ପ୍ରେମିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ଯୁବକ ଗିରଫ

କୁଜଙ୍ଗ : ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ରଖିଥିବା ଅନ୍ତରଙ୍ଗ ସମ୍ପର୍କର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରାଇବା ଅଭିଯୋଗରେ କୁଜଙ୍ଗ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବ୍ଲାକ୍‌ମେଲିଂ କରି ଦୀର୍ଘ ଦୁଇବର୍ଷ ଧରି ପ୍ରେମିକାଙ୍କ ସହ ଅନତିକ ସମ୍ପର୍କ ରଖିଥିଲେ। ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବାକୁ ପ୍ରେମିକା ଅରାଜି ହେବାରୁ ଯୁବକ ଜଣକ ଏଭଳି କରିଥିବା ଜଣାପଡ଼ିଛି। ଯୁବକ ନାମରେ ପୂର୍ବରୁ କୁଜଙ୍ଗ ଥାନାରେ ଡକାୟତି ଓ ରାହାଜାନି ଭଳି ୭ଟି ଅଭିଯୋଗ ରହିଛି। ଏହା ପୂର୍ବରୁ ସେ ଏକାଧିକ ଯୁବତୀଙ୍କ ସହ ଏହିଭଳି ସମ୍ପର୍କ ରଖିଥିବା ଖବର ସାମ୍ନାକୁ ଆସିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ କୁଜଙ୍ଗ ଥାନା ଅନ୍ତର୍ଗତ ବଳରାମପୁର ଗାଁର ହିମାଂଶୁ ପ୍ରଧାନଙ୍କ ସହିତ କାଳିଆପାଟ ଅଞ୍ଚଳର ସବିତା (ଛଦ୍ମନାମ)ଙ୍କର ପ୍ରେମ ସମ୍ପର୍କ ଥିଲା। ବିବାହର ପ୍ରତିଶ୍ରୁତି ଦେଇ ହିମାଂଶୁ ଦୀର୍ଘ ଦୁଇବର୍ଷ କାଳ ସବିତାଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲା। ସବିତାଙ୍କ ସହ ଦୁର୍ବଳ ମୁହୂର୍ତ୍ତକୁ ସେ ମୋବାଇଲ୍‌ରେ ରେକର୍ଡିଂ କରି ନେଇଥିଲା ଓ ଏହାପରେ ସେ ତାଙ୍କୁ ‘ବ୍ଲାକ୍‌ ମେଲ୍‌’ କରି ସମ୍ପର୍କ ରଖିଥିଲା। ଏହାପରେ ସେ ନିଜ ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବାକୁ ସବିତାଙ୍କୁ ବାଧ୍ୟ କରିଥିଲା। ସମ୍ପର୍କ ନ ରଖିଲେ ସେମାନଙ୍କ ସମ୍ପର୍କର ଅଶ୍ଳୀଳ ଭିଡିଓକୁ ସୋସିଆଲ୍‌ ମିଡ଼ିଆରେ ଛାଡ଼ିଦେବାକୁ ହିମାଂଶୁ ଧମକ ଦେଇଥିଲା। ଏହାକୁ ନେଇ ଉଭୟଙ୍କ ସମ୍ପର୍କ ବିଗିଡ଼ିଥିଲା। ପ୍ରେମିକା ହାତଛଡ଼ା ହେଉଥିବା ଦେଖି ଗତକାଲି ହିମାଂଶୁ ସେମାନଙ୍କ ସମ୍ପର୍କର ଅଶ୍ଳୀଳ ଭିଡିଓକୁ ସୋସିଆଲ୍‌ ମିଡିଆରେ ଛାଡ଼ି ଦେଇଥିଲା। ସବିତା ଏ ନେଇ ନିଜ ପରିବାର ଲୋକଙ୍କୁ ଜଣାଇ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ କେସ୍‌ ଏକ ମାମଲାରୁଜୁ କରି ଗତକାଲି ରାତିରେ ହିମାଂଶୁକୁ ଉଠାଇ ନେଇଥିଲା।

ସମ୍ବନ୍ଧିତ ଖବର