ନିର୍ବାହୀ ଅଧିକାରୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଜଗତସିଂହପୁର ସଦର: ଜଗତସିଂହପୁର ପୌରପାଳିକାର ନିର୍ବାହୀ ଅଧିକାରୀ ବିକାଶ ସେଠୀଙ୍କ ବିରୁଦ୍ଧରେ ଅସଦାଚରଣ ଅଭିଯୋଗ ଆସିଛି। ନିଜ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆଣିଛନ୍ତି। ଅଫିସ ମିଟିଂ ଥିବା ଦର୍ଶାଇ ମହିଳା କର୍ମଚାରୀଙ୍କୁ ଶ୍ରୀ ସେଠୀ ଭୁବନେଶ୍ୱର ଡକାଇ ତାଙ୍କୁ ପୁରୀକୁ ଯିବାକୁ ବାଧ୍ୟ କରିଥିଲେ ବୋଲି ମହିଳା ଅଭିଯୋଗ କରିଛନ୍ତି। ତେବେ, ଏହି ଅଭିଯୋଗକୁ ନିର୍ବାହୀ ଅଧିକାରୀ ଶ୍ରୀ ସେଠୀ ମିଥ୍ୟା ବୋଲି କହିଛନ୍ତି।
ଅଭିଯୋଗ ମୁତାବକ, ନିର୍ବାହୀ ଅଧିକାରୀ ଶ୍ରୀ ସେଠୀ ପୌର କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀଙ୍କୁ ଭୁବନେଶ୍ୱରରେ ଅଫିସରେ ବୈଠକ ଅଛି ବୋଲି କହି ତାଙ୍କ ସହ ଗାଡିରେ ଭୁବନେଶ୍ୱର ଯିବାକୁ ଡାକିଥିଲେ। ଉଭୟ ଗୋଟିଏ ଗାଡ଼ିରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଉକ୍ତ ମହିଳା କର୍ମଚାରୀଙ୍କୁ ପୁରୀକୁ ଯିବା ପାଇଁ ବାଧ୍ୟ କରିଥିଲେ। ମହିଳା କର୍ମଚାରୀଜଣକ ସେଥିରେ ଅମଙ୍ଗ ହେବାରୁ ଚାକିରିରୁ ବାହାର କରିଦେବାକୁ ଧମକ ଦେବା ସହ ଗାଡିରୁ ଓହ୍ଲାଇ ଦେଇ ନିଜେ ଭୁବନେଶ୍ୱରରେ ରହି ଯାଇଥିଲେ। ମହିଳା କର୍ମଚାରୀଜଣକ ଅନ୍ୟ ଏକ ଗାଡ଼ିରେ ଏକୁଟିଆ ଜଗତସିଂହପୁରକୁ ଫେରି ଆସିବା ପରେ ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି। ତେବେ, ନିର୍ବାହୀ ଅଧିକାରୀ ଶ୍ରୀ ସେଠୀ ଏହି ଅଭିଯୋଗକୁ ସଂପୂର୍ଣ୍ଣ ମିଥ୍ୟା ଓ କପୋଳକଳ୍ପିତ ବୋଲି କହିଛନ୍ତି। ଘଟଣାଟି ସମଗ୍ର ଜଗତସିଂହପୁରରେ ଚର୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର