ଯାଜପୁରରେ ଚାଞ୍ଚଲ୍ୟ : ଯୁବକଙ୍କୁ ହତ୍ୟା କରି ଜାଳିଦେଲେ

ଯାଜପୁରସଦର : ଗତକାଲି ବିଳମ୍ବିତ ରାତି ଯାଏଁ ଦୁହେଁ ଏକ ଅଟୋରେ ବୁଲୁଥିଲେ। ଆଜି ସକାଳେ ଜଣଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଅଳିଆ ଗଦାରୁ ଉଦ୍ଧାର କରାଯାଇଛି। କେହି ପିଟିପିଟି ହତ୍ୟା କରିବା ପରେ ଅଳିଆଗଦାରେ ପକାଇ ଜାଳିଦେଇଛି। ଏହି ଘଟଣାରେ ଅଟୋ ଡ୍ରାଇଭରକୁ ପୁଲିସ୍‌ ଅଟକ ରଖି ପଚରାଉଚରା ଚଳାଇଛି। ଖବର ଲେଖା ହେବା ସୁଦ୍ଧା ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ।

ମୃତ ଯୁବକ ହେଉଛନ୍ତି ଯାଜପୁର ସଦରଥାନା ବିଚିତ୍ରପୁର ପଞ୍ଚାୟତ ଅନ୍ତର୍ଗତ ଅବଦୁଲପୁର ଗ୍ରାମର ରବୀନ୍ଦ୍ର ନାୟକ (୪୦ବର୍ଷ)। ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ପତିସାହିର ଗୋପାଳ ପତିଙ୍କ ପୁଅ ଦୀପକ ପତି(୩୮)ଙ୍କ ଅଟୋରେ ରବୀନ୍ଦ୍ରଙ୍କୁ ଦେଖିବାକୁ ମିଳିଥିଲା। ତେବେ, ରବୀନ୍ଦ୍ର ଆଉ ରାତିରେ ଘରକୁ ଫେରିନଥିଲେ। ଆଜି ସକାଳେ ସ୍ଥାନୀୟ ବୁଢ଼ାଘାଟ ନିକଟରେ ଥିବା ଏକ ପରିବା ଦୋକାନ ପଛପାଖ ଅଳିଆଗଦାରେ ରବୀନ୍ଦ୍ରଙ୍କ ମୃତଦେହକୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। କେହି ଦୁର୍ବୃତ୍ତ ତାଙ୍କୁ ଇଟା ଓ ପଥରରେ ଛେଚିି ହତ୍ୟା କରିବା ପରେ ଏହି ଅଳିଆ ଗଦାରେ ପକାଇ ଜାଳିଦେଇଥିବା ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାପଡ଼ିଥିଲା। ଘଟଣାସ୍ଥଳରେ କିଛି ଇଟା ପଡ଼ିଥିବାବେଳେ ସେଠାରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକଙ୍କ ଜୋତା, ଜ୍ୟାକେଟ୍‌ରୁ ସେ ରବୀନ୍ଦ୍ର ବୋଲି ପରିବାର ଲୋକ ଚିହ୍ନଟ କରିଥିଲେ।

ଏହି ଘଟଣା ଜଣାପଡ଼ିବା ପରେ ସକାଳ ୭ଟାରୁ ୪ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଉତ୍ତ୍ୟକ୍ତ ଲୋକମାନେ ମୃତଦେହକୁ ଯାଜପୁର-ବରୁହାଁ ରାସ୍ତାରେ ରଖି ରାସ୍ତାରୋକ କରିଥିଲେ। ଘଟଣାସ୍ଥଳରେ ମାଜିଷ୍ଟ୍ରେଟ୍‌ ତଥା ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମଲ୍ଲ,ବରୀ ଥାନାଧିକାରୀ ରୋଜାଲିନ ପଟେଲ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ପରେ ମୃତଦେହକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ କରାଯାଇଛି। ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରିବା ସହିତ ଅଟୋ ଡ୍ରାଇଭର୍‌ ଦୀପକ ପତିଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛି। ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ଶେଷ ଖବରସୁଦ୍ଧା ହତ୍ୟାକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ସଂଧ୍ୟା ସମୟରେ ମୃତ ରବୀନ୍ଦ୍ରଙ୍କ ଅନ୍ତିମ ସଂସ୍କାର କରିଛନ୍ତି।

ସମ୍ବନ୍ଧିତ ଖବର