କାର୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଉତ୍ତେଜିତ ଲୋକଙ୍କ ରାସ୍ତାରୋକ

ରଗଡ଼ି : କୋରେଇ ଥାନା ଅନ୍ତର୍ଗତ ୨୦ ନ˚ ଜାତୀୟ ରାଜପଥ ଅନ୍ଧାରୀ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଆଜି ଅପରାହ୍‌ଣରେ ଏକ କାର୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି। ଉତ୍ତେଜିତ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ଛାଡ଼ି ନଥିଲେ। ଦୁର୍ଘଟଣା ଘଟାଇଥିବା କାର୍‌କୁ ନେବାପାଇଁ ଆସିଥିବା କ୍ରେନ୍‌କୁ ମଧ୍ୟ ଲୋକମାନେ ଛାଡ଼ିନଥିଲେ। କୋରେଇ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ୍‌ ଶବ ଜବତ କରି ଦାନଗଦୀ ଡାକ୍ତର ଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଏହି ଥାନା ଅନ୍ତର୍ଗତ ପଚ୍ଛିକୋଟ୍‌ ପଞ୍ଚାୟତ କଡ଼ମା ଗ୍ରାମର ସୁରେନ୍ଦ୍ର ସେଠୀଙ୍କ ପୁଅ ଅଲେଖ (୪୦) ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସୁଅାଁପଦା ହାଟରୁ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଓଡି-୦୫ଏକ୍ସ-୯୨୨୨ ନମ୍ବର ଟ‌େୟାଟା କାର୍‌ ସାମ୍‌ନାରୁ ଧକ୍କା ଦେଇଥିଲା। ଫଳରେ ଅଲେଖ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। କୋରେଇ ପୁଲିସ୍‌ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଜବତ୍‌ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର