ଚିଙ୍ଗୁଡି ଘେରିରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ବାଲିକୁଦା: ବାଲିକୁଦା ଥାନା କୁଶୁପୁର ପଞ୍ଚାୟତ ବାଲିଜୋରିର ଏକ ଚିଙ୍ଗୁଡି ଘେରିରେ କାମ କରୁଥିବା ଶ୍ରମିକ ତପନ ମହନ୍ତଙ୍କର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଯୁବକଜଣକ ଘେରିରେ ଲାଗିଥିବା ଜେନେରେଟର ଚଳାଇବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତ ଲାଗି ମୃତ୍ୟୁବରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି । ଖବର ପାଇ ବନ୍ଦର ସାମୁଦ୍ରିକ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତପନଙ୍କ ଶବକୁ ଜବତ କରିଛି। ତପନଙ୍କ ଘର କେନ୍ଦୁଝର ଜିଲ୍ଲା ଅଞ୍ଚଳର ଓ ସେ ବାଲିଜୋରି ଚିଙ୍ଗୁଡି ଘେରିରେ କାମ କରି ପରିବାର ଚଳାଉଥିଲେ। ଗତକାଲି ରାତିରେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବାରୁ ସେ ଛିଟିକ ପଡ଼ି ଘେରିର ପାଣି ପୋଖରୀରେ ପଡିଯାଇଥିଲେ। ଅନ୍ୟମାନେ ତାଙ୍କୁ ଉଦ୍ଧାର କରିଥିଲେ ବି ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ବାଲିକୁଦା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ବନ୍ଦର ସାମୁଦ୍ରିକ ଥାନାର ଏଏସଆଇ ସୁଶାନ୍ତ କୁମାର ସାହୁ ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର