ବ୍ୟାଙ୍କରେ ଚାକିରି ଦେବା ନାଁରେ ଠକେଇ : ୫ ଅଭିଯୁକ୍ତ ଗିରଫ, କୋର୍ଟଚାଲାଣ

ବାରବାଟୀ : ଷ୍ଟେଟ୍‌ବ୍ୟାଙ୍କରେ ଡାଟା-ଏଣ୍ଟ୍ରି ପଦରେ ଚାକିରି ଦେବା ନାଁରେ ଟଙ୍କା ଆଦାୟ କରୁଥିବା ୫ ଅଭିଯୁକ୍ତଙ୍କୁ ଆଜି ଯାଜପୁର ଜିଲ୍ଲା କୁଆଖିଆ ଥାନା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ସେମାନଙ୍କ ନିକଟରୁ ନଗଦ ୫୧ ହଜାର ୨୦୦ ଟଙ୍କା, ରସିଦ୍‌ ବହି, ଅନ୍ୟାନ୍ୟ କାଗଜପତ୍ର ଜବତ କରାଯାଇଛି। ଗତକାଲି କୁଆଖିଆ ବଜାରର ଏକ ଲଜ୍‌ରୁ ପୁଲିସ ସେମାନଙ୍କୁ ଉଠାଇନେଇ ପଚରାଉଚରା କରୁଥିଲା। ଆଜି ତାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କଣ୍ଟାଡିହ ଗ୍ରାମର ଜ୍ଞାନରଞ୍ଜନ ମହାପାତ୍ର (୩୮) ଓ ତା’ର ଅନ୍ୟ ୪ ଜଣ ସାଥୀ କେନ୍ଦ୍ରାପଡ଼ା ଜିଲ୍ଲା ଓରସକଣା ଗ୍ରାମର ନିହାର ରଞ୍ଜନ ନାୟକ (୪୪), ମୟୂରଭଞ୍ଜ ଜିଲ୍ଲା ବାରିପଦା ଥାନା ଭଞ୍ଜପୁର ଗାଁର କମଳ ଜେନା (୨୮), ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ଥାନା କମ୍ପଗଡ଼ର ପ୍ରଶାନ୍ତ ସାହୁ (୪୦) ଓ କଟକ ଜିଲ୍ଲା ମାହାଙ୍ଗା ଥାନା ଜଳେଶ୍ୱରପୁର ଗାଁର ଜୟନ୍ତ ଦାସ (୫୦)। ଏହି ୫ ଜଣ ମିଶି ମା’ ତାରିଣୀ ସପ୍ଲାୟର୍ସ ନାଁରେ ଏକ କମ୍ପାନି ଖୋଲି ବେକାର ଯୁବକଯୁବତୀଙ୍କୁ ଚାକିରି କରାଇଦେବା ନାଁରେ ଠକେଇ କରିଆସୁଥିଲେ। ଗତ କିଛି ଦିନ ଧରି ଏହି ଠକ ଦଳ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଡାଟା ଏଣ୍ଟ୍ରି ଅପରେଟର ପଦବିରେ ନିଯୁକ୍ତି ଦେବା ନିମନ୍ତେ ବିଜ୍ଞାପନ ଛାପିଥିଲେ। ଏହାପରେ ଆବେଦନକାରୀଙ୍କୁ ଲଜ୍‌କୁ ଡକାଇ ୨ହଜାର ଟଙ୍କା ଆବେଦନକାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ସେମାନେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ଲଜ୍‌ରେ ଚଢ଼ାଉ କରି ଏହି ୫ ଜଣଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର