ଜୋରରୁ ଯୁବକଙ୍କ ଶବ ଉଦ୍ଧାର ଘଟଣା:ନ୍ୟାୟ ନ ମିଳିଲେ ସମୂହ ଆତ୍ମାହୁତି ଧମକ

ବରୀ : ଜୋରରୁ ଯୁବକଙ୍କ ମୃତ ଦେହ ଉଦ୍ଧାର ଘଟଣାରେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ସହିତ ପୁଲିସ ବିରୋଧରେ ବିଷୋଦ୍‌ଗାର କରିଛନ୍ତି। ଆସନ୍ତା ୩ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବେ ବୋଲି ଆଜି ଶକ୍ତିପୀଠରେ ଏକ ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ପିତା ଗମୁ ପଞ୍ଚାୟତର ଢିହପାଳ ଗ୍ରାମର ଅଭିରାମ ଧଳ ଚେତାବନୀ ଶୁଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମା ମମତା ଧଳ, ଭାଇ ଶୁଭ୍ରକାନ୍ତ ଧଳ, ସୂଚୀକାନ୍ତ ଧଳ ଓ ମାଉସୀ ସବିତା ସାମଲ ପ୍ରମୁଖ ଉପସ୍ଥିତ ଥିଲେ।ସେମାନଙ୍କ ଅଭିଯୋଗ ହେଲା, ରୌପ୍ୟକାନ୍ତ ୯ ତାରିଖରେ ମାମୁଘର ତଳକାଇପଡ଼ାକୁ ଯିବେ ବୋଲି କହି ଘରୁ ବାହାରିଥିଲେ। ମାତ୍ର ସେ ସେଠାକୁ ନଯାଇ କେତେକ ଯୁବକଙ୍କ ସହିତ ମିଶି ସଂଧ୍ୟାରେ ଭୋଜିଭାତ କରିଥିଲେ। ଏହାପର ଠାରୁ ସେ ନିଖୋଜ ହୋଇଯାଇଥିଲେ।

ପରଦିନ ପରିବାର ଲୋକ ପୁଅର ନିଖୋଜ ସଂପର୍କରେ ବରୀ ଥାନାରେ ଅଭିଯୋଗ କରିଥିଲେ। ୧୧ ତାରିଖରେ କଳାମାଟିଆ ଗ୍ରାମର ନିରଂଜନ ଦାସଙ୍କ ଘର ପଛପଟ ଜୋରରେ ରୌପ୍ୟକାନ୍ତଙ୍କ ଶବ ଭାସୁଥିବା ଜାଣି ପରିବାର ଲୋକଙ୍କ ସହିତ ବରୀ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ସେହି ସମୟରେ ତାଙ୍କଠାରୁ କଣ ଗୋଟେ କାଗଜରେ ପୁଲିସ ଦସ୍ତଖତ କରି ନେଇଥିବା ରୌପ୍ୟକାନ୍ତଙ୍କ ବାପା ଅଭିଯୋଗ କରିଛନ୍ତି। ୧୨ ତାରିଖଦିନ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରିବାକୁ ଥାନାକୁ ଯାଇଥିବା ବେଳେ ସେମାନଙ୍କ ଅଭିଯୋଗକୁ ଥାନା ଅଧିକାରୀ ଗ୍ରହଣ କରି ନଥିବା ସେମାନେ ପ୍ରକାଶ କରିଛନ୍ତି। ତାଙ୍କ ପୁଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ଆସନ୍ତା ୩ଦିନ ମଧ୍ୟରେ ନିରପକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ସପରିବାର ଆତ୍ମାହୁତି ଦେବେ ବୋଲି ଧମକ ଦେଇଛନ୍ତି। ଏ ସଂପର୍କରେ ବରୀ ଥାନା ଅଧିକାରୀ ରୋଜାଲିନ୍‌ ପଟେଲଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କ ପାଖକୁ ସେମିତି କୌଣସି ଅଭିଯୋଗ ଆସିନାହିଁ। ମାତ୍ର ଗତକାଲି ତାଙ୍କ ପରିବାର ଲୋକେ ମୋତେ ଥାନା ବାହାରେ ଭେଟିଥିଲେ। ଅଭିଯୋଗ ଦେବେ ବୋଲି କହୁଥିଲେ। ମାତ୍ର ପ୍ରଥମ ଅଭିଯୋଗ ଉପରେ ଅପମୃତ୍ୟୁ ମାମଲା ରଜୁ କରାଯାଇଛି, ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯଦି ଏହା ହତ୍ୟାକାଣ୍ଡ ହୋଇଥାଏ ତେବେ ପୁଲିସ ହତ୍ୟା ମାମଲାରେ ପରିବର୍ତ୍ତନ କରି ମାମଲା ରଜୁ କରିବ। ଏହା ମଧ୍ୟ ଆଇନର ବ୍ୟବସ୍ଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର