ଜୟପୁର: ପେଟ୍ରୋଲ ଭରି ବାହାରୁଥିବା ସମୟରେ ବୋଲେରୋରେ ହଠାତ ଲାଗିଲା ନିଆଁ, ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ଟଳିଲା ବିପଦ

ଜୟପୁର: ଶନିବାର ସନ୍ଧ୍ୟାରେ ୫.୪୦ମିନିଟ ସମୟରେ ଜୟପୁର ସଦରଥାନା ସାମ୍ନାରେ ଥିବା ପେଟ୍ରୋଲ ଟାଙ୍କିରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହା କେବଳ ପେଟ୍ରୋଲ ଟାଙ୍କିର କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ହେତୁ ସମ୍ଭବ ହୋଇ ପାରିଛି।

ସୂଚନାଯୋଗ୍ୟ, ୫.୩୫ ମିନିଟ ସମୟରେ ଓଡି ୩୩ଏମ୍‌ ୮୫୭୩ ନମ୍ବର ଥିବା ଏକ ଧଳା ରଙ୍ଗର ବୋଲେରୋ ଗାଡ଼ି ଡିଜେଲ ଭର୍ତ୍ତି କରିଥିଲା। ଡିଜେଲ ଭର୍ତ୍ତି କରି ଯିବାକୁ ବାହାରୁ ଥିବା ସମୟରେ ହଠାତ  ଗାଡ଼ିର ଇଞ୍ଜିନରୁ ନିଆଁ ବାହାରିଥିଲା। ଏଭଳି ଦୃଶ୍ୟ ଦେଖି ପେଟ୍ରୋଲ ଟାଙ୍କିର କର୍ମଚାରୀମାନେ ସଙ୍ଗେସଙ୍ଗେ ଟାଙ୍କିରେ ଥବା ଅଗ୍ନି ନିର୍ବାପକ ସାହାଯ୍ୟରେ ନିଆଁକୁ ଆୟତ୍ତ କରିବାରେ ଲାଗି ପଡ଼ିଥିଲେ ଓ ନିକଟରେ ଥିବା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସଙ୍ଗେସଙ୍ଗେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପେଟ୍ରୋଲ ଟାଙ୍କିର କର୍ମଚାରୀ ଓ ଦମକଳ ବାହିନୀର ତୁରନ୍ତ ପଦକ୍ଷେପ ହେତୁ ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଲା।

ସମ୍ବନ୍ଧିତ ଖବର