ବାଇକ୍‌ ଚୋରି ରାକେଟ୍‌ ସନ୍ଦେହ:୩ ଲୁଟେରାଙ୍କୁ ରିମାଣ୍ଡରେ ନେବ ପୁଲିସ

କାଳିଆପାଣି : ଟମକା ଥାନା ଅନ୍ତର୍ଗତ ଜେମାଦେଇପୁର ଛକ ଆଖଣ୍ଡଳମଣି ଷ୍ଟୁଡିଓରୁ ଲୁଟ୍‌ ମାମଲାରେ ପୁଲିସ୍‌ ଆଜି ତିନି ଲୁଟେରାଙ୍କୁ ଜେଲ୍‌ ପଠାଇଛି। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡ଼ିଶ ଗ୍ରାମର ତିନି ଅସାମାଜିକ ଯୁବକ ମିଲନ ରଣା, ପ୍ରମୋଦ ରଣା ଓ ନିର୍ମଳ ସେଠୀ ଏଥିରେ ସଂପୃକ୍ତ ବୋଲି ପୁଲିସ୍‌ ସ୍ପଷ୍ଟ କରିଛି। ଏଥସହ ଯୁବକମାନଙ୍କଠୁ ଅଧିକାଂଶ ଲୁଟ୍‌ ସାମଗ୍ରୀ ମଧ୍ୟ ଜବତ ହୋଇଛି। ହେଲେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ନ୍ୟାୟରେ ତିନି ଲୁଟେରା ବ୍ୟବହାର କରିଥିବା ସିଟି-୧୦୦ ବାଇକ୍‌(ଓଆର୍‌-୦୬-୫୫୮୧)ବାଇକ୍‌ଟି ଏକ ଚୋରା ଯାନ ବୋଲି ପୁଲିସ୍‌ ସ୍ପଷ୍ଟ କରିଛି। ପ୍ରକୃତରେ ଉକ୍ତ ପଞ୍ଜୀକୃତ ନମ୍ବର ଥିବା ଯାନଟି ଏକ ରାଜଦୂତ୍‌ ମୋଟର ସାଇକଲ୍‌ ଏବଂ ଯାହାର ମାଲିକ ଢେଙ୍କାନାଳର ବିଜୟ କେତନ ପ୍ରଧାନ ବୋଲି ଜଣାପଡ଼ିଛି। ଏହା ଗତ ୧୯୯୫ ମସିହା ଜାନୁଆରି ମାସ ୫ ତାରିଖରେ ପଞ୍ଜୀକୃତ ହୋଇଥିଲା। ଉକ୍ତ ତଥ୍ୟ ଆଧାରରେ ପୁଲିସ୍‌ ଏହି ଲୁଟେରାମାନଙ୍କୁ ରିମାଣ୍ଡ୍‌ରେ ଆଣି ଅଧିକ ଖୋଳତାଡ଼ କରିବ ବୋଲି ଜଣାପଡ଼ିଛି। କାଳିଆପାଣି ଓ ଟମକା ଥାନା ଇଲାକାରେ ବହୁ ବାଇକ୍‌ ଚୋରି ପଛରେ ଏମାନଙ୍କ ହାତ ଥାଇପାରେ ବୋଲି ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର