ବଡ଼ଚଣା ମିଶ୍ରଣ ପର୍ବରେ କେଁ : ଭୂତଗାଡ଼ି ଅଭିଯୁକ୍ତ ଦିଲ୍ଲୀପଙ୍କୁ ନେଇ ଚର୍ଚ୍ଚା

ଯାଜପୁର : ବଡ଼ଚଣା ନିର୍ବାଚନମଣ୍ଡଳୀର କିଛି ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମାନଙ୍କ ଯୋଗଦାନ ସଂପର୍କରେ ଘୋଷଣା କରାଯାଇଥିଲା। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ନେତାଙ୍କୁ ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଦଳକୁ ସ୍ୱାଗତ କରିଥିଲେ। କହିଥିଲେ, ଉଭୟ ଦଳର ଜନପ୍ରତିନିଧିଙ୍କ ସହ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିବାରୁୁ ମୁଁ ବହୁତ ଖୁସି। ଏହି ଯୋଗଦାନ ବଡ଼ଚଣାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ଅମର ପ୍ରସାଦ ଶତପଥୀ କହିଥିଲେ, ବଡ଼ଚଣା ନିର୍ବାଚନ ମଣ୍ଡଳୀର ନିର୍ବାଚିତ ପ୍ରତିନିଧି, ପୂର୍ବତନ ପ୍ରତିନିଧିଙ୍କ ସହ ଶତାଧିକ କର୍ମୀ ଯୋଗ ଦେଇଛନ୍ତି। ନୂତନ ଭାବେ ଯୋଗ ଦେଇଥିବା ନେତାମାନେ କହିଥିଲେ, ଓଡ଼ିଶାରେ ଉଭୟ ଦଳର ବିପର୍ଯ୍ୟୟକୁ ଦେଖି ତଥା ନବୀନଙ୍କ କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ଆମେ ବିଜେଡିରେ ଯୋଗ ଦେଇଛୁ।

ତେବେ ଯେଉଁମାନେ ଆଜି ବିଜେଡିରେ ସାମିଲ ହେଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ ବିଜେଡ଼ିରେ ସାମିଲ ହୋଇ କାମ କରିଆସୁଛନ୍ତି। ବିଶେଷ ଭବେ ଏହି ଉତ୍ସବରେ ଭୂତ ଗାଡ଼ି କେଳେଙ୍କାରୀ ଅନ୍ୟତମ ମୁଖ୍ୟ କାର୍ପଟଦାର ଦିଲ୍ଲୀପ ନାୟକ ସାମିଲ ହେବା ଏବଂ ତାଙ୍କ ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବା ଘଟଣା ଚର୍ଚାକୁ ଆସିଛି। ସିହା ପଞ୍ଚାୟତର ଯୁବ ବିଜେଡ଼ି ନେତା ଦିଲୀପ ନାୟକ ଭୂତ ଗାଡ଼ି କାରବାରରେ ୬ମାସ ଜେଲ୍‌ରେ ରହିବା ପରେ ଜାମିନ୍‌ରେ ଘରକୁ ଆସିଛି।

ସୋଲର ପଞ୍ଚାୟତର ମାଧବାନ୍ଦ ମହାପାତ୍ର ସୋଲର ପଞ୍ଚାୟତର ସଭାପତି ଥିବା ବେଳେ ସେ ଦଳରେ ସାମିଲ ହେଲେ ବୋଲି କହୁଯାଉଛି। ଶ୍ରୀ ମହାପାତ୍ରଙ୍କ ଭଳି ରଇପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦୀପକ ମହାପାତ୍ର, ବାଲିଚନ୍ଦ୍ରପୁର ପଞ୍ଚାୟତର କାର୍ତ୍ତିକ ରାଉତ, ବଡ଼ଘୁମୁରିର ସରପଞ୍ଚ ଓ ସମିତି ସଭ୍ୟ ବନ୍ଦାଳର ସରପଞ୍ଚ, ସୁଙ୍ଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାଜକିଶୋର ସ୍ୱାଇଁ, ଛତିଆର ବୁଢ଼ା ମହାନ୍ତି ଓ ବାବୁଲ ସ୍ୱାଇଁ ପ୍ରମୁଖ ବିଭିନ୍ନ ସମୟରେ ବିଜେଡି ଦଳରେ ପୂର୍ବରୁ ସାମିଲ ହୋଇ ଦଳୀୟ କାର୍ଯ୍ୟ କରୁଆସୁଛନ୍ତି। ସେମାନଙ୍କୁ ମଧ୍ୟ ଆଜି ନବୀନ ନିବାସରେ ଆଉଥରେ ସାମିଲ କରାଯାଇଛି। ପ୍ରକାଶ ଥାଉକି ଚମ୍ପାପୁର ପଞ୍ଚାୟତର ଦିଲ୍ଲୀପଙ୍କ ପତ୍ନୀ ଦୁର୍ଗେଶ ନନ୍ଦିନୀ ବିଜେଡି ସମର୍ଥନରେ ସମିତି ସଭ୍ୟା ଭାବେ ବିଜୟୀ ହୋଇଥିଲେ। ତାଙ୍କୁ ମଧ୍ୟ ଆଜି ବିଜେଡିରେ ସମିଲ କରାଯାଇଛି।

ସମ୍ବନ୍ଧିତ ଖବର