ଥାନା ଛାତି ତଳେ ନିଶା କାରବାର

ଯାଜପୁରସଦର : ଯାଜପୁର ସହରର ପ୍ରମୁଖ ପେଣ୍ଠସ୍ଥଳୀ ଯାଜପୁର ବସ୍‌ଷ୍ଟାଣ୍ଡରେ ବେଧଡ଼କ ଭାବେ ଚାଲିଛି ନିଶା କାରବାର। କେତେକ ଅସାଧୁ ବ୍ୟବସାୟୀ ଚୋରାରେ ନିଶା କାରବାର ଚଳାଇଛନ୍ତି। ପୁଲିସ ପାଟ୍ରୋଲିଂ ଢ଼ିଲାର ସୁଯୋଗ ନେଇ ଏମାନେ ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏଠାରେ ମଦ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର ଆସର ଚାଲୁଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସାମାଜିକ ଲୋକଙ୍କ ଦୌତାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଯାଜପୁର ବସ୍‌ଷ୍ଟାଣ୍ଡକୁ ଦୈନିକ ୨୫/୩୦ ଖଣ୍ଡ ବସ୍‌ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରକୁ ଯାଉଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଟ୍ରେକର, ଟାଟା ମ୍ୟାଜିକ, ଅଟୋ ମଧ୍ୟ ଯାଉଛି। ଦେନିକ ଶହ ଶହ ଲୋକ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌, ଟ୍ରେକର ଯୋଗେ ଯାତାୟାତ କରୁଥିବା ବେଳେ ନିଶାଡ଼ିଙ୍କ ଉତ୍ପାତ ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତ୍ରୀମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି।

ବସଷ୍ଟାଣ୍ଡରେ ନିଶାଶକ୍ତ ବ୍ୟକ୍ତିମାନେ ଖରାପ ଭାଷାରେ କଥାବାର୍ତ୍ତା ଓ ଗାଳିଗୁଲଜ କରୁଥିବା ବେଳେ ସମସ୍ତ ବ୍ୟବସାୟୀ, ବସ୍‌ କର୍ମକର୍ତ୍ତା ସବୁ ଦେଖି ଚୁପ୍‌ ରହୁଛନ୍ତି। ଏହି ବସଷ୍ଟାଣ୍ଡରେ ରାତି ୧୦ଟା ପର୍ଯ୍ୟନ୍ତ ବସ ଚଳାଚଳ କରୁଥିବା ବେଳେ ମଦ୍ୟପଙ୍କ ଆଡ଼ା ଯୋଗୁ ମହିଳା ଓ ଝିଅମାନେ ବୋହୂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାର ମାତ୍ର ୪୦୦ ମିଟର ଦୂରରେ ଯାଜପୁର ଟାଉନ ଥାନା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଥିବା ବେଳେ ଏପରି ଏକ ଗୁରୁତର ସମସ୍ୟା ପ୍ରତି ନଜର ଦେଇନାହାନ୍ତି। ଯାଜପୁର ପୁଲିସ ପେଟ୍ରୋଲିଂ ନାଁରେ ଖୋଲା ରାସ୍ତାରେ ଘୂରି ବୁଲୁଥିବା ବେଳେ ସମ୍ବେଦନଶୀଳ,ଜନଗହଳି ପୂର୍ଣ୍ଣ ଅଞ୍ଚଳ ଓ ମୁଖ୍ୟ ରାସ୍ତାରୁ ଭିତରକୁ ଯିବାକୁ ଇଚ୍ଛା କରୁନାହିଁ। ପୁଲିସର ଭୟ ନଥିବା ଅନୁଭବ କରି ଏଠାରେ ମଦ୍ୟପମାନେ ନିର୍ଭୟରେ ମଦ୍ୟପାନ କରୁଛନ୍ତି। ବସ୍‌ଷ୍ଟାଣ୍ଡ ନିକଟରେ ଯାଜପୁର ପୌରପାଳିକା ରହିଥିବା ବେଳେ ସେ ମଧ୍ୟ ଏପରି ସମସ୍ୟା ପ୍ରତି ଦୃଷ୍ଟି ଦେଇନାହାନ୍ତି। ଫଳରେ ସାଧାରଣ ବାଟୋଇ ଓ ବସର ଯାତ୍ରୀମାନେ ଅସୁବିଧା ଭୋଗୁଛନ୍ତି। ତେଣୁ ତୁରନ୍ତ ଯାଜପୁର ପୁଲିସ ଏଥିପ୍ରତି ଦୃଷ୍ଟି ଦେଇ ବସଷ୍ଟାଣ୍ଡରେ ଚାଲିଥିବା ନିଶା କାରବାରକୁ ରୋକିବାକୁ ଉଦ୍ୟମ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। ଏନେଇ ଟାଉନ ଥାନାଧିକାରୀ ସୁଦିପ୍ତ ସାହୁ କହିଛନ୍ତି ବସ୍‌ଷ୍ଟାଣ୍ଡରେ ପୁଲିସ ପେଟ୍ରୋଲିଂକୁ କଡାକଡି କରାଯିବ।

ସମ୍ବନ୍ଧିତ ଖବର