ଯାଜପୁର: ବଧୂହତ୍ୟା ମାମଲାରେ ସ୍ୱାମୀ ସମେତ ଶ୍ୱଶୁର ଘରର ୪ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ବଧୂହତ୍ୟା ଅଭିଯୋଗରେ ମାନ୍ୟବର ଜିଲ୍ଲା ଦୌରା ଜଜ୍‌ ୧୫ ଜଣ ସାକ୍ଷୀଙ୍କ ବୟାନଙ୍କୁ ଭିତ୍ତି କରି ଶ୍ୱଶୁର ଘରର ୪ ଜଣ ସଦସ୍ୟ ଶ୍ୱଶୁର, ଶାଶୁ, ସ୍ୱାମୀ  ଓ ନଣଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ତଥା ଦିଅର ବିଚାରାଧୀନ ଅବସ୍ଥାରେ ଜେଲରେ ମୃତ ବରଣ କରିଥିଲେ।

ରିପୋର୍ଟ ଅନୁସାରେ ୨୦୧୪ ଜୁନ୍‌ ୨୦ରେ ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ସୋଲପାଟି ଗ୍ରାମର ଲକ୍ଷ୍ମୀଧର ପାଲଙ୍କ ପୁଅ ଅକ୍ଷୟ (୩୪) ନିଜ ଅଂଚଳର ପଳସା ଗ୍ରାମର ଘନଶ୍ୟାମ ସାହୁଙ୍କ ଝିଅ କୁସୁମଲତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲା। ବାହାଘର ବେଳେ ବର ପକ୍ଷରୁ ଦାବି ମୁତାବକ ସମସ୍ତ ଯୌତୁକ ଦିଆଯାଇଥିଲା କିନ୍ତୁ ବାହାଘରର କିଛି ମାସ ପରେ ଶ୍ୱଶୁର ଘର ଲୋକେ ଆଉ ୫୦ ହଜାର ଟଙ୍କା ଦାବି କରିଥିଲେ। ଏନେଇ ଝିଅ କୁସୁମଲତା ନିଜ ବାପାଙ୍କୁ ଜଣାଇଥିଲା। ବାପା ଘନଶ୍ୟାମ ଝିଅର ଶ୍ୱଶୁର ଘରକୁ ଯାଇ ଭଦ୍ରଲୋକଙ୍କ ଉପସ୍ଥିତିରେ ସୁବିଧା ଦେଖି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୨୦୧୪ ନଭେମ୍ବର ୧୪ରେ ସ୍ୱାମୀ ଅକ୍ଷୟ ଝିଅର ଭାଇ ଅଭୟ ସାହୁଙ୍କୁ ଫୋନ କରି ତମ ଭଉଣୀ ନିଖୋଜ ହୋଇଯାଇଥିବା କଥା କହିଥିଲେ।

ସେହିଦିନ ଭାଇ ଅଭୟ ବିଭିନ୍ନ ଆଡେ ଖୋଜାଖୋଜି କରିଥିବା ବେଳେ ଶ୍ୱଶୁର ଘର ଲୋକେ ଘର ଭିତରକୁ ଛାଡି ନ ଥିଲେ। ପରଦିନ ସକାଳୁ ସ୍ୱାମୀ ଅକ୍ଷୟ ପୁନଃ ଫୋନ କରି ତମ ଭଉଣୀ ଗାଁ ଠାରୁ କିଛି ଦୂରରେ ଥିବା ପୋଖରୀ ମରି ଭାସୁଥିବା ଜଣାଇଥିଲେ। ଖବର ପାଇ ମୃତ କୁସୁମଲତାଙ୍କ ପରିବାର ସେଠାରେ ପହଞ୍ଚିଥିବା ବେଳେ ପାଣିକୋଇଲି ପୁଲିସ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା। ଏନେଇ ମୃତକଙ୍କ ଭାଇ ପାଣିକୋଇଲି ଥାନାରେ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ।

ପୁଲିସ ମୃତହେଦକୁ ବ୍ୟବଚ୍ଛେଦ ବେଳେ ଶରୀରରେ ୧୪ଟି ସ୍ଥାନରେ କ୍ଷତ ହୋଇ ଥିବା ଜାଣି କେସ ନଂ ୧୨୦/୧୪ରେ ମାମଲା ରୁଜୁ କରିଥିଲା। ପରେ ପୁଲିସ ଶ୍ୱଶୁର ଲକ୍ଷ୍ମୀଧର ପାଲ, ଶାଶୁ ସୁଭଦ୍ରା ପାଲ, ସ୍ୱାମୀ ଅକ୍ଷୟ ପାଲ, ଦିଅର ଅଜୟ ପାଲ ଓ ନଣଦ ପ୍ରିୟତମା ପାଲଙ୍କୁ ଗିରଫ କରିଥିଲା। ଏହି ମାମଲାର କେସ ଚାଲିଥିବା ବେଳେ ଦିଅର ଅଜୟ ଗତ ୨୦୧୮ ଜୁଲାଇ ୮ ତାରିଖରେ ଜେଲରେ ମୃତବରଣ କରିଛି।

ସମ୍ବନ୍ଧିତ ଖବର