ବିଧାୟକଙ୍କ ଟିଟୋ ଲିଙ୍କ୍‌ର ସିବିଆଇ ତଦନ୍ତ ହେଉ

କଂଗ୍ରେସର ବିରାଟ ଶୋଭାଯାତ୍ରା ଓ ପ୍ରତିବାଦ ସଭା

ଯାଜପୁର/ଚଣ୍ଡିଖୋଲ/ବଡ଼ଚଣା : ନବକୃଷ୍ଣ ଚୌଧୁରୀଙ୍କ ପବିତ୍ର ମାଟି ବଡ଼ଚଣାକୁ ବିଧାୟକ ଅମର ଶତପଥୀ ତାଙ୍କର ଚଣ୍ଡି ଚାମଣ୍ଡାଙ୍କ ସହଯୋଗରେ ଦୁର୍ନୀତିର ଗନ୍ତାଘର କରିଛନ୍ତି। ବିଧାୟକ ତଥା ଶାସକ ଦଳ ମୁଖ୍ୟ ସଚେତକ ଅମର ଶତପଥୀ ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍‌ଷ୍ଟାର୍‌ ସୟଦ ଉସମାଲ ଅଲୀ ଓରଫ ଟିଟୋ ହାତରେ ବଡ଼ଚଣାର ଲଘୁ ଖଣିଜ ସମ୍ପଦକୁ ଟେକି ଦେଇଛନ୍ତି। ଟିଟୋ ସହିତ ବିଧାୟକ ଶ୍ରୀ ଶତପଥୀଙ୍କ ଲିଙ୍କ୍‌ର ସିବିଆଇ ତଦନ୍ତ ଦାବି କରି କଂଗ୍ରେସ୍‌ ପକ୍ଷରୁ ଆଜି ଛତିଆ ନିକଟ ନେଳିଆ ଛକରୁ ବିଶାଳ ଶୋଭାଯାତ୍ରା ବାହାରିଥିଲା। ଏଥିରେ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହୋଇ ଚଣ୍ଡିଖୋଲ ଠାରେ ପ୍ରତିବାଦ ସଭା କରିଛନ୍ତି।

ବହୁଚର୍ଚ୍ଚିତ ଟିଟୋ ଅପରାଧ ସାମ୍ରାଜ୍ୟ ସହିତ ବଡ଼ଚଣା ବିଧାୟକ ଶ୍ରୀ ଶତପଥୀଙ୍କ ସମ୍ପର୍କ ଥିବା ଅଭିଯୋଗ କରି ନବୀନ ସରକାରକୁ କଂଗ୍ରେସ ନେତାମାନେ କଟୁ ସମାଲୋଚନା କରିଛନ୍ତି। ଅପରାଧୀଙ୍କ ସହଯୋଗରେ ନେତାମାନେ କୋଟିକୋଟି ଟଙ୍କା ମୁନାଫା କମାଇଥିବା ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ତଥା ବିରୋଧୀ ଦଳ ଉପନେତା ଚିରଞ୍ଜୀବ ବିଶ୍ୱାଳ ଯୋଗଦେଇ ଟିଟୋଙ୍କ କଳା ବ୍ୟବସାୟରେ ବିଜେଡି ନେତାଙ୍କ ପୃଷ୍ଠପୋଷକତାକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଲେ ଯେ, କେନ୍ଦ୍ରର ମୋଦି ଓ ରାଜ୍ୟର ବିଜେଡି ସରକାର ନାମକୁ ମାତ୍ର ପରସ୍ପର ବିରୋଧରେ ଅଭିଯୋଗ ଉଠାଉଥିଲେ ହେଁ ସେମାନଙ୍କ ମଧ୍ୟରେ ଭିତିରି ବୁଝାମଣା ରହିଛି। ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ପ୍ରତିବାଦ ସଭାରେ ଯୋଗଦେଇ କହିଲେ ଯେ, ସ୍ଥାନୀୟ ବିଧାୟକ କୃଷି ମନ୍ତ୍ରୀ ଥିବା ବେଳେ ବାଦାମ ବିହନ ଦୁର୍ନୀତି ଅଭିଯୋଗରେ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିଲେ। ଏବେ ତାଙ୍କ ନାମରେ ମାଫିଆ ଟିଟୋ ସହ ସମ୍ପର୍କ ରହିଥିବା ଅଭିଯୋଗ ହେଉଛି। ଯାହାକି ବଡ଼ଚଣାର ସମ୍ମାନକୁ କ୍ଷୂଣ୍ଣ କରିଛି। ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି କହିଲେ ଯେ, ସ୍ଥାନୀୟ ବିଧାୟକ ଜଣେ ଦୁର୍ନୀତିଖୋର ବ୍ୟକ୍ତି। କଂଗ୍ରେସ ଭାଇମାନେ ଏକାଠି ହୋଇ ଆଗାମୀ ଦିନରେ ଏ ସରକାରକୁ ଓଡ଼ିଶାରୁ ହଟାଇବାକୁ ଆହ୍ଵାନ ଦେଇଥିଲେ। ପିସିସି ସମ୍ପାଦକ ପଦ୍ମାକର ଗୁରୁ ତାଙ୍କ ବକ୍ତବ୍ୟରେ ବିଜେଡି ସରକାର ଓ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ବିଷୋଦ୍‌ଗାର କରିଥିଲେ।

୨୦୧୦ ମସିହାରୁ ଟିଟୋ ବଡ଼ଚଣାର ବିଭିନ୍ନ ସ୍ଥାନରୁ ବାଲି, ମୋରମ୍‌, ବୋଲଡର୍‌ ବେଆଇନ୍‌ ଭାବେ ଲୁଟି ନେଉଥିବା ବେଳେ ସ୍ଥାନୀୟ ବିଧାୟକ ଅମର ଶତପଥୀ କିପରି ଜାଣି ପାରିଲେ ନାହିଁ ବୋଲି କଂଗ୍ରେସ ନେତା ଦେବ ପୃଷ୍ଟି ପ୍ରଶ୍ନ କରିଥିଲେ। ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ପ୍ରାକ୍ତନ ବ୍ଲକ୍‌ ଅଧ୍ୟକ୍ଷ ପ୍ରଭାକର ଶତପଥୀ ଓ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅଜୟ କୁମାର ସାମଲ ଯୋଗଦେଇ ଟିଟୋ ଲିଙ୍କ୍‌ରେ ସମ୍ପୃକ୍ତ ଶାସକ ଦଳ, ପ୍ରଶାସନିକ ଅଧିକାରୀ ଓ ବିଧାୟକଙ୍କୁ ତୀବ୍ର ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର