ଅଖା ଭିତରେ ୨୦ଦିନର ଶିଶୁ

 ରେଳ ଷ୍ଟେସନ୍‌ରୁ ଉଦ୍ଧାର  ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର

ବ୍ୟାସନଗର: ଅଖାରେ ଗୁଡ଼ା ହୋଇଥିବା ୨୦ଦିନର ଏକ ଶିଶୁକୁ ଗତକାଲି ରାତିରେ ଯାଜପୁରରୋଡ୍‌ ରେଳଷ୍ଟେସନ୍‌ରୁ ଉଦ୍ଧାର କରାଯାଇଛି। ଶିଶୁଟିକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରାଯାଇଛି। ଏ ନେଇ ରେଳବାଇ ଥାନାରେ ଏକ ଷ୍ଟେସନ୍‌ ଡାଏରି କରାଯାଇଛି।
ଗତକାଲି ରାତିରେ ଯାଜପୁରରୋଡ୍‌ ରେଳଷ୍ଟେସନ୍‌ର ୫ନମ୍ବର ପ୍ଲାଟ୍‌ଫର୍ମରେ ଥିବା ଏକ ବରଗଛ ମୂଳେ କୌଣସି ବ୍ୟକ୍ତି ଅଖାରେ ଗୁଡ଼ା ହୋଇଥିବା ୨୦ଦିନର ଶିଶୁପୁତ୍ରକୁ ରଖି ଚାଲି ଯାଇଥିଲେ। ଯାଜପୁରରୋଡ଼ ଥାନାରେ ଅସ୍ଥାୟୀ ଭାବେ ଝାଡ଼ୁଦାର କାମ କରୁଥିବା ପଦ୍ମପୁରର କୁମାରୀ ମୁଖୀ ରାତି ପ୍ରାୟ ସାଢ଼େ ୧୨ଟାରେ ପିଲାଟିକୁ ଉଦ୍ଧାର କରିଥିଲେ। ଥାନାରୁ କୁମାରୀ କାମ ସାରି ଘରକୁ ଫେରୁଥିବା ବେଳେ ପିଲାଟିର କାନ୍ଦ ଶୁଣିଥିଲେ। ପାଖରେ କେହି ନ ଥିବା ଦେଖି ଶିଶୁଟିକୁ ସେ ଘରକୁ ନେଇ ଯାଇଥିଲେ। ଆଜି ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ସେ ଶିଶୁକୁ ଯାଜପୁରରୋଡ଼ ଜିଆର୍‌ପିଙ୍କୁ ହସ୍ତାନ୍ତର କରିଥିଲେ। ପରେ ଜିଆର୍‌ପି ପକ୍ଷରୁ ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ସୂଚନା ଦିଆଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ମିହିର କୁମାର ଜେନା ଓ ପଦ୍ମଚରଣ ସାନ୍ତରା ରେଳବାଇ ଥାନାରେ ପହଞ୍ଚି ଅନୁସନ୍ଧାନ ପରେ ଶିଶୁଟିକୁ ସାଙ୍ଗରେ ନେଇଯାଇଥିଲେ। ଜିଆର୍‌ପି ଅଧିକାରୀ ଏସ୍‌କେ ଦାସ ଶିଶୁଟିକୁ ହସ୍ତାନ୍ତର କରିଥିଲେ। ୨୦ ଦିନର ଏହି ଶିଶୁ ଏବେ ଯାଜପୁର ବାଳାଶ୍ରମର ସ୍ୱତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ରରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର