ବିଭାଗୀୟ ଅଧିକାରୀଙ୍କ ପ୍ରତିଶ୍ରୁତି ପାଣିର ଗାର:୬ମାସ ପରେ ମରାମତି ହେଲାନି ପୋଲ

ରଗଡ଼ି : ଯାଜପୁର ରୋଡ଼ ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ଅଧୀନ ଅନ୍ଧାରୀ ପଞ୍ଚାୟତ ଅନ୍ଧାରୀ ଗ୍ରାମ୍ୟ ରାସ୍ତାରେ ଥିବା ଏକ ବିପଦସଂକୁଳ ପୋଲରେ ଲୋକେ ଯାଆସ କରୁଛନ୍ତି। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପୋଲ ନିମ୍ନମାନର କାର୍ଯ୍ୟଯୋଗୁଁ ଗତ ବର୍ଷାରେ ପୋଲ ଫାଟି ଗଳି ପଡ଼ିଥିଲା। ସେବେଠାରୁ ବିପଦସଂକୁଳ ଅବସ୍ଥାରେ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାର ମରାମତି ପାଇଁ କୌଣସି ଠୋସ ପଦକ୍ଷେପ ନେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତ୍ତମାନେ ସେହି ରାସ୍ତାରେ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀଙ୍କ ପକ୍ଷରୁ ଏଥିନେଇ ବିଭାଗୀୟ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ପରେ ୮ ଲକ୍ଷ ଟଙ୍କା ବ୍ୟୟରେ ନୂତନ ପୋଲ ନିର୍ମାଣ କରାଯାଇଥିଲା। ତ୍ରୁଟିପୂର୍ଣ୍ଣ ଓ ନିମ୍ନମାନର କାମ ‌ଫଳରେ ଲଗାଣ ବର୍ଷାରେ ପାଣି ପୋଲରେ ଯାଇ ନପାରି ଏହାର ପ୍ରଭାବରେ ପୋଲଟି ଗଳି ପଡ଼ିଥିଲା। ପୋଲ ନିର୍ମାଣ ସମୟରେ ଠିକାଦାର ଲାଭଖୋର ମନୋଭାବ ରଖୁଥିବା ସହ ବିଭାଗୀୟ ଯନ୍ତ୍ରୀ ଏହାର ତଦାରଖ କରୁ ନଥିବାରୁ ବାରମ୍ବାର ଏଭଳି ଘଟୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏବେଠୁ ଯଦି ଏମିତି ବର୍ଷା ଦିନରେ କଣ ହେବ ଏହାକୁନେଇ ସମସ୍ୟା ଜଟିଳ ହୋଇପଡ଼ିଛି। ପୋଲ ଆରପାରିରେ ଗ୍ରାମ ସ୍କୁଲ, ପଞ୍ଚାୟତ କାର୍ଯ୍ୟାଳୟ ଓ ଅନ୍ଧାରୀ ଗ୍ରାମ ରହିଥିବାରୁ ପୋଲ ନିର୍ମାଣର ଜରୁରି ଆବଶ୍ୟକତା ରହିଛି। ବିଭାଗୀୟ କର୍ତୃପକ୍ଷ ବର୍ଷା ଦିନ ପୂର୍ବରୁ ପୋଲ ନିର୍ମାଣ ଉପରେ ଧ୍ୟାନ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର