ନିର୍ମାଣଧୀନ ଡ୍ରେନ୍‌ ଭୁଶୁଡ଼ିବା ଘଟଣା:ଇଓ-ଏମ୍‌ଇ ଟଣାଓଟରା

ବ୍ୟାସନଗର : ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏକ ଡ୍ରେନ୍‌ ଭୁଶୁଡ଼ି ପଡ଼ିବା ଘଟଣାକୁ ନେଇ ଇଓ ଏବଂ ଏମ୍‌ଇଙ୍କ କଥାରେ ତାଳମେଳ ରହୁନାହିଁ। ନିମ୍ନମାନର କାମ ହୋଇଥିବା ଇଓ କହୁଥିବା ବେଳେ ଏମ୍‌ଇ ଏହାକୁ ଏଡ଼ାଇ ଯାଇଛନ୍ତି। ଏଭଳି ସ୍ଥିତିରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ପିସିରେ ବନ୍ଧା ପଡ଼ିଛି ବ୍ୟାସନଗର ପୌର ପରିଷଦ। ସହରର ଉନ୍ନୟନ ମୂଳକ କାମରେ ଖଇଚା ହେଉଥିବା ନିର୍ମାଣଧୀନ ଡ୍ରେନ୍‌ ଭୁଶୁଡ଼ିବା ଘଟଣା ପ୍ରମାଣିତ କରୁଛି। ସେହିପରି ୧୨ ନଂ ଓ୍ଵାର୍ଡରେ ଗତ ମେ’ ମାସ ୧୦ ତାରିଖରେ ଗୋପବଂଧୁ ଛକରୁ ନହକା ବାଇପାସ ରାସ୍ତା ପିଚୁ କାମ ୧୦ ଲକ୍ଷ ଟଙ୍କାରେ ନିର୍ମାଣ କରାଯାଇଥିଲା। ୨୬ ଦିନ ମଧ୍ୟରେ ରାସ୍ତା ଫାଟି ଗାଢ଼ ସୃଷ୍ଟି ହେଲାଣି।

୧୬ନଂ ବସ୍‌ଷ୍ଟାଣ୍ଡ୍‌ ପାଖ ୧୦ ଲକ୍ଷ ଟଙ୍କାରେ ନିର୍ମାଣାଧୀନ ଡ୍ରେନ୍‌ ଭୁଶୁଡ଼ିବା ଘଟଣାରେ ପୌର ପରିଷଦ ନିର୍ବାହୀ ଅଧିକାରୀ ମୋହନ ଚରଣ ଜେନାଙ୍କୁ ପଚାରିବାରୁ ଡ୍ରେନ୍‌ କାମରେ ତ୍ରୁଟି ଥିବା ସ୍ୱୀକାର କରିଥିବା ବେଳେ ଏମ୍‌ଇ ପ୍ରହଲ୍ଲାଦ ମହାପାତ୍ର ନିର୍ମାଣଧୀନ ଡ୍ରେନ୍‌ ସେଡ୍‌ ନେଇନଥିବାରୁ ବର୍ଷା ହେବା ଫଳରେ ଧସିଗଲା ବୋଲି ସଫେଇ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ବିଭାଗୀୟ ଅଧିକାରୀ କାମ ନିକଟକୁ ଆସୁ ନାହାନ୍ତି କି କାମ କିପରି ହେଉଛି ପରଖ କରୁନାହାନ୍ତି। ରଡ଼ କେତେ ଦୂରତାରେ ଦେବା କଥା କେତେ ଏମ୍‌ଏମ୍‌ର ରଡ଼ ଲାଗିବ। ଡ୍ରେନ୍‌ ତଳ ଢ଼ଳେଇ କେତେ ରହିବ, ଉଭୟ ପାଖ ଡ୍ରେନ୍‌ର ଉଚ୍ଚତା କେତେ ହେବ। କଂକ୍ରିଟ୍‌ ଭାଗରେ ବାଲି, ସିମେଣ୍ଟ୍‌ ଓ ଚିପ୍ସ ଭାଗ କେତେ ରହିବ ସେ ସବୁ ତଦାରଖ ନକରିବାରୁ ଠିକାଦାର ମନ ଇଚ୍ଛାରେ ଡ୍ରେନ୍‌ କାମ କରୁଥିବାରୁ ଏପରି ଅବସ୍ଥା ହେଲା ବୋଲି ସହରରେ ଚର୍ଚ୍ଚା ହେଉଛି। ଆଜି ଭୁଶୁଡ଼ି ପଡ଼ିଥିବା ଡ୍ରେନ୍‌କୁ ଉପରକୁ ଉଠାଇ ମେସିନ୍‌ ସାହାଯ୍ୟରେ ଭାଂଗି ଭିତରେ ଦିଆଯାଇଥିବା ରଡ଼କୁ ବାହାର କରାଯାଉ ଥିବା ଦେଖିବାକୁ ମିଳିଛି। ନିମ୍ନମାନର ଡ୍ରେନ୍‌ କାମର ସ୍ଥାୟିତ୍ୱକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର