ଏତଲା ଦିଆଯାଇଥିଲା। ବାଲିକୁଦା ପୁଲିସ ଏକ ମାମଲା (୧୪୨/୧୯) ରୁଜ୍ଜୁ କରି ଛାତ୍ରୀଙ୍କର ୧୬୧ରେ ବୟାନ ରେକର୍ଡ୍ କରିଛି। ଏ ଖବର ଜଣାପଡ଼ିବା ପରେ ଅଭିଯୁକ୍ତ ଶିକ୍ଷକ ଫେରାର୍‌ ହୋଇ ଯାଇଛନ୍ତି। ପୁଲିସ ତାଙ୍କ ପତ୍ନୀଙ୍କୁ ଥାନାକୁ ଆଣି ପଚରାଉଚରା କରି ଛାଡ଼ି ଦେଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର