ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା

ଭୁବନେଶ୍ୱର : ଆଜି ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭା ପାଇଁ ଭାରତ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏପ୍ରିଲ ୨ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଏହିସବୁ ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୟୁରଭଞ୍ଜ (ଏସଟି) ଲୋକସଭା ଆସନ ସମେତ ବାଲେଶ୍ବର, ଭଦ୍ରକ (ଏସସି), ଯାଜପୁର (ଏସସି), କେନ୍ଦ୍ରାପଡ଼ା ଓ ଜଗତସିଂହପୁର (ଏସସି) ନିର୍ବାଚନ ମଣ୍ଡଳୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ଯଶୀପୁର (ଏସଟି), ସାରସକଣା (ଏସଟି), ରାଇରଙ୍ଗପୁର (ଏସଟି), ବାଙ୍ଗିରିପୋଷି (ଏସଟି), ଉଦଳା (ଏସଟି), ବାରିପଦା (ଏସଟି) ଓ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହେବ। ବାଲେଶ୍ବର ଲୋକସଭା ଆସନ ଅଧୀନରେ ଆସୁଥିବା ବଡ଼ସାହି (ଏସସି), ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା (ଏସସି) ଓ ନୀଳଗିରି ବିଧାନସଭା ସମେତ ଭଦ୍ରକ ଲୋକସଭା ଆସନ ଅନ୍ତର୍ଗତ ସୋର(ଏସସି), ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର (ଏସସି) ଓ ଚାନ୍ଦବାଲି ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ଆସୁଥିବା ବିଞ୍ଝାରପୁର (ଏସସି), ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ ଓ ସୁକିନ୍ଦା ଆସନ ସମେତ କେନ୍ଦ୍ରାପଡ଼ା ଲୋକସଭା ଆସନ ଅଧୀନରେ ଆସୁଥିବା ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା (ଏସସି), ଆଳି, ରାଜନଗର ଓ ମହାକାଳପଡ଼ା ବିଧାନସଭା ଆସନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେହିପରି ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ନିଆଳି (ଏସସି), ପାରାଦୀପ, ତିର୍ତ୍ତୋଲ (ଏସସି), ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର (ଏସସି) ଓ ନିମାପଡ଼ା ଆସନ ପାଇଁ ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୧୦ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଓ ୧୨ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

 

ସମ୍ବନ୍ଧିତ ଖବର