ଜେଲ୍‌ରୁ ଚମ୍ପଟ କଏଦୀ କାଳିଆପାଣିରୁ ଗିରଫ

କାଳିଆପାଣି: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ କାରାଗାରରେ ଆଜୀବନ ସଜା କାଟୁଥିବା କାଳିଆପାଣି ଚତିରିସାହିର ରଘୁନାଥ ଟୁଡ଼ୁଙ୍କ ପୁଅ ଭଗବାନ ଟୁଡ଼ୁ(୪୯) ଆଜି ପୁଲିସ୍‌ ପଞ୍ଝାରେ ପଡ଼ିଛି। ଗତ ୧୯ ତାରିଖରେ କରଞ୍ଜିଆ ଜେଲ୍‌ ପରିସରରୁ ୱାର୍ଡରଙ୍କୁ ଚକ୍‌ମା ଦେଇ ଭଗବାନ ଖସି ପଳାଇ ଆସିଥିଲା। ଏହି ମାମଲାରେ ଦୁଇ ଜଣ ୱାର୍ଡର ନିଲମ୍ବିତ ହୋଇଥିବା ବେଳେ ଭଗବାନ ବାରମ୍ବାର ସ୍ଥାନ ପରିବର୍ତ୍ତନ କରି ବେଫିକର୍‌ ଭାବେ ଘୂରି ବୁଲୁଥିଲା। ଆଜି କୌଣସି ଏକ କାମରେ ସେ ନିଜ ପୈତୃକ ଗାଁ କାଳିଆପାଣିକୁ ଆସି ତାର ପରିଚୟ ପତ୍ର ପାଇଁ ସରପଞ୍ଚଙ୍କ ପାଖରେ ନେହୁରା ହୋଇଥିଲା। ଜାମିନ୍‌ ପାଇଥିବା କହି ସରପଞ୍ଚଙ୍କ ଠାରୁ ସାହାଯ୍ୟ ଆଶା କରିଥିଲା। କୌଣସି ସୂତ୍ରରୁ କାଳିଆପାଣି ଥାନାଧିକାରୀ ରମାକାନ୍ତ ମୁଦୁଲି ସୂଚନା ପାଇ ସରପଞ୍ଚଙ୍କ ଘର ପାଖରେ ପହଞ୍ଚିଥିଲେ। ସେତେବେଳକୁ ଫେରାର୍‌ କଏଦୀ ଭଗବାନ ଚମ୍ପଟ ମାରିସାରିଥିଲା। ତେବେ ପୁଲିସ ତାକୁ ଗୋଡ଼ାଇଗୋଡ଼ାଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏକ ଗଳି ଭିତରେ ମାଡ଼ି ବସିଥିଲା। ସୂଚନା ଯୋଗ୍ୟ ଯେ, ଗତ ୨୦୧୦ ମସିହା ଏପ୍ରିଲ୍‌ ମାସରେ କାଳିଆପାଣି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ରହୁଥିବା ସ୍ବର୍ଗତ ବାହାଦୁର ମହାରଣାଙ୍କ ପୁଅ ଦଶରଥ ମହାରଣାଙ୍କ ହତ୍ୟାକାଣ୍ଡରେ ଭଗବାନ ସଂପୃକ୍ତ ଥିଲା। ଭଗବାନ ଓ ମୃତ ଯୁବକଙ୍କ ମା’ ସୁକୁମାରୀ ମହାରଣା ଷଡ଼୍‌ଯନ୍ତ୍ର କରି ଏହି ହତ୍ୟାକାଣ୍ଡ ଭିଆଇଥିଲେ। ଏହି ମାମଲା (ସିଟି-୨୮୮/୧୨)ରେ ଦୋଷୀ ସାବ୍ୟସ୍ତ ହୋଇ ଭଗବାନ ଓ ସୁକୁମାରୀ ମହାରଣା ଆଜୀବନ କାରାଦଣ୍ଡ ଭୋଗୁଥିଲେ। ତେବେ ଭଗବାନର ଆଚରଣରେ ଜେଲ୍‌ କର୍ତ୍ତୃପକ୍ଷ ସନ୍ଦେହ କରି ଗତ ୩ ବର୍ଷ ତଳେ ତାକୁ ରଗଡ଼ି ଜେଲ୍‌ରୁ କରଞ୍ଜିଆ ଜେଲ୍‌କୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର